STORYMIRROR

Dr. Shiba Prasad Tripathy

Inspirational

3  

Dr. Shiba Prasad Tripathy

Inspirational

ଅଲିଭା ପାଦଚିହ୍ନ

ଅଲିଭା ପାଦଚିହ୍ନ

1 min
26.5K


ତୁମ ପାଦ ଚିହ୍ନ

ଆଜି ମୁଁ' ଖୋଜୁଛି

କେତେ ଦୁର୍ଗମ ପଥ

ଶୁନ୍ୟ ଇଲାକାରେ

କେତେ ମାଇଲ ଖୁଣ୍ଟ

କେତେ ଦୂରତା ମଧ୍ୟରେ ।।

ବେଳତ' ଗଡି ନଥିଲା ସେଦିନ

ସୁରକ୍ଷାର କବଚ ପିନ୍ଧିଥିଲ

ତୁମେ ଯେଉଁ ଦିନ

ମାଟି ମନ୍ତ୍ରରେ ଅଭିମନ୍ତ୍ରିତ ହେଲ

ସବୁତକ ସୁଖ

ବୁଜୁଳା ବାନ୍ଧି ଦେଲ

ପଛକୁ ଦଣ୍ଡେ ଆଉ

ଫେରିତ' ନଥିଲ !

କେତେ ଗିରି-ଶୃଙ୍ଗ

କେତେ ଶିଖର ଚଢିଲ

ହିମ- କାକର ଝଡି- ବର୍ଷାକୁ

ଖାତିର୍ କାହାକୁ ବା' କଲ

ମରୁଭୂମିରେ ବାଟ ଭାଙ୍ଗି ଭାଙ୍ଗି

ଝାଞ୍ଜି ପବନରେ ମୁହଁ ପୋଛୁଥିଲ

ତଥାପି, କେବେ ଥରେ

କହିତ' ନଥିଲ

ହଁ, ତୁମେ ଥକିଗଲ !

ଭୋକ ଆଉ ଶୋଷ କ'ଣ ଯେ

କିଛି ଜାଣିତ' ନଥିଲ

ସମୟ ହାତରେ ଚଳୁକରି

ଅଧବାଟେ ଛାଡି ଆସିଥିଲ,

ଅନ୍ଧାରକୁ କାଟି କାଟି

ଆଗକୁ ଯାହା ପାଦ ଥାପିଥିଲ

ଆଉ କେବେ ଫେରିବ

ତାହା ତୁମେ ନିଶ୍ଚିତ ନଥିଲ ।।

ସାମ୍ନା- ସାମ୍ନି ଜୁଆର ସହ

ଯେବେ ଭେଟ ହେଲ

ଗୋଳା ଆଉ ବାରୁଦ ଗନ୍ଧରେ

ତୁହାକୁ ତୁହା

ଲହଡି ଭାଙ୍ଗି ଦେଉଥିଲ

ତଥାପି, କେବେ ଥରେ

କହିତ' ନଥିଲ

ହଁ, ତୁମେ ହାର୍ ମାନିଗଲ !

ବୃହନ୍ନଳା ମାନଙ୍କ ଚକ୍ରବ୍ୟୂହରେ

କେମିତି ସତେ ସେଦିନ

ଫସି ଯାଇଥିଲ , ଅଭିମନ୍ୟୁ !

ଗଲା ପୁତ୍ର ତୁମେ ଆଉ ବାହୁଡି ନଥିଲ

ମାଟି ଘଟ ମାଟିରେ ଚିର ନିଦ୍ରା ଗଲ

ମଶାଣି ଭୂଇଁରେ ଦୀପଶିଖା ହେଇ

ସେଦିନ ଯାହା ଜଳିଥିଲ

ଆକାଶ ଆଖିରେ ନକ୍ଷତ୍ର ପରି

ଠିକ୍ ସେମିତି ତୁମେ ହସୁଥିଲ ।।

ତୁମେ ଗଲ ଅମୃତର ପଥେ

ଇତିହାସ ତୁମ ସାଥେ ସାଥେ

ଅତୀତ- ବର୍ତ୍ତମାନ ଓ ଭବିଷ୍ୟତ

ବାର୍ତ୍ତାବହ ଶାନ୍ତିର କପୋତ

ହେ ଅଗ୍ରଦୂତ !

ତୁମକୁ ଅୟୁତ ଅୟୁତ ଦଣ୍ଡବତ !!!

.....

ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ, ଉଦୟ ନଗର

ଷ୍ଟେସନ ରୋଡ,ବଲାଙ୍ଗୀର (ଓଡିଶା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational