ଅମୃତ ଅନୁଭବ
ଅମୃତ ଅନୁଭବ
କବିତା - ଅମୃତ ଅନୁଭବ
ରଚନା - ପଞ୍ଚାନନ ଜେନା
ତାରିଖ -୨୭-୦୭-୨୦୨୬
+++++++++++++++++
ଏକାନ୍ତବାସରେ ବସି
କଳା କିଟିମିଟି ଅନ୍ଧାର କୋଳରେ ଭାସି
ଆଖି ପଲକରେ ଝଲକରେ
ଦିଶିଯାଏ
ସେହି ସୁନା ରଙ୍ଗିଆ ଜହ୍ନ
ମନ ଗବାକ୍ଷ ଡେଇଁ
ଉଙ୍କିମାରେ ହଜାରେ ପ୍ରଶ୍ନ
ଶିରା ପ୍ରସିରା ଛୁଇଁ
ଚେତନା ପ୍ରବାହ ଧାଏଁ ତନ୍ନ ତନ୍ନ
ଜହ୍ନ କେବେ ମୀତ ବସିଛି କି ?
ଛଇଲି ରାଧାରାଣୀ ପରି
କେବେ କେମିତି ଛଳି ଅଳି ଅର୍ଦ୍ଦଳି କରିଛି କି ?
ଆଜିର ନଷ୍ଟ ପ୍ରେମିକା ପରି
ଭଗ୍ର ଆଧୁନିକା ତରୁଣୀ ସରି
କେବେ ଛଳ କପଟ ପ୍ରତାରଣା କରିଛି କି ?
ଦିନମଣି ଗଲେ ଅସ୍ତାଚଳେ
ସଞ୍ଜ ନଇଁ ଆସେ କୌତୁହଳେ
ଆକାଶର ଛାତ ଚିରି ଉଇଁଆସେ ଜହ୍ନ
କୁମୁଦିନୀ ପ୍ରୀୟାକୁ ଦେଖୁ ଦେଖୁ
ପଚାରି ପାରିବ ମୌନୀ ସାଙ୍କେତିକ ପ୍ରଶ୍ନ
ଉତ୍ତର ପ୍ରତ୍ୟୁତ୍ତରରେ କଟିଯାଏ ବିପ୍ରଲମ୍ବ ସମ୍ମୋହନ
ଶେଷ ସର୍ବରୀ ପାହିଗଲା ପରେ
ଆକାଶ ଛାତରେ ତଥାପି ଦିଶିଯାଏ
ଦାଆବେଣ୍ଟିଆ ଜହ୍ନ
ଦିନମଣି ଆସୁ ଆସୁ ଅକ୍ଳେଶରେ
ପୁଣି ଦୂରେଇ ଯାଉ ଯାଉ କଣେଇ ବଙ୍କେଇ ଚାହୁଁ ଚାହୁଁ
ଶେଷ କେଇ କ୍ଷଣ ଉପଭୋଗ କରେ ଚୁମ୍ବନ
ହେଲେ କଲାମୁଣ୍ଡିଆ ମାନେ ଚେତୁନ କାହିଁକ
କି ନୈସର୍ଗିକ ଶୋଭା ବିଭବ
କି ଈଶ୍ୱରୀୟ ପ୍ରେମାନୁଭବ
ଦୂରେ ଥିଲେ ବି ପାଶେ ପାଶେ
ଅମୃତ ଅନୁଭବ ହିଁ ସ୍ନେହ ସଂପଦ ବୈଭବ ।
