ଅମଣିଷ ହେଲୁ ତୁହି
ଅମଣିଷ ହେଲୁ ତୁହି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବାପାଙ୍କ ନାମଟି ଆଧୁନିକ ହେଲା
ଡାଡି ବୋଲି ସବୁ ଡାକିଲେ
ବୋଉ ଡାକଟି ମୋଡେର୍ଣ ହୋଇଲା
ମମି ବୋଲି ସବୁ କହିଲେ ।
ଦାଦା ଖୁଡି ଡାକ ପୁରୁଣା ହୋଇଲା
ଅଙ୍କଲ ଆଣ୍ଟି ଡାକିଲେ
ଭାଇ ଭଉଣୀ ଡାକ ଅରୁଚି ଲାଗିଲା
ବ୍ରୋ ସିସ ବୋଲି କହିଲେ ।
ଗୁରୁଜୀ ଡାକ ଟି ଭଲ ଲାଗିଲାନି
ସାର ସାର ବୋଲି ଡାକିଲେ
ଗୁରୁମା ପଦଟି ପାଟିରେ ପସେନି
ମିସ ମିସ ବୋଲି କହିଲେ ।
ମଉସା ଭାଇନା ଡାକ ଭୁଲିଗଲେ
ହାଲୋ ହାଏ ବୋଲି ଡାକିଲେ
ନମସ୍କାର ପଦକୁ ପଛରେ ପକେଇ
ଟାଟା ବୋଲି କହିଲେ ।
ସାଙ୍ଗ ପଦଟି ପାଟିରେ ପସେନି
ୟାର ୟାର ବୋଲି ଡାକିଲେ
କ୍ଷମା ପଦଟି ବୋଧେ ଲାଜ ଲାଗିଲା
ସରି ସରି ବୋଲି କହିଲେ ।
ମାତୃଭାଷା କାର ପାଟିରେ ପସେନି
ଇଂଗଲିସ ଚୋବେଇ ବୁଲିଲେ
ଉତ୍କଳ ଦିବସ ଅର୍ଥ ଭୁଲିଯାଇ
ଏପ୍ରିଲ ଫୁଲ କହିଲେ ।
ଧନ୍ୟ ଧନ୍ୟ ରେ ଓଡ଼ିଆ ଭାଇ
ନିଜ ମାତୃଭାଷା ପଛରେ ପକେଇ
ଗର୍ବିତ ହୋଇଲୁ ତୁହି ।
ମାତୃଭୂମି ମାତୃ ଭାଷାର ମମତା
ଟିକିଏ ବୁଝିଲୁ ନାହିଁ
ସ୍ବଦେଶୀ କୁ ଛାଡି ବିଦେଶୀକୁ ଧରି
ଅମଣିଷ ହେଲୁ ତୁହି ।