STORYMIRROR

Aparti Charan Sethi

Abstract

4  

Aparti Charan Sethi

Abstract

ଅଧରାମୃତ

ଅଧରାମୃତ

1 min
352


ରଙ୍ଗା ଅଧରୁ ତୋ ଝରେ ଯେଉଁ ହସ

    ସେ ପରା ଅଧରାମୃତ ,

ଦୁଧ,ଦହି,ଛେନା ପଣା ଦେଲେ କିବା

    ଖୁସି ହେବୁ ଜଗନ୍ନାଥ?


କହରେ‌ କାଳିଆ ଜଗତ ବାଇଆ

    କରୁଛୁ ତୁ କାହିଁ ପାଇଁ,

ଜାଣିଛୁରେ ଜଗା ତୋଲୀଳା ବାବଦେ

    କେତେ ଧନ ଯାଏବହି ।


ତୁ ତ ଠାକୁର କାହିଁ ଆଶା ତୋର

    ମାନବୀୟ ଲୀଳା ପାଇଁ,

ମଣିଷ ପ୍ରବୃତ୍ତି ଭଲ କି ଲାଗୁଛି

    ତେଣୁ ଦୁଃଖ ପାଉ ତୁହି ।


ମୋ ଘରଣୀ ମୋତେ ଡରିକି ରହିଛି

    ଲକ୍ଷ୍ମୀକୁ ତୁ ପରା ଡରୁ,

ଦୁଃଇ ଭାଇ ବାରବର୍ଷ ବୁଲିଥିଲ‌

    ଜାଣେ ଲକ୍ଷ୍ମୀ ପୁରାଣରୁ‌ ।


ହେରା ପଞ୍ଚମୀରେ ଲକ୍ଷ୍ମୀ ପରା ତୋର

    ଭାଙ୍ଗି ଦେଲେ ରଥ କାଠ,

କାଲିକି ଦେଖିବୁ ସିଂହଦ୍ଵାରଠାରେ

    କେମିତି ଲାଗିବ ନାଟ?


ଇଚ୍ଛାମୟ ବୋଲି ପଡୁଅଛି ହୁରି

    ଏହି କି ତୋହରି ଇଚ୍ଛା ,

ଯଦି ଇଚ୍ଛା ଥାନ୍ତା ରସଗୋଲା ଲାଞ୍ଚ

    ଲକ୍ଷ୍ମୀଙ୍କୁ କାହିଁ ମିଳନ୍ତା?


ବଡ କପଟିଆ ଜାଣେ ଏ ଦୁନିଆଁ

    ତୁହି ବଡ଼ ଦଗାଦିଆ,

ମିଛେ ଉଡାଉ ତୁ ପତିତପାବନ

    ବଡ଼ କରିବାକୁ ନାଆଁ ।


ଏତେପରେ ତୋର ଗୋଟେ ଭଲଗୁଣ 

    ଭକତ‌ ଗାଳି ତୁ ସହୁ,

ଶ୍ରୀବତ୍ସ ବ୍ରାହ୍ମଣ ସେ ସର୍ପଜଣାଣ

    ମନେପକା‌ ମହାବାହୁ ।


ସେ ସବୁ ସହିଛୁ ତଥାପି ହସୁଛୁ

    ତେଣୁ ତୁହି ଜଗନ୍ନାଥ,   

ଜଗତ ଜନଙ୍କୁ ଆଜି ପରଶିବୁ

    ତୋର ସେ ଅଧରାମୃତ ।


ଦଶମୀରେ କଲୁ ବାହୁଡା଼ ଯାତରା

    ସୁନାବେଶ ଏକାଦଶୀ,

ଦ୍ଵାଦଶୀରେ ରଥେ ଅଧର ପଣା ତୋ

    ବାଣ୍ଟି‌ ଦେବୁ ହସି ହସି ।


ପଣା ହାଣ୍ଡି ଭାଙ୍ଗି ସମସ୍ତଙ୍କ ଓଠେ

    ପଣା ତୁହି ଲଗାଇବୁ,

ପାର୍ଶ୍ଵ ଦେବାଦେବୀ,ମାତା ବସୁମତୀ

    ସଭିଙ୍କୁ ତୋଷ କରିବୁ ।


ଅଶରିରୀ ପ୍ରେତ ଭୂତ ସମାଜରେ

    ତୋର ବି ବାରଣ ନାହିଁ,

ସେମାନଙ୍କ ପାଇଁ ଅଧର ପଣାର

    ନୀତି କରିଅଛୁ ତୁହି ।


ଧନ୍ୟ ହେ ଠାକୁର ମୁଁ ହୀନ ପାମର 

    ବହୁ ନିନ୍ଦା ତୋତେ କଲି,

ତଥାପି ଭରଷା କରି ମୁଁ ରହିଲି

    ପାଦେ ଆଶ୍ରା ଦେବୁ ବୋଲି ।



Rate this content
Log in

Similar oriya poem from Abstract