STORYMIRROR

Anupama Sahu

Abstract

4  

Anupama Sahu

Abstract

ଅଧୁରା ସ୍ୱପ୍ନ

ଅଧୁରା ସ୍ୱପ୍ନ

1 min
553

ଅଧୁରା ସପନ 

ଦର୍ଶନେ ମଗନ

ଆଜି ମୁଁ ଜୀବନ ପଥେ ।

ଅମୃତ ଲଗନ

ଉଦାସ ନୟନ

ଦେଖେ ସପନ ନିରତେ ।


ଫଗୁଣ ଫଗୁରେ

ଶ୍ରାବଣ ଝଡିରେ

ବଇଶାଖ ରଜନୀରେ ।

ସୁନୀଳ କାମନା

ଚାନ୍ଦର ଜୋଚ୍ଛନା

କଳପନା ନିଶାଘାରେ ।


ଜୀବନସପନ 

ଦେଖେ ନିତିଦିନ

ସାର୍ଥକ କରିବାପାଇଁ ।

ଜୀଇଁ ଜୀଇଁ ମରେ

ଏଇ ଦୁନିଆରେ

ସତ୍ୟ କେବେ ହୁଏ ନାହିଁ ।


ପ୍ରିୟ ମୋ ଆସିବେ

ପ୍ରେମ ନିବେଦିବେ

ଆଖିରେ ଭରି ସପନ ।

ପ୍ରଣୟ ପାତ୍ରରେ

ମୋ ପ୍ରିୟ ଗାତ୍ରରେ

ଧ୍ଵନି ହେବ ମନମନ ।


ମୋ ପାପ ପୁଣ୍ୟର

ନଥାଏ ବିଚାର

ଅଧୁରା ସପନ ଶେଜେ ।

ସପନ ନାୟକ

ଖୋଜିବେ ଅନେକ

ମୋ ପାଦ ପାଉଁଜି ସାଜେ ।


ସପନର ଧାରେ

ଜୀବନ ପଥରେ

ମୋ ମନଟା ଉଡି ବୁଲେ ।

ଆଶା ଅସୁମାରୀ

କାମନା ପ୍ରସରି

ପ୍ରେମ ପାରିଜାତ ଫୁଲେ ।


ଶକତିରେ ଭରା

ସପନ ଅଧୁରା 

ସ୍ମୃତି ଚିହ୍ନ ଛାଡି ଯାଏ ।

ଜୀଇଁବାର ନିଶା

କରେ ଲୋକହସା

ଯନ୍ତ୍ରଣାର ଲହୁ ପିଏ ।


ଅଧୁରା ସପନ

ମନରେ ଦହନ

ବିରହର ଗୀତ ଗାଏ ।

ଉନ୍ନିଦ୍ର ନୟନ

ପ୍ରେମିକ ବଦନ

ଅପଲକେ ଦେଖୁଥାଏ ।


ଆଶା କଳ୍ପବୃକ୍ଷେ

ସପନ ପ୍ରତ୍ୟକ୍ଷେ

କଅଁଳ କୁସୁମ କଳି ।

ପ୍ରଣୟ ଅମୃତ

ପାନରେ ଶାଶ୍ଵତ

ସୁଖ ପ୍ରାପ୍ତି ଥାଏ ମିଳି ।


ଜୀବନ ଆକାଶେ

ସପନ ବିକଶେ

ଆଶାର କିରଣ ବୁଣି ।

ଉଆଁସ ଅନ୍ଧାର

ହୋଇଯାଏ ଦୂର

ସ୍ଥାନ ସମୟକୁ ଜାଣି ।


ଆଙ୍କେ ଚିତ୍ରପଟ

ନମାନେ ଆକଟ

ପ୍ରେମବଂଶୀ ବାଜେ ଯେବେ ।

ନିଜ ଅଜାଣତେ

ଗଭୀର ନିଶୀଥେ

ଅଧୁରା ସପନ ଜାଗେ  ।


ପ୍ରୀତି ସୁରା ପାନେ

ଅଧୁରା ସପନେ

ଜୀବନ ଅଧୁରା ଲାଗେ ।

ମତୁଆଲା ହୋଇ

ନିଜକୁ ହଜାଇ

ପ୍ରିୟତମେ ଚୁମା ମାଗେ ।



Rate this content
Log in

Similar oriya poem from Abstract