ଅଭିଳାଷ କାହିଁ ଅଭିସାର ମୋହେ
ଅଭିଳାଷ କାହିଁ ଅଭିସାର ମୋହେ
ବିକ୍ଷିପ୍ତ ଭାବନା ଶୀକ୍ତ ସାନ୍ତ୍ବନାରେ
ପୀଡ଼ିତ ସ୍ମୃତିର ଛାଇ,
ଲିପ୍ତ ମଗ୍ନତାର ସୁପ୍ତ ପରିଭାଷା
ଇତିହାସ କି ସାଜଇ ।
ଇତିର ଶୂନ୍ୟତା ଗୀତିର ଝଙ୍କାର
ନିଛାଟିଆ ଫଗୁଣରେ,
ଗୁଞ୍ଜନ ଛୁଟାଏ ତୀର୍ଯ୍ୟକ କଟାକ୍ଷ
ଭରା ଚକ୍ଷୁ ଶ୍ରାବଣରେ. ।
ଗଳିତ ଆଜି ମୁଁ ଦଳିତ ଶରଦେ
ଜଡ଼ିତେ ଶିଶିର ବିନ୍ଦୁ,
କର୍ମପଥେ ଘୋଟେ ଆବର୍ତ୍ତକ ଝଡ଼
ଆଶା ମରୀଚିକା ସିନ୍ଧୁ ।
କାଳ ବୈଶାଖିର କୃଷ୍ଣଚୁଡ଼ା ମୁଁ ଯେ
ପ୍ରଭାତି ଗଙ୍ଗଶିଉଳୀ,
କର୍ତ୍ତବ୍ୟର ମାନେ ସପନ ସଉଦା
ପଳାଶ ବନେ ମୁଁ ଅଳୀ ।
ଜୀବନ ମୋହର ଗୋଧୂଳିର ରବି
ସ୍ନେହ ସରାଗ ମୋ ରାତି,
କୁଜ୍ଝଟିକା ହୁଏ ପଥେ ମୋ ସାହାରା
ନିରବତା କରେ ପ୍ରୀତି ।
ଅଭିସାର ରଚେ ଅଭିସାରିକା ଟି
ଅଭିସାରେ ଶୂନ୍ଯ ଆଶା,
ଅଭିମାନ ବିନା ଅଭିଳାଷୀ ଟିଏ
ଆଭିଜାତ୍ୟେ ନାହିଁ ତୃଷା ।