STORYMIRROR

Jyotsnarani Panda

Inspirational Children

3  

Jyotsnarani Panda

Inspirational Children

ଅମୃତ ସନ୍ତାନ

ଅମୃତ ସନ୍ତାନ

2 mins
159

 ଆସ ଆସ ମୋ'ର ଅମୃତ ସନ୍ତାନ 

  ସର୍ଵେ ହୁଅ ଏକାକାର ,

କ୍ଷୁଦ୍ରରେ ନିହିତ ବହୁ ସମ୍ଭାବନା 

   ଶୁଭୁ ସଙ୍ଗଠନ ସ୍ଵର ।


ନାନା ସ୍ଵପ୍ନ ଖଞ୍ଜି ସଵୁଜିମା ହେଜି 

   ସଜେଇବା ପରିବେଶ ,

ଜୈଵ ସନ୍ତୁଳନ ନ ହେଉ ବ୍ୟାହତ 

  ନ ହେଉ ଯେ ଧରା ଧ୍ଵଂସ ।


ବନ ଉପବନ ମଣିଷ ଜୀବନ 

  ଵୃକ୍ଷ ଵିନା ସବୁ ଶୂନ୍ୟ ,

ଖାଦ୍ୟ, ବସ୍ତ୍ର , ଗୃହ ମୌଳିକ ସୁବିଧା 

   ଦେଇ କରେ ପ୍ରାଣ ପୂର୍ଣ୍ଣ ।


ଆତ୍ମସ୍ଵାର୍ଥେ ମଜ୍ଜି ବୁଦ୍ଧି ଯାଏ ହଜି 

  ଶହ ଶହ ଗଛ କଟା ,

କଳକାରଖାନା ସଉଧ ନିର୍ମାଣ 

  ଫାଙ୍କା ଫାଙ୍କା ନଦୀପଠା ।


ବୃକ୍ଷର ଅଭାବେ ଘୋର ଜଳାଭାଵେ 

  ଦୁର୍ଦ୍ଦିନ ଆସିଵ ଦିନେ ,

ଚାଷୀ କାନ୍ଦୁଥିଵ ମୁଣ୍ଡେ ହାତଦେଇ 

  ହାହାକାର ଅନ୍ନ ଵିନେ ।


ପତ୍ର , ଫୁଲ , ଫଳ ପାଦପର କୋଳ 

  ପ୍ରତି ଅଙ୍ଗ ଉପକାରୀ ,

ତା ' ପାଇଁ ତିଷ୍ଠିଛି ଜୀବଜଗତଟା 

ମହୌଷଧି ଦେହେ ଭରି ।


ସମୟ ପୂର୍ବରୁ ସଜାଗ ନ ହେଲେ 

  ସଙ୍କଟେ ପଡ଼ିବ ବିଶ୍ବ ,

ସଜୀବର ସତ୍ତା ମିଳିବନି ପତ୍ତା 

  ଚତୁର୍ଦ୍ଦିଗ ହେଵ ନିଃସ୍ବ ।


ପ୍ରକୃତି କରିବା ପୂର୍ଣ୍ଣଗର୍ଭା ଆମେ 

  ସର୍ବତ୍ର ରୋପିକି ଚାରା ,

ସଵୁଜ ପଣତେ ସୌନ୍ଦର୍ଯ୍ୟରେ ସତେ 

   ଵିମଣ୍ଡିତା ଵସୁନ୍ଧରା ।


ହେଲେ ସ୍କୁଲ ଛୁଟି ହୋଇବା ଏକାଠି 

  ନାନା ଜାତି ମଞ୍ଜି ଆଣି,

ନିଜ ସାଧ୍ୟ ମତେ ଵହୁ ଯତ୍ନେ କ୍ଷେତେ 

  ସଶ୍ରଦ୍ଧେ ଦେବାଟି ଵୁଣି ।


ଘର ଅଗଣା ଓ ବାଡି ଦାଣ୍ଡ ଆମ 

  ରଖିବା ସଫା ସୁତୁରା ,

ଗ୍ରାମ ସହରକୁ ଜାଗ୍ରତ କରିଵ 

  ସ୍ବଚ୍ଛ ଭାରତର ନାରା ।


ମହାମାରୀ ଏବେ କରିଛିଟି କାଳ

  ଭୟଙ୍କର ପ୍ରାଦୁର୍ଭାଵେ ,

ମୁଖା ପିନ୍ଧି ସଦା ଦୂରତା ରଖିଲେ 

  ଵଞ୍ଚିବା ଯଥାସମ୍ଭବେ ।


ବିଦ୍ୟାଳୟ ଛୁଟି ହେଲା ଵୋଲି ଯଦି 

  ଖେଳ କୁଦେ ଯିବା ମାତି ,

ଉନ୍ନତିର ଉଷା ଉଇଁଵନି ଆଉ 

  ଘୋଟିଵ ତମିସ୍ରା ରାତି ।


ଅନ୍ ଲାଇନ୍ ରେ ପାଠ ପଢି ସଦା 

  ହାସଲ କରିବା ଜ୍ଞାନ ,

ଯାହା କିଛି ହେଵ ଅଵୁଝା ଆମର 

  ଗୁରୁଙ୍କୁ ପଚାର ପ୍ରଶ୍ନ ।


ଛାତ୍ର ସମୟଟା ଗୁରୁତ୍ୱପୂର୍ଣ୍ଣ ଯେ 

  ନ କର କ୍ଷଣଟେ ନଷ୍ଟ ,

ଵିଦ୍ୟା ସାଧନାରେ ନିତ୍ୟ ବ୍ରତୀ ହେଲେ 

  ସମାଜେ ହୋଇଵ ଶ୍ରେଷ୍ଠ ।


ଜଳ , ଅଗ୍ନି , ମାଟି ବିଦ୍ୟୁତ୍ ଶକ୍ତିର 

  କରିବନି ଅପଚୟ ,

ଶକ୍ତି ସଙ୍କଟରେ ଉତ୍ତର ପୀଢ଼ିଟା 

  ନିଶ୍ଚେ ହେବ ଯେ ବିଲୟ ।


କରି ସ୍ବଚ୍ଛ ହୃଦ ବିଭୁ ପଦ୍ମ ପାଦ 

  ତ୍ରିସନ୍ଧ୍ୟାରେ ଧ୍ୟାୟୁଥିବ ,

ତିଳେ ଦୁଃଖ କଷ୍ଟ ସ୍ପର୍ଶ ନ କରିଵ 

  ମହାନନ୍ଦେ ଦିନ ଯିଵ ।



Rate this content
Log in

Similar oriya poem from Inspirational