STORYMIRROR

LALIT MOHAN DASH

Classics Fantasy Inspirational

4  

LALIT MOHAN DASH

Classics Fantasy Inspirational

ଆସ ଆଜି ଆମେ ଖେଳିବା ହୋଲି

ଆସ ଆଜି ଆମେ ଖେଳିବା ହୋଲି

1 min
232

ମଧୁ ମାଧବରେ ଧୀର ସମୀରଣେ

       ଚଇତି ମଳୟ ସଂଗେ ବିରାଜି

ପୀରତି ସୁଆଗ ମନରେ ନେଇ

       ଧରଣୀ ମା'ର ରୂପ ସଜାଇ 

    ପ୍ରୀତି ରିତି ପିୟୁଷରେ ।

ବଳେ ବାଣ୍ଟୁ ଥାଏ ବଳେଇ ବଳେଇ

         ପେଶି ଦୂତ ମଳୟରେ

   

ଚଳ ଚଞ୍ଚଳରେ ଚୋରା ମରୂତ

       ଲୁଚି ବାଣ୍ଟୁ ବାଣ୍ଟୁ ପ୍ରୀତି ଅମୃତ

ଚଟକେ କେ ବାଳା ବସନ ତଳେ

    ଝଅଟେ ଝଟକି ସଖୀଙ୍କ ମେଳେ

      ବାଉଳା ଚାଉଳା ହୋଇ ,

ଧୀରେ ଖସିଯାଏ କାହାର ଓଢଣୀ

       କା ବେଣୀ ହଲାଇ ଦେଇ ।

       

ନିଜ କରମରେ ସରମ ପାଇ 

      ଅଧିରେ ଅସ୍ଥିରେ ଯାଏ ପଳାଇ

ପ୍ରୀତି ଲତାନ୍ତରେ ହଲି ଚହଲି

       ଝର ଝର ହୋଇ ଝରଇ ଖାଲି

        ସେ ପ୍ରୀତି ପିୟୁସର ରସ

ଲତାୟିତ କରେ ବିଲ ବନ ଗାଁ

            ନଈ ନାଳ ଦୁବଘାସ


ସେ ରସ ପରଶେ ନିରସ ଅଙ୍ଗେ

       ରସ ଭରି ଯାଏ ଅପୂର୍ବ ରଙ୍ଗେ

ମୂକ କଣ୍ଠେ ବାଣୀ ହସଇ ଫୁଟି

     ଉଠଇ ମଉଳା ଫୁଲ ଚହଟି

       ଭ୍ରମର  ଭ୍ରମଇ ଭୋଳେ 

ରୂପସୀଙ୍କ ମେଳେ ନାଟ କରୁଥାଏ

         ପଡି ଉଠି ତାଳେ ତାଳେ ।


ଘନ ପଲ୍ଲବର ଫାଙ୍କରେ କଳୀ

      ଅଳପ ଲପିତ ଲପନ ଖୋଲି

 ମୃଦୁ ମନ୍ଦ ହାସ୍ୟେ କଟାକ୍ଷେ ଦେଖି 

       ମଧୁକ୍ଷରି ସଂଗେ ନାଚି ନାଚିକି

      ଡାକୁ  ଥାଏ ନିଜ ପାସ

ଶୋଷିନିଅ ମୋର ମୁକୁଳା ଛାତିରୁ

        ପ୍ରୀତି  ପିୟୁସର  ରସ ।


  ବିପଞ୍ଚିରୁ ସୁର ତୋଳି ସେ ଧୀରେ

   ପଞ୍ଚମ ରାଗିଣୀ ତା କଣ୍ଠ ସୁରେ

କୁହୁ କୁହୁ ବୋଲେ ପଞ୍ଚମ ତାନେ

      ଗାଏ କି ମିଳନ ଗୀତି ମଧୁରେ,   

      ବାଜେ  ମଧୁ ମିଳନର ତୁରୀ,

 ଝିଙ୍କାରି ଝିଙ୍କାରେ ମଧୁରେ ମଧୁରେ

         ତାଳ ମାନ ଲୟ ଧରି ।


କଳପନା ନେତ୍ରେ ମୁଁ ଛାର କବି

       ଦେଖୁଛି ଆଜିସେ ଅପୂର୍ବ ଛବି

ପ୍ରକୃତିର ଶୋଭା ଅପୂର୍ବ ଠାଣି

      ବୃନ୍ଦାବନେ ଦିନେ ମୂରଲୀ ପାଣି 

      ସାଥିରେ ରାଇ କିଶୋରୀ

ଗୋପି ଗୋପାଳଙ୍କ ସଂଗେ ଖେଳୁଥିଲେ

     ଆଜି ଦିନେ ରଂଗ ହୋରି ।


ଆସ ପ୍ରିୟେ ଆଜି ଖେଳିବା ହୋରି

       ରଂଗ ପିଚିକାରୀ ଅବିର ମାରି

ହୋରି ଖେଳୁଛନ୍ତି ଗୋପାଙ୍ଗନା ମେଳେ

 ବୃନ୍ଦା ବିପିନରେ ବିନୋଦିନୀ ସଂଗେ 

        ନିକୁଞ୍ଜେ କୁଞ୍ଜ ବିହାରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics