ଆସ ସ୍ୱପ୍ନ ଦେଖିବା
ଆସ ସ୍ୱପ୍ନ ଦେଖିବା
ସପନ ଅଟଇ ଚିର ସବୁଜ
ସୁନ୍ଦରୀ ପ୍ରେମିକାଟିଏ
ଦେଖାଏ ସେ କେବେ ମରୁଝର ପୁଣି
କେବେ ମରୀଚିକାଟିଏ ||
କେବେ ଦେଖାଏ ସେ ଆଶାର ଆଲୋକ
ଶାନ୍ତ କାନ୍ତ ଜହ୍ନଟିଏ
କେବେ ଦେଖାଏ ସେ ଅମା ଅନ୍ଧକାରେ
ମିଞ୍ଜିମିଞ୍ଜି ତାରାଟିଏ||
ଭଲପାଏ ଯିଏ ଦେଖିବାକୁ ସ୍ୱପ୍ନ
ରାତି ଛୋଟ ହୋଇଯାଏ
ସପନର ରୂପ ବଇଭବ ଦେଖୁ
ଦେଖୁ ରାତି ସରିଯାଏ ||
ଯିଏ ସପନକୁ ସାକାର କରିଣ
ସଫଳ ହେବାକୁ ଚାହେଁ
ଅଧ୍ୟବସାୟ ଓ ନିଷ୍ଠାପରତାର
ସହକାରେ କରିଥାଏ ||•
ସପନ ସାକାର ପ୍ରଚେଷ୍ଟାରେ ତାର
ଦିନ ବି ଛୋଟ ହୁଅଇ
ଦିବସ ରଜନୀ ଏକ କରି ତାକୁ
ଖଟିବାକୁ ହୁଏ ଭାଇ ||
ଦୃଢ ମନୋବଳେ ସପନ ପଛରେ
ଭଲପାଇ ଯିଏ ଧାଏଁ
ସପନ ତାହାର ପୂରା କରିବାରେ
ଦିନ ଛୋଟ ହୋଇଯାଏ||
ସପନ ଦେଖିବା ଆରମ୍ଭ କରିଲେ
ରାତି ଛୋଟ ମନେ ହୁଏ
ପୂରା କରିବାକୁ ଭଲ ପାଇଗଲେ
ଦିନ ଛୋଟ ମନେ ହୁଏ ||
ଯେ ସ୍ୱପ୍ନ ନାୟିକା ନିଦ୍ରାରେ ଆସିଣ
ସୁଖ ଦିଏ କ୍ଷଣ ପାଇଁ
ନିଦ ଭାଙ୍ଗିଗଲେ ସତ୍ତା ହରାଇ ସେ
କୁଆଡେ ଯାଏ ଉଭେଇ ||
ସଚେତନେ ଆସେ ଯେ ସ୍ୱପ୍ନ ନାୟିକା
ନିଦକୁ ନିଏ ଚୋରାଇ
ଦିନ ଶେଷ ହୋଇ ରାତ୍ରୀ ଆସିଯାଏ
ରଜନୀ ବି ଯାଏ ପାହି ||
ଚକ୍ଷୁର ପଲକ ପଡେ ନାହିଁ ଜମା
ତାର ପାଶେ ଥାଏ ମତି
ଦିବସ ରଜନୀ ପ୍ରାପତ ନିଶାରେ
ସାଧନାରେ ଯାଏ ବିତି ||
ସେ ସ୍ୱପ୍ନ ନାୟିକା ହୁଏ କରାୟତ୍ତ
କଠୋର ସାଧନା ଶେଷେ
ମନ ଓ ପ୍ରାଣକୁ ଢାଳି ଦିଏ ସିଏ
ଲୋଟିକୋଳେ ମଧୁ ହାସେ ||
ମହର୍ଷି ବାଲ୍ମିକୀ ସପନ ବିଳାସେ
ଦେଖିଲେ ଆଗ୍ନେୟ ଅସ୍ତ୍ର
ଆଜିର ବିଜ୍ଞାନୀ ସେହି ସ୍ୱପ୍ନ ବୁଝି
ଗଢେ ଅଗ୍ନି କ୍ଷେପଣାସ୍ତ୍ର ||
ସଚେତନେ ଥାଇ ଲଙ୍କାପତିଙ୍କର
ପୁଷ୍ପକ ବିମାନ ସ୍ୱପ୍ନ
ଦେଖିଣ ବିଜ୍ଞାନୀ ଚେଷ୍ଟା କରି ଶେଷେ
ଗଢିଅଛି ବ୍ୟୋମଜାନ ||
ଯେ ସ୍ୱପ୍ନ ନାୟିକା ଅନିନ୍ଦ୍ୟ ରୂପସୀ
ସ୍ୱପ୍ନ ଦେଖ ଚେଇଁ କରି
ତାହାର ପଛରେ ପଡି ଯାଅ ତୁମେ
ଦିନ ରାତି ଏକ କରି ||
ଜ୍ଞାନ ବିଜ୍ଞାନର କ୍ଷେତ୍ରରେ ନବୀନ
ରୂପସୀ ନାୟିକା ସ୍ୱପ୍ନ
ଦେଖିଣ ସକଳେ ପ୍ରଚେଷ୍ଟା ବଳରେ
କର ନୂଆ ଉଦ୍ଭାବନ ||
ସେ ଲାବଣ୍ୟ ବତୀ ସ୍ୱପ୍ନ ନାୟିକାର
ପାଦରେ ପାଦ ମିଶାଇ
ରମ୍ୟ ରସେ ଭିଜି ଅଦମ୍ୟ ଆବେଗେ
ନାଚି ଚାଲ ଥେଇ ଥେଇ ||
ସେ ସପନ ଦିନେ ସତ୍ୟ ହୋଇଯିବ
ସେତିକି ଭଲ ପାଇଲେ
ରଜନୀ ବି କ୍ଷୁଦ୍ର ଦିବସ ବି କ୍ଷୁଦ୍ର
ହେଲେ ପାଇବା ନିଶାରେ ||
ଆସ ଭାଇ ମୋର ଆସ ମୋ ଭଉଣୀ
ଆସ ଦେଖିବା ସପନ
ନିଦ୍ରା କୋଳେ ନୁହେଁ ଥାଇ ସଚେତନ
ଆସ ଦେଖିବା ସପନ ||
ଦିବସ ରଜନୀ ଏକ କରିଦେବା
ସ୍ୱପ୍ନ ପଛେ ଧାଇଁ ଧାଇଁ
ଦୃଢ ମନୋରଥେ ଆତ୍ମବିଶ୍ୱାସରେ
ପ୍ରଚେଷ୍ଟାରେ ବ୍ରତୀ ରହି ||
ଦେଖିଣ ସପନ କରି ଉଦ୍ଭାବନ
ସାର୍ଥକ କରି ଜୀବନ
ବିଶ୍ୱ କଲ୍ୟାଣରେ ବିଶ୍ୱ ପ୍ରଗତିରେ
ଜୀବନ କରିବା ଧନ୍ୟ ||
