ଅମୂଲ୍ୟ ଧନ
ଅମୂଲ୍ୟ ଧନ
କାଗଜ ପୃଷ୍ଠାରେ ଶବ୍ଦର ଗୁଚ୍ଛରେ
ସମଗ୍ର ଶରୀର ହୋଇଛି ଗଢ଼ା
ଜଣାରୁ ଅଜଣା କଥା ଜାଣିବାକୁ
ନିଇତି ଜୀବନେ ହୁଏ ସେ ଲୋଡ଼ା
ସଭ୍ୟତାର ସୃଷ୍ଟି ଅତୀତ କାହାଣୀ
ବକ୍ଷରେ ତାହାର ହୋଇଛି ଲେଖା
ପ୍ରକୃତିର ସତ୍ତା ଜୀବନର ଗାଥା
ସରଳ ଭାବରେ ଦେଉଛି ଶିକ୍ଷା
ସମାଜ ଦର୍ଶନ ଚେତନା ଆହ୍ୱାନ
ସୁନ୍ଦର,ମନୋଜ୍ଞ ଢଙ୍ଗରେ ଆଙ୍କି
ମନରେ ଉତ୍ସାହ ହୃଦରେ ପ୍ରେରଣା
ଭରଇ ନିଃସ୍ୱାର୍ଥ ଭାବନା ରଖି
ବିଜ୍ଞାନର ତତ୍ତ୍ୱ ସାମାଜିକ ତଥ୍ୟ
ଗଣିତ ଜ୍ଞାନର ସରଳ ସୂତ୍ର
ମାତୃଭାଷା ଭାବ ଗଳ୍ପ ଗୀତ ସର୍ବ
ଦେହରେ ସାଇତି ରଖିଛି ନିତ୍ୟ
ନାନାଦି ପ୍ରକାର ଛବିର ସମ୍ଭାର
ମଲାଟ କିଣୁଛି ଆମରି ମନ
ଜ୍ଞାନର ଭଣ୍ଡାର ବିଭିନ୍ନ ଆକାର
ପୁସ୍ତକ ନୁହେଁ ସେ ଅମୂଲ୍ୟ ଧନ
ଜୀବନେ ତାହାର କରିଲେ ଆଦର
ନିଶ୍ଚୟ ଦିଅଇ ସୁଫଳ ଢାଳି
ମିତ ସାଜି ସିଏ ଜ୍ଞାନ ଭରିଦିଏ
ମୁଲ୍ୟକୁ ତାହାର ହୁଏନା କଳି
