ଅନ୍ଧ-ବିଶ୍ୱାସ-କଳଙ୍କ
ଅନ୍ଧ-ବିଶ୍ୱାସ-କଳଙ୍କ
ଆମ ଏ' ସମାଜ ପୀଡ଼ିତ ହୋଇଛି ଅନ୍ଧ-ବିଶ୍ୱାସରେ ଛନ୍ଦା,
କୁସଂସ୍କାର ଆଉ ଡାହାଣୀ ନାମରେ ନିରୀହ ପାଉଛି ନିନ୍ଦା |
ଅଦା ଲଗେଇଲେ ପଦାହେବ କୁଳ ବାଉଁଶରେ ବଂଶ ନାଶ,
ନଡ଼ିଆ ଗଛକୁ ଲଗେଇବ ଯିଏ ତା'ର ଘରହେବ ଧ୍ଵଂସ |
ବିଲେଇକୁ ଦେଖି ଘରୁ ବାହାରିଲେ ଦୁର୍ଘଟଣା ହେବା ଥୟ,
ପେଚା ରାବଦେଲେ ମରିବ ମୁରବି ଜଗାନ୍ତି ମିଛରେ ଭୟ |
ଶାଗୁଣା ବସିଲେ ଉଚ୍ଚ ଚାଳଦେଖି ଅଶୁଭ କହନ୍ତି ଥୋକେ,
କୁକୁର ରଡ଼ିଲେ ବିପଦ ଆସୁଛି କହନ୍ତି ଅଜ୍ଞାନ ଲୋକେ |
କାଳିଆ ବ୍ରାହ୍ମଣ ଦର୍ଶନ ଅଶୁଭ ଝିଟିପିଟି କହେ ସତ,
ବିବାହ ନକରି ମରିଯାଏ ଯିଏ, ସିଏ ହୋଇଥାଏ ଭୂତ |
ଦୁର୍ବଳମନା ଯେ ଅତି ସହଜରେ ଗ୍ରହଣ କରେ ସେ କଥା,
ସବୁମିଛ ପୁଣି କପଟରେ ଭରା ସମାଜ ପାଇଁ ଏ' ବ୍ୟଥା |
ଆମରି ତିଆରି ଯାନ ମଙ୍ଗଳରେ ପହଞ୍ଚି ପାରିଲା ଯାଇ,
ତଥାପି ବିଜ୍ଞାନ ମଣିଷ ମନରୁ କଳଙ୍କ ପାରୁନି ଧୋଇ |
