STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ଅବତରୀ ଆସନ୍ତି ମା' ମହାଗୌରୀ

ଅବତରୀ ଆସନ୍ତି ମା' ମହାଗୌରୀ

1 min
389


ଧରାପୃଷ୍ଠେ ଅବତରୀ ଆସନ୍ତି ମା' ମହାଗୌରୀ

ଆଶ୍ଵିନ ଶୁକ୍ଳ ପକ୍ଷ ଶୁଭ ଲଗନେ,

ଶାରଦୀୟ ଶୋଭାଶିରୀ ନେଉଥାଏ ମନୋହରୀ

ପରିବେଶ ସ୍ଵଚ୍ଛ ଥାଏ ସାରା ଭୁବନେ,

ଭକ୍ତିଭାବ ହୃଦୟେ ଭରି

ଶ୍ରଦ୍ଧାଳୁ ଭକତ କରେ ହାରି ଗୁହାରୀ।


ନବରାତ୍ର ଅଷ୍ଟମୀରେ ଶୁଭ ତିଥି ଅବସରେ

ମହାଗୌରୀ ବେଶେ ମାତା ହୁଅନ୍ତି ଉଭା,

କମନୀୟା ଶାନ୍ତା ସୌମ୍ୟା ରୂପ ଗୁଣେ ସେ ଲାବଣ୍ୟା

ସୂର୍ଯ୍ୟ ସମ ଦୀପ୍ତି କାନ୍ତି ଝଟକେ ପ୍ରଭା,

ସେ ଶ୍ଵେତ ବସ୍ତ୍ର ପରିହିତା 

ବୃଷାରୂଢ଼ା ଚତୁର୍ଭୁଜା ଜଗତଜିତା।


ସଂସାର କଲ୍ୟାଣେ ଦେବୀ ଆସିଥାନ୍ତି ଆବିର୍ଭାବି

ବେନି ଭୁଜରେ ଡମ୍ବରୁ ତ୍ରିଶୁଳ ଧରି,

ଆନ ବେନି ଭୁଜ ଥାଏ ଅଭୟ ବର ଦେବାରେ 

ଜଗତର ହିତେ ପଡ଼େ ଆଶିଷ ଝରି,

ମହାଗୌରୀ ମମତାମୟୀ

ଭରସା ରଖି ଭକତ ହୁଏ ଆଶ୍ରୟୀ।


ସେ ଅଶେଷ ଧୈର୍ଯ୍ୟ ଧରି କଠୋର ତପସ୍ୟା କରି 

କଳା ପଡ଼ିଥିଲା ତାଙ୍କ ଶରୀର ଶିରୀ,

ସନ୍ତୁଷ୍ଟ ହୋଇ ଶଙ୍କର ପତି ହୋଇଲେ ତାଙ୍କର 

ଗଙ୍ଗାସ୍ନାନେ ପୂର୍ବ ରୂପ ପାଇଲେ ଫେରି,

ମହାଗୌରୀ ନାମେ ନାମିତା 

ହୋଇ ମାତା ସାରା ବିଶ୍ଵେ ହେଲେ ବିଦିତା।


ମହାଷ୍ଟମୀ ଦିନେ ପୂଜି ଯଶ ସୁନାମ ଅରଜି

ଧରାଧାମେ ରହେ ସୁଖେ ଭକତ ଜନ,

ଶୁଭଙ୍କରୀ ମହାଗୌରୀ ଐଶ୍ୱର୍ଯ୍ୟ ଦିଅନ୍ତି ଭରି

କ୍ଳେଶ ଅପସରି ମୁକ୍ତ ରହେ ଜୀବନ,

ପବିତ୍ର ହୃଦୟେ ପ୍ରଣାମ

କରି ମିଳେ କୃପା ଧନ୍ୟ ହୁଏ ଜନମ।


   





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract