ଅଭୁଲା ସେ ମୁହୂର୍ତ୍ତ (କାଳ୍ପନିକ )
ଅଭୁଲା ସେ ମୁହୂର୍ତ୍ତ (କାଳ୍ପନିକ )
କନକ କିରଣ ବୁଣି ଦେଉଥିଲେ ଆକାଶରେ ଅଂଶୁମାଳୀ
ବର୍ଣ୍ଣିଳ ବିଭାରେ ମେଘଖଣ୍ଡମାଳେ ଖେଳୁଥିଲେ ଲୁଚକାଳି |
ବାରିବାହ ତଳେ ଦୂର ଚକ୍ରବାଳେ ବକାଳିକା ମାଳିକାରେ
ଶୋଭାପାଉଥିଲା ଶ୍ୟାମଶୈଳ ଗଳେ ମଲ୍ଲୀହାର ପରକାରେ |
ଖରା ଛାଇର ଏ ଗୋଡ଼ିଆ ଗୋଡ଼େଇ ଖେଳ ହରିତ କେଦାରେ
କାଶତଣ୍ଡୀ ମଣ୍ଡି ନଦୀ ପଠାଧାର ସଜ୍ଜିତ ଶୋଭା ସମ୍ଭାରେ |
ନଦୀ ବାଲୁକାର କୋମଳ ଶଯ୍ୟାରେ ମୃଦୁମନ୍ଦ ପ୍ରଭଞ୍ଜନ
ଶୌକ୍ତିକ ମୌକ୍ତିକ କରେ ଚକଚକ ହରିନେଲା ତନୁ ମନ |
ସେତୁ ପରେ ରଖି ବାଇକି ଝଟତି କଲି ପଠାକୁ ଗମନ
କଣ ରହିଛି ପଠାର ମଧ୍ୟରେ କରିବାକୁ ଅନ୍ୱେଷଣ |
କାଶତଣ୍ଡୀ ଶର ସଂଗ୍ରହେ ତତ୍ପର ଜଣେ ରୂପସୀ ଲଳନା
କୁରଙ୍ଗୀ ନୟନା ସ୍ବର୍ଣ୍ଣ ଅପଘନା ସୁନ୍ଦରୀ ନବ ଯୌବନା |
ସରଗ ଅପ୍ସରୀ ରୂପରାଜ୍ୟ ପରୀ ମର୍ତ୍ତ୍ୟ ବିହରଣ ପାଇଁ
ସୁରମ୍ୟ ନିର୍ଜନ ପରିବେଶ ଦେଖି ଆସିଛି ଅବା ଓହ୍ଲାଇ |
ଅଳପ ଦୂରରେ ବାଳୁତ ଭାଇଟି ଖେଳୁଥାଏ ବାଲି ପରେ
ମୋତେ ଦେଖି ବାଳା ଅଳପ ହସିଲା ଲଜଭରା ବଦନରେ |
ଗୋଲାପୀ ଅଧରେ ଗଜମୋତି ହାସ ଖେଳାଇଲା ଶିହରଣ
ଧୀର ପଦପାତେ ମୃଦୁ ହସି କଲି ବାଳା ପାଶେ ଆଗମନ |
କଣ୍ଠ ସ୍ୱର ତାର ଆହାକି ମାଧୁର୍ଯ୍ୟ ପୀନକୁଚା ପିକ ଭାଷୀ
ଚୁର୍ଣ୍ଣିତ କୁନ୍ତଳ ସ୍ବେଦ ବିନ୍ଦୁ ଜଳ ଅନୁପମ ଶୋଭାରାଶି |
ପରିଚୟ ନେଇ ଜାଣିଲି ନିକଟ ଗ୍ରାମେ ଅବଳାର ଘର
କୈବର୍ତ୍ତ କନ୍ୟାସେ ଆସି ପିତାଦେଶେ ଭ୍ରମେ ଭ୍ରାତା ସହିତର |
ଚାରି ଚକ୍ଷୁ ଯେବେ ମିଶି ଯାଉଥିଲା ପରସ୍ପର ଆକର୍ଷିତ
ମନର ବାସନା ଚରିତାର୍ଥ ପାଇଁ ହେଉଥିଲି ଉତ୍କଣ୍ଠିତ |
ପରାଶର ମତ୍ସ୍ଯଗନ୍ଧା ପରିଣୟ କରେ ମାନସ ମନ୍ଥନ
ହୋଇ କାମାତୁର ମିଳନେ ତତ୍ପର ଗଣ୍ଡେ ଆଙ୍କିଲି ଚୁମ୍ବନ |
ନକରୁ ବାରଣ ଉଲ୍ଲସିତ ମନ ଗାଢ଼େ କଲି ଆଲିଙ୍ଗନ
ସହସା ଶୁଭିଲା ସାନଭାଇ ସ୍ୱର ବାପା ବାପା ଆବାହନ |
ହୋଇଲୁ ବିଛିନ୍ନ କଲୁ ଵିଲୋକନ ନାବବାହି ଆସେ ପିତା
ଅଳ୍ପ ଦୂରେ ରହି ବାଳାଠୁଁ ଦୂରେଇ ଭାଗ୍ୟକୁ ମଣିଲି ପିତା |
ଅଭୁଲା ସେ ସ୍ମୃତି ଅପାସୋରା ପ୍ରୀତି ରହିଛି ଏବେ ଜୀବନ୍ତ
ଦଇବ ସୁଯୋଗ ହେଲାନାହିଁ ଭୋଗ ମନେ ହୁଏ ମର୍ମାହତ |
