ଅକ୍ଷୟ ଧାରା
ଅକ୍ଷୟ ଧାରା
ଆଜି ପରା ଅକ୍ଷି ବାର,
ବୈଶାଖୀ ତୃତୀୟା ପୁଣ୍ୟ ତିଥିରେ,
ସାଆନ୍ତାଣୀ ଯିବେ ବାପଘର,
ଆଜି ପରା ତିଥି ବାର..!
ଆଜି ପରା ସେଇ ବାର,
ଝୋଟି ଓ ଚିତାରେ ଘର ମହକୁଛି,
ଶଙ୍ଖ ହୁଳହୁଳି ବାରମ୍ବାର,
ଅକ୍ଷି ମୁଠି ନେଇ ବାପ ଘର ଯିବେ
ସାଥିରେ ହଳ ଲଙ୍ଗଳ,
ମାଣ ଓ ଗଉଣି ପୂଜା ପାଉଅଛି,
ଏ ତ ଓଡ଼ିଆ ଘର ଗୌରବ,
ଆଜି ଶୁଭ ଅକ୍ଷି ପରବ !
ଆଜି ପରା ସେଇ ବାର
ଅକ୍ଷି ମୁଠି ସାଥେ ମାଣ,ସେର ପୁଣି,
ପୂଜା ଏ ମାଟି ମାଆର,
ନାହିଁ କ୍ଷୟ ଯହିଁ ଏ ପୁଣ୍ୟ ପରବେ,
ଅକ୍ଷୟ ଏ ପୂଣ୍ୟ ବାର,
ମା',ମାଟି,ପାଣି ମହିମାର ପ୍ରଥା,
ଗୌରବ ଗାଥା ଏ ମାଟିର,
ଅକ୍ଷତ,ଅକ୍ଷୁର୍ଣ୍ଣ,ଅନାହତ ପୁଣି,
ଗୌରବ ଏ ପରମ୍ପରାର,
ପୁଣ୍ୟ ଏ ସଂସ୍କୃତି ଉତ୍କଳୀୟ ଧାରା
କଥା କୃଷି,କୃଷକ, ଅନ୍ନ ଦାତାର,
ସବୁରି ପେଟକୁ ଦାନା ଯୋଗାଉଛି
ସବୁରି ମୁହଁରେ ହସ ଫୁଆର,
ଏ ପରବ ଅନ୍ନ ଦାତ୍ରୀର !
ଗ୍ରୀଷ୍ମ ର ଏଇ ମଙ୍ଗଳ ତିଥିରେ,
ଆଦ୍ୟ ଆଷାଢ଼ର ଉପଚାର,
ମଙ୍ଗଳ କାମନା ମଙ୍ଗଳ ଆଳତୀ
ସୁମଙ୍ଗଳ ଵିଧି ସୁମନାସ,
ଶୁଭରେ ଶୁଭରେ ଶୁଭ ମନାସଇ
ଶୁଭ ଆକ୍ଷି ମୁଠି ଅନୁକୂଳ !
ଏ ପରା ଅନ୍ନପ୍ରସନ୍ନ ସଦାଚାର,
ସ୍ୱୟଂ ଅନ୍ନପୂର୍ଣ୍ଣା ଜଗତ କଲ୍ୟାଣେ
ରଚେ ସେ ଲୀଳା ଅପାର,
କୃଷି କର୍ମଣୀର ଏ ଅପୂର୍ବ ବେଭାର
ଧନ୍ୟ ଏ ଜଗତ ସାର,
ଏ ପରା ମା,ମମତାର ଉପହାର,
ଅକ୍ଷୟ ଏ ଧାରା ପୁଣ୍ୟ କମଳେ,
ଧର୍ମର ପରା ଜୟ, କର୍ମର ଜୟ ଗାନ,
ଅକ୍ଷୟ ଏଇ ଅକ୍ଷି ମୁଠି ପର୍ବ
ଅକ୍ଷି ତୃତୀୟାର ଗୌରବ ସାର,
ଅନ୍ନ ଦାତ୍ରୀ ସେ ଆପଣାର !
