ଆସିଛନ୍ତି ଦୁର୍ଗା ମାଆ
ଆସିଛନ୍ତି ଦୁର୍ଗା ମାଆ
ଆସିଛକି ତୁମେ କାଶତଣ୍ଡୀଫୁଲେ
ଶ୍ୱେତ ପତାକା ଉଡାଇ,
ଆସିଛ କି ସତେ ଶେଫାଳୀ ଫୁଲରେ
ସ୍ନିଗ୍ଧ ସୌରଭ ଛୁଟାଇ l
ବୋଳିଛ କି ତୁମେ ଘନ କୃଷ୍ଣ ରଙ୍ଗ
ଅପରାଜିତାର ଅଙ୍ଗେ,
ବଧୂଲି ଫୁଲରେ ହସ ଫୁଟାଇଛ
ଅଳତାର ମଧୁ ରଙ୍ଗେ l
ଆସିଛ କି ତୁମେ ସରସୀ ଜଳରେ
ପଦ୍ମ କଇଁ ଙ୍କ ସଙ୍ଗରେ,
ଆସିଛକି ତୁମେ ମଣ୍ଡପରେ ସାଜି
ମୃଣ୍ମୟୀ ମୂର୍ତ୍ତୀ ଅଙ୍ଗରେ l
ଆସିଛ କି ମାଆ ଆଲୋକ ସଜାରେ
ବାଦ୍ୟର ତାଳେ ତାଳେ,
ଆସିଅଛ କି ମାଆ ଏଂ ହ୍ଲିଂ କ୍ଲିଂ ର
ମନ୍ତ୍ରର ଆହ୍ୱାନ ବଳେ l
ଆସିଛ କି ତୁମେ ଆରିସା କାକରା
ପିଠା ର ମିଠା ବାସରେ
ଘୃତ ଆହୁତିରେ ଦିକ ଦିକ ଜଳେ
ଲହ ଲହ ନିଆଁ ଧାସରେ l
ରାମଚନ୍ଦ୍ର ଦିନେ ପୂଜା କରିଥିଲେ
ରାବଣର ନାଶ ପାଇଁ,
ଅକାଳ ବୋଧିନୀ ଦେବୀ ରୂପେତୁମେ
ବର ଦାନ ଥିଲ ଦେଇ l
ମହିଷାର ବଳ ହୋଇଲା ପ୍ରବଳ
ଦେବତା ହେଲେ ଆତୁର,
ବିଷ୍ଣୁଙ୍କ ପାଖରେ ଗୁହାରୀ କରିଲେ
କରିବାକୁ ପ୍ରତିକାର l
ବିଷ୍ଣୁ ପରାମର୍ଶେ ସବୁ ଦିଅଁ ମିଶି
ଦେଇ ନିଜ ନିଜ ତେଜ,
ଅଗ୍ନିରୁତୁମକୁ ଆବିର୍ଭାବ କଲେ
ମାରିବାକୁ ସେ ଦନୁଜ l
ନିଜ ନିଜ ଅସ୍ତ୍ର ଦାନ କରିଥିଲେ
ଦଶ ଭୁଜରେ ଧରିଲ,
ପରାକ୍ରମୀ ଶୁମ୍ଭ ନିଶୁମ୍ଭ ମହିଷା
ଆଦିକୁ ବଧ କରିଲ l
ଶାନ୍ତି ପ୍ରତିଷ୍ଠା କରିଥିଲ ତୁମେ
ସେତେବେଳେ ଧରା ତଳେ,
ଏବେ ଆସ ମାତ ମରତ ଭୁବନେ
କଳିର ପ୍ରତାପ ବେଳେ l
ଆସିଛ କି ତେଣୁ ଦନୁଜ ଦଳିନୀ
ଏହି ମର୍ତ୍ତ୍ୟ ଭୁବନକୁ,
କେତେ ପାପୀ ତାପୀ ଭରିଯାଇଛନ୍ତି
ଦିଅ ମା' ସୁଧାରି ତାଙ୍କୁ l
ତୁମ ବିନା ଆଉ କିଏ ଅଛି ମାତ
ଦେବାକୁ ନରେ ଅଭୟ,
ପାପୀ ଙ୍କୁ ବିନାଶି ପୁଣ୍ୟସ୍ଥାପନାକୁ
କରିବାକୁ ସୁନିଶ୍ଚୟ l
