ଅଦିନେ ବସନ୍ତ ବହେ
ଅଦିନେ ବସନ୍ତ ବହେ
ବୟସର ଅନ୍ତରାଳେ
ପ୍ରେମ ଛୁଏଁ ହୃଦୟକୁ
ମନ ଖୋଜେ ସାଥିଟିଏ
ମନ କଥା କହିବାକୁ।
ମିଳନର ଆଶା ଜାଗେ
ଖୋଜେ ସିଏ ମଧୁବନ
ପ୍ରକୃତିର ସବୁଜିମା
କେବେ ଗହନ କାନନ।
କେବେ ନଈ ପଠାଧାରେ
ଗୋଧୂଳି ଲଗ୍ନରେ ବସି
ଅରୁଣିମା ଅସ୍ତରାଗ
ମନେ ଆଣି ଦିଏ ଖୁସି।
ଭଲ ଲାଗେ ଜହ୍ନ ରାତି
ସାଥି କଥା ଭାବିବାକୁ
ସାଗର ବେଳାରେ ମିଶି
ପାଦ ଥାପି ଚାଲିବାକୁ।
ଲାଜୁଆ ଆଖିର ନିଦ
ସାଥି ତ ଚୋରେଇ ନିଏ
ଗୋଲାପୀ ଅଧରେ ହସ
ଅନ୍ଧାରରେ ଭରିଯାଏ।
ମଳୟର କୁହୁତାନ
ବସନ୍ତର ଆଗମନ
ହୋଲିର ସେ ଗାଢ଼ ରଙ୍ଗ
ମନ ଉତ୍ତାଳ ତରଙ୍ଗ।
ପ୍ରେମ ରଙ୍ଗ ଲାଗିଗଲେ
ଅଦିନେ ବସନ୍ତ ବହେ
ବଉଳର ମିଠା ବାସ୍ନା
କୋଇଲି ବି ଗୀତ ଗାଏ।

