ଆପଣା ପର
ଆପଣା ପର
ଆସନ୍ତାକାଲିକୁ କିଏ ବା ଦେଖିଛି
ଆଜିର ସମୟ ଅତି ନିଜର ,
ସମୟ ଠୁ ବଳି ଖୁସିର ମୁହୂର୍ତ୍ତ
ଜୀବନ ପାଇଁ ତ ଅତି ମଧୁର ।
ମଣିଷ ତ ଚାହେଁ ବଞ୍ଚି ରହିବାକୁ
ଅପ୍ରାପ୍ତ ମୃତ୍ୟୁକୁ କିଏ ବା ଚାହେଁ
ନିଜମାନେ ଯେବେ ଶତୃ ହୋଇଥାନ୍ତି
ପରକୁ ଆପଣା କରି ସେ ନିଏ ।
କିଏ ପର ଅବା କିଏ ଯେ ନିଜର
ନାହିଁ ତା'ର କିଛି ପରିମାପକ ,
ସହାନୁଭୂତିର ହାତ ଯେ ବଢାଏ
କେଉଁ ଜନମର ଥାଏ ସମ୍ପର୍କ ।
ହଜି ଯାଇଥିବା ସପନ ଗୁଡ଼ିକ
ସେଇଠି ସତର ସ୍ୱରୂପ ପାଏ,
ସେଇ ଭାବନାର ସଫଳତା ପାଇଁ
ପର ସାହଚର୍ଯ୍ୟ ପାଥେୟ ହୁଏ ।
ଗୋପନ ଯାତନା ଅତୀବ ନିଷ୍ଠୁର
ଭିତରେ ଭିତରେ ଦହନ କରେ
କହି ପାରିବନି, ସହି ପାରିବନି
ମଲାଜହ୍ନ କରି ମାରେ ଅଚିରେ ।
ସେହି ସମୟର ବୈଶାଖୀ ବେଳାରେ
ପର ସମ୍ପର୍କଟି ଫଗୁଣ ହୁଏ
ଆତ୍ମୀୟ ଭାବର ମଳୟ ପବନ
ଅଜଣା ଭାବରେ ମନକୁ ଛୁଏଁ ।
କରିବାକୁ ଯାହା ନିଜର ପାରେନା
ପରମାନେ ତାହା କରି ଦିଅନ୍ତି
ସେଇଥିପାଇଁ ତ ପର ବି ନିଜର
ରକ୍ତ ସମ୍ପର୍କକୁ ପଛେ ପକାନ୍ତି ।
ଭଙ୍ଗା ଅତୀତଟି ଜୀବନ୍ୟାସ ପାଏ
ପର ସମ୍ପର୍କକୁ କରି ମାଧ୍ୟମ
ନିୟତି ଇଚ୍ଛାରେ ସବୁ ଘଟିଥାଏ
ଦୁର୍ଗମ ପଥ ବି ହୁଏ ସୁଗମ ।