ଅଲିଭା ଦିନ
ଅଲିଭା ଦିନ
ସମୟ ସ୍ରୋତର ସୁଅରେ ଭାସିଛି
ସେହି ଅଭୁଲା ଦିନର ସ୍ମୃତି
ଯେଉଁଠାରେ କେବଳ ତୁମେ ଓ ମୁଁ
ସେହି ଅନ୍ତରଙ୍ଗ ଆଳାପ
ଅପେକ୍ଷା କରୁଥିଲ,ବାହାନା ଖୋଜୁଥିଲ
ଆଖି ସହ ଆଖି ମିଶାଇ ପଦୁଟିଏ କଥା ପାଇଁ
ଚାହିଁ ରହୁଥିଲ ଫାଟକ ଫାଙ୍କରେ ଚାତକ ପରି
ମୋର ସେହି ଆସିବା ବାଟକୁ
ଟିକିଏ ଦେଖାହେଲେ ମନରେ
ଆସୁଥିଲା ତୃପ୍ତି ଓ ଅସୀମ ଶାନ୍ତି
ଶରୀରରେ ଆଣୁଥିଲା ଅପୂର୍ବ ଶୀହରଣ
ହୃଦୟେ କରିଲ ଘର ଦେଇ ମନ ପ୍ରାଣ
ହେଲେ ମେଘାଚ୍ଛନ୍ନ ଆକାଶରେ
ଭସା ବାଦଲ ପରି କେଉଁଠି ଉଭେଇ ଗଲା
ସେଦିନର କଥା ଓ କାହାଣୀମାନ
କିନ୍ତୁ ହୃଦୟରେ ରହିଗଲା ସେ ଅଲିଭା ଦିନ।
