ଅଡୁଆ ସୁତା
ଅଡୁଆ ସୁତା


ଗୋଟେ କଳ୍ପିତ ଶାନ୍ତି-ପ୍ରଶାନ୍ତିର ଆବିଷ୍କାର ପଛରେ ପଡ଼ି
ଗୋଟେ ଖୁସି-ଆରାମ ମରିଚିକାର ଅନ୍ଧ ଦିଗନ୍ତରେ ଧାଇଁ ଦଉଡ଼ି
ଗୋଟେ ସୁନେଲି- ରୂପେଲି ଭବିଷ୍ୟତକୁ ଲଗେଇ ଲମ୍ବା ସିଡ଼ି
ଜୀବନ ପଥରେ ଅବିଶ୍ରାନ୍ତ ଦୌଡ
ବାଳୁତରୁ ହେଲେ ଚନ୍ତିତ ପ୍ରଉଢ
କାକ ସ୍ନାନ ଗଧ ଭୋଜନରେ ମଗ୍ନ
ଫାନ୍ଧି କାରସାଦିରେ ଟାଣୁଆ ମନ
ବୁଦ୍ଧି ବୁଢିଆଣି ଜାଲରେ ବନ୍ଧା ଛନ୍ଦା
ପଚାସରେ ଯଉବନ ଦିଶୁଛି ଚନ୍ଦା
ଟିକେ ତଳକୁ ଚାହିଁଲେ
ଅଳ୍ପ ତେରେଛି ଝାଁକିଲେ
ସବୁ ଲାଗେ ଅଡୁଆ ସ୍ଵତାର ଖେଳ
ଜୀବନ ବନ୍ଧା ପଡ଼ିଛି ଦୋ-ଛକିରେ
କରେ କଳରୋଳ
ଅସୁମାରୀ ଅଡୁଆ ସୁତାର ତାଳେ ତାଳେ
ଅଗଣିତ କଳି କଳହ କୋଳେ ମେଳେ
ଅସରନ୍ତି ଅଶାନ୍ତି ସମସ୍ୟାର ବଳେ କବଳେ
ଅସମାହିତ ଆକାଶ କୁସୁମ ମେଳେ ମେଖଳେ
ଅସମ୍ଭବ ଇଚ୍ଛା ଆକାଂକ୍ଷାର କରାଳେ ମରାଳେ
ଅବାସ୍ତବ ଜୀଗୀଷା ଜୀଜ୍ଞାସାର ଛଳେ ଛଇଳେ
ଅହେତୁକି ପରୀକ୍ଷା ନୀରିକ୍ଷାର ଅଚଳେ ଅଟଳେ
ଅବାନ୍ତର ଚିନ୍ତା ଚେତନାର ଦୋଳେ ଟୋଳେ
ଅକଳ୍ପନୀୟ ସ୍ଵର୍ଗ ନର୍କର ତୁଳନା କାଳେ
ଅବାଞ୍ଚନୀୟ ଭୋଗ ବିଳାସର ବିଭୋର ବେଳେ
ଅବର୍ଣ୍ଣନୀୟ ମୋକ୍ଷ ନିର୍ବାଣର ପାଣ୍ଡିତ୍ୟ କଳେ
ଜୀବନର ତରୀ ଆମ ଚାଲେ ଥିରୀ ଥିରୀ
ଜୀବନ ଦୀପ ଆମ ଜଳେ ଅନ୍ଧାର ଗିରୀ
ଜୀବନ ସରିତ ଆମ ଅଳିଆ କୃଶଧାରୀ
ଆଗରେ ଅନ୍ଧାର ପଥ ବହୁଦୂର
ଆଗକୁ ଅଜଣା ଅବଣା ବଂଧୁର
ଯୁଦ୍ଧ ଚାଲିଛି ସମସ୍ୟାର ଲମ୍ବା ଫର୍ଦ୍ଦ ଅଭେଦ୍ୟ ଦୁର୍ଗର
ଏକ ସମାଧାନ ପରେ ଅନେକ ଫଣା ଆଗୁସାର
ସମସ୍ତେ କହନ୍ତି
ମଣିଷ ବଡ଼ ହେଲାରେ
ବର ଓହଳ ପରି ଚେର ଦେଲାରେ
ଖେଦି ଗଲାରେ ହେକ୍ଟର ହେକ୍ଟର
ଗୁରବେ ବଦନ୍ତି
ମଣିଷ ଖ୍ୟାତ ବିଖ୍ୟାତ ହେଲାରେ
ଗଗନଶ୍ଚୁମ୍ଭି ବିଜୟ କେତନ
ଉଡେଇ ଲାରେ ଫରଫର
ମାତ୍ର ଆମେ ଜାଣୁ
ଆମ ଅନ୍ତଃକରଣ ଜାଣେ
ପ୍ରତିକ୍ଷଣେ କୁରୁକ୍ଷେତ୍ର ରଣ ଦୁନ୍ଦୁଭିର ସ୍ଵର
କର୍ତ୍ତବ୍ୟର ଗାଣ୍ଡିବ ଧରି ସବ୍ୟସାଚୀ ଧନୁର୍ଦ୍ଧର
କାହିଁ ଶ୍ରୀକୃଷ୍ଣ ପରି ସଖା ସାରଥି ବୀରବର
ବୁଝେଇ ଦେବାକୁ ଗୀତା ମହାତ୍ମ୍ୟର ଅନୁଃସ୍ଵର
କାହିଁ ରେ ଭାଇ
କାହିଁ ରେ ଭାଇ
କାହିଁ ରେ ଭାଇ
ହସ୍ତ ଯୋଡି କହୁଛି ସାଇଁ
କରପତ୍ର ଯୋଡିଛି ଗୋସେଇଁ
ପାଦ ପଙ୍କଜେ ମଥା ଲଗେଇଁ ।