ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
ମନେପଡେ ଆଜି ଅତୀତର ସ୍ମୃତି
ଭିଜିଯାଏ ଆଖି ମୋର,
ହଜିଗଲ ତୁମେ ସ୍ବାର୍ଥ ଦୁନିଆରେ
ହୋଇ, ନିଜଠୁ ନିଜର।।
ଚାହିଁ ରହିଥାଅ ବାଟକୁ ମୋହର
ଗାଆଁ ସାଙ୍ଗ ସାଥୀ ମେଳେ,
ଦେଖା ହେଉଥିଲା ତୁମ ସାଥେ ନିତି
ପାଖ ଆମ୍ବ ଗଛମୂଳେ।।
କହୁଥିଲ କେତେ ମନକଥା ଖୋଲି
ଥିରିଥିରି କଣ୍ଠ ସ୍ୱରେ,
ଗୋଡ଼ ଆଙ୍ଗୁଠିରେ ଗାର ଟାଣୁଥିଲ
ଓଢଣୀ ଧରି ହାତରେ।।
ଲାଜରେ ମୁହଁକୁ ପୋତି ରହୁଥିଲ
କଣେଇ କଣେଇ ଚାହଁ,
ବାହାନା କରିକି ଏଣୁ ତେଣୁ କଥା
ମନଇଚ୍ଛା ଦିଅ କହି।।
ପାଖେ ଧୀରେ ଆସି ଚୁପିଚୁପି କରି
ହାତ ମୋର ଧରିନିଅ,
ଦେଖିବା ଆଗରୁ ତୁମ ସାଥି ସାଙ୍ଗ
ଚୁମା ଗୋଟେ ଦେଇଦିଅ।।
ଖିଲି ଖିଲି ହସି ସାଥି ସାଙ୍ଗ ଧରି
ତୁମେ ସେଠୁ ଚାଲିଯାଅ,
ସ୍ମିତ ହସ ମୋର ଓଠେ ଖେଳିଯାଏ
ବୁଲିବୁଲି ଚାହୁଁ ଥାଅ ।।
ହଜିଯାଏ ମୁଁ ଯେ ପ୍ରେମ ରାଇଜରେ
ତୁମକୁ ସାଥିରେ ଧରି,
ତୁମେମୋ ପ୍ରିୟସୀ ଚନ୍ଦ୍ରବଦନୀ ମୋ
ତୁମେ ମୋ ହୃଦ ସୁନ୍ଦରୀ।।
ରହିଅଛ ତୁମେ ସ୍ମୃତି ଉଆସରେ
ରହିଥିବ ଚିରଦିନ,
ଭୁଲି ଯାଅ ପଛେ ପଛ କଥା ସବୁ
ଖୁସିରହୁ ତୁମ ମନ।।

