ଅବୁଝା ମନ
ଅବୁଝା ମନ
ବଡ଼ ଅବୁଝା ଏ ମନ
ବାଧ୍ୟ ବାଧକତାରେ ଚାହେଁନି
ବାନ୍ଧିହୋଇ ରହିବାକୁ ।
ମୁକ୍ତ ପକ୍ଷୀ ହୋଇ ଘୂରି ବୁଲେ
ବିସ୍ତୀର୍ଣ୍ଣ ଆକାଶ ଛାତିରେ
ପୁଣି କେବେ ଧରଣୀରେ ।
କେବେ ବାନ୍ଧିହୁଏ କିଛି ସମୟ
ଅବାନ୍ତର ପ୍ରଶ୍ନବାଚୀ ଭିତରେ
କେବେ ଖୋଜିପାଏ ଉତ୍ତର ନିଜ ଭିତରେ ।
କିଛି ସ୍ବପ୍ନ ଦେଖେ ଆଖିରେ
ଭିଜେ ନିଜ କାହାଣୀ ଭିତରେ
ଆଉ କେବେ ମିଛ ବାହାନା ପଛରେ ।
କିଛି ଆଶା ସାଉଁଟେ ଅଜଣା ବାଟରେ
ଅନ୍ଧ ଦେଶ ଉହାଡରେ
ଅଭିଳାଷ ଅପରିଚିତା ପାଖରେ ।
ନିଜେ ଘୁରିବୁଲେ ଚିହ୍ନିବାକୁ ନିଜକୁ
କସ୍ତୁରୀ ଖୋଜିବା ମୃଗ ସମ
ପରିଚୟ ପାଏନି ସରିଯାଏ ଜୀବନ ।
