ଅଡୁଆ ସୂତା
ଅଡୁଆ ସୂତା
ଅଡୁଆ ସୂତାକୁ ଯେତେ ଘାଣ୍ଟୁ ଥିବ
ସେତିକି ଅଡୁଆ ହେବ
ଶେଷରେ ଏମିତି ବିରକ୍ତି ଲାଗିବ
ହାତ ଆପେ ଫୋପାଡିବ ।
ଏମିତି ଏଇତ ମଣିଷ ଜୀବନ
ଅଡୁଆ ସୂତାରେ ବନ୍ଧା
ଧୀର ମସ୍ତିଷ୍କରେ ନ ସଜାଡ ଯେବେ
ସମ୍ପର୍କେ ଆସିବ ବାଧା ।
ଅଡୁଆ ସୂତାକୁ ସଜାଡି ଜାଣିଲେ
ସିଏ ବି ହୁଏନି ନଷ୍ଟ
ମନର ଅଡୁଆ ସୂତା ସଜାଡିଲେ
ହୃଦୟେ ଦିଏନା କଷ୍ଟ ।
ଅଡୁଆ ସୂତାର ଭିତରୁ ତାହାର
ଖିଅ ଖୋଜିବାକୁ ପଡେ
ସେଇ ଖିଅ ଯେବେ ଧରି ନିଏ ହାତ
ଆପେ ମନ ଭୟ ଛାଡେ ।
ଏଇତ ଦୁନିଆ ଜୀବନ ସଂସାର
ଅଡୁଆ ସୂତାର ପରି
ଖିଅ ଯଦି ତାର ନ ଧରି ପାରିବ
ଜୀବନେ ଯିବ ତ ହାରି ।
ଆଖିର ଆଗରେ ସୁଖର ସଂସାର
ଛାରାଖାର ହୋଇଯିବ
ମରି ମରି ନିତି ଜଳି ବଞ୍ଚୁ ଥିବ
ଆଖି ଲୁହେ ଭିଜୁ ଥିବ ।
ଅଡୁଆ ସୂତାର ଜାଲେ ଛନ୍ଦି ହେଇ
ସଂର୍ଘଷେ ବଞ୍ଚଇ ଯିଏ
ଦିନେ ନା ଦିନେ ସେ ଏଇ ଦୁନିଆରେ
ସବୁ ସୁଖ ପାଏ ସିଏ ।
ଅଡୁଆ ସୂତାଟି ଦେଖାଏ ଆମକୁ
ଜୀବନେ ଉନ୍ନତି ପଥ
ସାହସ ଓ ଧୈର୍ଯ୍ୟ ମଜବୁତ୍ କରେ
ଚଳାଏ ସଂସାର ରଥ ।