ଅଭିମାନିନୀ
ଅଭିମାନିନୀ
ଗୋଲାପି ପ୍ରିୟାର ଅଭିମାନ ସହି
ସିଝି ଗଲାଣି ମୋ ଦେହ
ତା ଖୁସି ପାଇଁକି ନିତି ନିତି ମରେ
ଜଳୁଥାଏ ଅହରହ ।
କିଏସେ ଜାଣିଛି କେଉଁ ଜନମରୁ
ଜୀବନ ସାଥି ସେ ମୋର
କେତେ ଝଡ ଝଞ୍ଜା ସହୁଛି ଆଜି ମୁଁ
ଛାତିକି କରି ପଥର ।
ତା କଷ୍ଟ ଲାଘବ କରିବା ପାଇଁ ମୁଁ
ଭୁଲିଯାଏ ନିଜ ବ୍ୟଥା
ସିଏ ପରା ମୋର ଚଇତି ସପନ
ଜୀବନର ପ୍ରୀତିରେଖା ।
ତା ପାଇଁ ଯତନେ ସଜାଡି ରଖିଛି
ଯେତେ ସବୁ ପ୍ରୀତି ଫୁଲ
ତା କଣ୍ଟା ଆଘାତ ସହେ ନିତି ନିତି
ତଥାପି ମୁଁ ପାଏ ଭଲ ।

