ଆମେରେ ମଣିଷ ଜାତି
ଆମେରେ ମଣିଷ ଜାତି
ଆଜି ପରି ଖୁସି ସେହିଦିନ ଯଦି
ହୋଇ ଯାଇଥାନ୍ତେ ଆମେ
ଲୁଚିଛପି କରି ଆସିବାକୁ ମୋଟେ
ହୋଇ କି ଥାଆନ୍ତା ଧାମେ ।
କାହାର କି ଭାଗ୍ଯ ଏହି ସଂସାରରେ
ଲେଖେ ବିହି କପାଳରେ
କେବେ କାନ୍ଦ କେବେ ହସର ଜୁଆର
ଖେଳାନ୍ତି ନୟନ ଧାରେ।
ଯାହା ହୁଏ ଭଲ ହୁଅଇ ନିଶ୍ଚୟ
ସତେ ଈଶ୍ବରଙ୍କ ଲୀଳା
ପାପର ଭିତରେ ପୂଣ୍ଯ ବିରାଜିତ
ଏହା ହିଁ ସଂସାରେ ଖେଳା।
ନୂଆନୂଆ ଯଦି ରାଗ ଆଉ ହିଂସା
ହୃଦୟରେ ବିରାଜିତ
ପୁରୁଣା ହେବାରୁ ସବୁ ହିଁ ତ ଭଟ୍ଟା
ଏବେ ହୋଇଯାନ୍ତୁ ମିତ।
ପୋଡି଼ ଜଳିଯାଉ ରାଗ ଆଉ ହିଂସା
ଉଦ୍ଭାସିତ ହେଉ ପ୍ରେମ
ସମୁଦ୍ର ତରଙ୍ଗ ପରିକା ହୃଦୟେ
ଖେଳିଯାଉ ଶୁଭକର୍ମ।
ପ୍ରତି ହୃଦୟରେ ଫୁଟିଉଠୁ ସଦା
ଆକାଶର ତାରା ପରି
କଣ୍ଟା ହୋଇଯାଉ ଫୁଲର ବିଛଣା
ସଭିଏଁ ହୁଅନ୍ତୁ ଝୁରି।
କାଳରାତ୍ରୀ ହେଉ ପୂର୍ଣ୍ଣିମାର ଚାନ୍ଦ
ପ୍ରେମର ଫଲଗୁ ଆଣି
ହୃଦ କନ୍ଦରରେ ମାନବିକତାକୁ
ଆଣି ଦେଇଯାଉ ବୁଣି।
ତୁଚ୍ଛ ହୋଇଯାଉ ଜାତି ଧର୍ମ ବର୍ଣ୍ଣ
ଆମେରେ ମଣିଷ ଖାଲି
ପ୍ରତ୍ଯେକ ଦେହରେ ସେଇ ଏକା ରକ୍ତ
ଦେଖିନିଅ ମନଖୋଲି।
ହିନ୍ଦୁ ମୁସଲମାନ ଅବା ଖ୍ରୀଷ୍ଟିୟାନ
ସଭିଙ୍କ ଜୀବନ ଅଛି
ଶିଶୁରୁ କିଶୋର ଯୁବକ ଓ ପ୍ରୌଢ଼
ବାର୍ଦ୍ଧକ୍ଯ ଆଣେ ବି ବାଛି।
କେତେଦିନ ଆଉ ବଞ୍ଚିବା କୁହତ
ପ୍ରେମ ସଦା କରୁଥିବା
ଜାତି ଧର୍ମ ବର୍ଣ୍ଣ ଭାବିକି ମର୍ତ୍ତ୍ଯରେ
କିଆଁ ଭାଉ ଦେଖାଇବା ।