ଆଉ କି ଲୋଡ଼ା କୁହ
ଆଉ କି ଲୋଡ଼ା କୁହ
ସୁନ୍ଦର ଏଇ ଜୀବନେ ମୋର
ଦେଇଛ ଗୋଟେ ଘର
ଘର ଭିତରେ ଚଳନ୍ତି ଦିଅଁ
ବାପା ମାଆଟି ମୋର।
ସେ ଘରେ ଛନ୍ତି ଭାଇ ଭଉଣୀ
ଅଜା ମାଆ ସେନେହ
ସୁଖ ଶାନ୍ତିରେ ହସେ ଜୀବନ
ଆଉ କି ଲୋଡ଼ା କୁହ ।
ମୁଣ୍ଡ ଉପରେ ନୀଳ ଆକାଶ
ମାଆ ଧରଣୀ ତଳେ
ବଢୁଛି ମୁହିଁ ସୁନ୍ଦର ଏଇ
ତୁମ ପ୍ରକୃତି କୋଳେ।
କେତେ ସମ୍ପର୍କ ମୋ ଚାରି ପାଖେ
ଖଞ୍ଜିଛ ଯତ୍ନ କରି
ତୁମରି ଦାନ ମଣିଷ ଜୀବନ
ଯେତେକ ସୁଖଶିରୀ।
ଋତୁଅନୁଯାୟୀ ଫଳ ମୂଳ
ଫଳାଇ ଅଛ କେତେ
ଜୀବନ ତରୀ ଭାସୁଛି ଥିରି
ସଂସାର ସାଗରେ ଏଥେ।
ବିଶ୍ୱ କାରିଗର ଢାଳେ ଚରଣେ
ଧନ୍ୟବାଦ ଅନ୍ତରୁ
ମଣିଷ ଜନ୍ମ ଦେଇ କରିଛ ଧନ୍ୟ
ହେ ପ୍ରଭୁ କଳ୍ପତରୁ।
ମଧ୍ୟାହ୍ନ ଯାଇ ଆସିବ ଥିରି
ସଞ୍ଜ ପରେ ଅନ୍ଧାର
ତୁମେଇ ଥିଲେ ମୋ ସଙ୍ଗରେ
କାହାକୁ ଡର ମୋର ।
