ଅଲିଅଳୀ
ଅଲିଅଳୀ
ସଂସାର ଜୀବନ ହୁଏ ଚିରନ୍ତନ
ନୂତନ ସୃଜନୀ ଆସିଲେ ଧରା,
ଦାମ୍ପତ୍ୟ ଜୀବନ ହୁଏ ଯେ ସଫଳ
ଘରେ ନବ ଶିଶୁ ଜନ୍ମିଲେ ପରା |
ବିଧାତା ନିୟମେ ଧରାବନ୍ଧା ଏହା
ପୁରୁଷ ପ୍ରକୃତି ମିଳନେ ସୃଷ୍ଟି,
ସୃଷ୍ଟିର ଆରମ୍ଭୁ ଚାଲିଛି ଏ ଧାରା
ଯୁଗ ଯୁଗ ପରା ଗଲାଣି ବିତି |
ସଂସାର ଉଦ୍ୟାନେ ସବୁ ମହକିତ
ଭଲ ମନ୍ଦ ସେଠି ହୁଏନି ବଛା,
ପୁଅ ଅବା ଝିଅ ଦୁହେଁ ତ ସମାନ
ନୂଆ ସମ୍ଭାବନା ଭରେ ନିୟନ୍ତା |
ପୁଅ ଜନ୍ମ ହେଲେ ଗେହ୍ଲା ହୋଇଥାଏ
ଝିଅ ଅଲିଅଳୀ ହୁଏ ତ ଘରେ,
ତା କୁନୀ ଓଠର ଦୋତୁଣ୍ଡା କଥାରେ
ପିତାମାତାଙ୍କର ଦୁଃଖ ଯେ ସରେ |
ଭାଇର ହୁଏ ସେ ଗେହ୍ଲି ଭଉଣୀଟେ
ଦାଣ୍ଡରେ ଚଳାଏ ହାତକୁ ଧରି,
ଯାହା ଅଳିକରେ ମିଳିଯାଏ ତାକୁ
ହସି ସୁଖ ଦିଏ ହୃଦୟେ ଭରି |
ସଂସାର କୁହେ ତ ଝିଅ ନୁହେଁ ସିଏ
ସୃଷ୍ଟିକୁ ଆସିଛି ରତନଟିଏ,
ଦିନେ ମାଆ ହୋଇ ପିତାମାତା ନାମ
ସଂସାରେ ରଖିବ ଦୁହିତା ହୋଇ |
ଅତି ଅଲିଅଳୀ ସେ ରାଜକୁମାରୀ
ବଡ଼ ହେଲେ ଯାଏ ଶାଶୁଘରକୁ,
ପିତାମାତା ଦୁହେଁ କନ୍ୟାଦାନ କରି
କୃତାର୍ଥ ମଣନ୍ତି ଚାପି କୋହକୁ |