ଅମୃତ ଅନୁଭବ
ଅମୃତ ଅନୁଭବ
ତପତ ବାଲିର ମରୁ ପ୍ରାନ୍ତର ମୁଁ
ତୁମେହିଁ କରୁଣା ନୀର,
କରୁଣା ବିହୁନେ ବାଲୁକାକୁ କିମ୍ପା
ଅଧିକ କରୁଛ ଖାର |
ଅଚିନ୍ତ୍ୟ ସୃଷ୍ଟିରେ ଏ ଅପୂର୍ଵ ରୂପ
କିଭଳି ବାଛିଲ ପ୍ରଭୁ,
ତତାଇ, ଭସାଇ ବୁଡାଇ, ଉଡାଇ
ଆଉ କି ରଖିଛ ସବୁ ।
ସବୁ ମଧ୍ୟେ ମୁହିଁ ହୋଇ ଏକାକାର
କରିବିନି ମନେ ଉଣା,
କେବଳ ଆଶାରେ ରହିଥିବି ଚାହିଁ
ତୋ କରୁଣା ସୁକ୍ଷ୍ମକଣା |
ମନର ମରୁରେ ନୀର ନ ଝରିଲେ
କିପରି କଳ୍ପନା ଲତା,
ଜନ୍ମି ସଞ୍ଚରିବ, ଆରୋହୀ ଧରିବି
ଚିନ୍ତି ତୋର ଗୁଣ ଗାଥା |
ଭାବି ପାରୁନାହିଁ କେଉଁ ତ୍ରୁଟି ପାଇଁ
ଦେଉଛ ଦୁଃଖ ଯାତନା,
ଅସରନ୍ତି ଦିନ ସରୁନାହିଁ କିମ୍ପା
ନିତି ପାଏ ନିର୍ଯାତନା |
ମନରେ ଅଶାନ୍ତି ଅବସାଦ କ୍ଲାନ୍ତି
ଶରୀର ଦୁର୍ବଳ କରେ,
ସବୁ ଦେଖି କିଆଁ ବୁଜିଛ ହେ ଆଖି
ବଞ୍ଚିଥାଉ ଥାଉ ମରେ |
ଜୀବନ କାଳରେ ଜାଣିଶୁଣି କେବେ
କରିନାହିଁ କେଉଁ ପାପ,
ତଥାପି ଭୋଗୁଛି କେଉଁ ଶାପ ଫଳେ
ମାନସିକ ଗୁରୁ ଚାପ ।
ତା ସହିତ ମିଶି ସଂସାର ବୋଝଟା
ହେଲାଣି ଅଧିକ ଭାରି,
କହ ଚକାଆଖି, କାହା ପାଶେ ଯାଇ
କରିବି ମୁଁ ଏ ଗୁହାରୀ ।
