ଆମେ କରୁଅଛୁ ଆମ ଶାସନ
ଆମେ କରୁଅଛୁ ଆମ ଶାସନ
ଆମରି ଏ ଦେଶ ଅଟେ ଭାରତ
ଯଶ କୀର୍ତ୍ତୀ‐ଯାର ଅଟେ ଅଶେଶ ।
ସୁପ୍ରାଚୀନ ତମ ଗୌରବ ‐ମୟୀ
ଜ୍ଞାନ‐ବିଜ୍ଞାନ ର ବିଭା କୁ ବହି ।
ନବୀନ ଚେତନା ତୁଙ୍ଗ ରହସ୍ଯ
ଧରି ଶୋଭୁ ଅଛି ଆମରି ଦେଶ ।
ଆମେ ଏବେ ହୋଇ ଅଛୁ ସ୍ବାଧୀନ
ନିଜେ କରୁ ନିଜ ଦେଶ ଶାସନ ।
ଭୋଟ ଅଧିକାର ଅଛି ଯାହାର
ଭୋଗ ଅବାଧରେ କରେ ନୋଟର ।
ଭୋଟ ଦେଇ ଆମେ ବାଛୁଛୁ ନେତା
ପଞ୍ଚୁ, ଏମେଲେ ,ମନ୍ତ୍ରୀ, ଏମ୍ପି, କଥା ।
କହନ୍ତି ଆମର ସଭାରେ ଯାଇ
ବିଧାନ ଗଢନ୍ତି ସେହି ମାନେହିଁ ।
ପାଲିଆ ମେଣ୍ଟାରୀ ଶାସନ ଆମ
ପ୍ରଧାନ ମନ୍ତିରୀ କରନ୍ତି କାମ ।
ଦେଶ ପାଇଁ ହୁଏ ନାନା ଯୋଜନା
ଦେଶ ସେବା ପାଇଁ ସମାଲୋଚନା ।
କରାହୁଏ ନେତା ‐ମନ୍ତ୍ରୀଙ୍କ କାମ
ନେତା କାମ କଲେ ଦଳ ସୁନାମ ।
ଇନ୍ଦିରା‐ଆବାସ ,ଭାତିଆ ଟଙ୍କା
କଣ୍ଟ୍ରୋଲ‐ ଚାଉଳ ହୁଅଇ ବଣ୍ଟା ।
ନେଇ ଆଣି ଥୋଇ ପାରିଲେ ଯାଇ
ଚୋରୀ ‐ବିଦ୍ଯା ସବୁ ଭଲ ଲାଗଇ ।
ଟଙ୍କା ଲାଗି କରି ଟାଉଟରୀ କାମ
ଦିଆଯାଏ ତାକୁ ନୌକରୀ ନାମ ।
ଅଗା‐ବଗା‐ଖଗା‐ ହାତେ ଶାସନ
ଭାର ଦେଇ ଆମେ ଅଟୁଁ ସ୍ବାଧୀନ ।
ଆମେ କରୁଅଛୁ ଆମ ଶାସନ
ଦେଇ ପାରେ ଯିଏ ଭଲ ଭାଷଣ ।
ନେତା ଭାବେ ତାକୁ ନିରିବାଚନ
କରୁ ଭୋଟ ଦେଇ ଆମ ଶାସନ ।
ପାଇଁ ତା' କର ରେ ଦେଶର ଭାର
ଦେଇ ନେତା ବାଛି ଆମ ନାଅଆର ।
ମଙ୍ଗୁଆଳ କରି ତାହାକୁ ଗଢୁ
ଖୁଆଉ ତାହାକୁ ଦିଲ୍ଲୀକା ଲଡୁ ।
ପାଞ୍ଚ ବର୍ଷେ ଥରେ ନିରିବାଚନ
ଜିଣନ୍ତି ତହିଁରେ ଶାସକ ଗଣ ।
ବିଧାନିଆ ସାଜି ରାଜଧାନୀରେ
ବସି ସେ ଶାସନ୍ତି ଆମ୍ଭଙ୍କୁ ଧୀରେ ।
ପାଷଣ୍ତ ଜନଙ୍କୁ ଦ୍ଯନ୍ତି ଅଭୟ
ବୋଲନ୍ତି ରେ ମତ ଆମ୍ଭଙ୍କୁ ଦିଅ ।
ଦାଦା ଦାଗୀ ଙ୍କୁ ସେ ପୋଷି ଥାଆନ୍ତି
ଅର୍ଦ୍ଧ‐ରାତ୍ରୀରେ ଧନ ରତନ ଦ୍ଯନ୍ତି ।
ମାମୁଁଙ୍କୁ ଲଗାଇ ଜନେ ଡରାନ୍ତି
ଖୁଆଡରେ ଖୁନ୍ଦି ଖାସି ଖୁଆନ୍ତି ।
ଶୁଖୁଆ ଖିଆ କୁ ଖାସି ସୁଆଦ
ଚଖାଇବା ପରି ତାହାଙ୍କୁ ଗଦ ।
ଶୁଂଘାଇ କରନ୍ତି ନିଜ ଅଧିନ
ବସିଲେ ଯାଇକି ସିଂହ ଆସନ ।
ଶାସକ ଦଳିଆ ଦେଶ ଶାସନ
ସବୁଦିନ କରି ଥାନ୍ତି ଏସନ ।
କଉଶଳ ଆଉ ଉପାୟ କରି
ବିରୋଧ କରିଲେ ଖୁଆଡେ ଭରି ।
ଖୁଆନ୍ତି ଆମକୁ ପଲାଉ ଖାସି
ଭୋଟ ନେବା ପାଇଁ କରନ୍ତି ଖୁସି ।
ଶାସନ ପାଇଁ କି ଶିକ୍ଷା‐ଯୋଗ୍ଯତା
କିଛି ନାହିଁ ଯେ ଖାଲି ହେଲେ ନେତା ।
ଶାସିବୁ ଦେଶକୁ ଆପଣା କରେ
ଦକ୍ଷ ଯେଉଁ ମାନେ ମାଡ‐ପିଟରେ ।
ଓସ୍ତାଦ ଯେ କଳି‐ମାଡ‐ଗୋଳ ଦଙ୍ଗା
ପିଟି ପାରେ ଲୋକଙ୍କୁ ଧରି ଠେଙ୍ଗା ।
ତୁଳସୀ ପତରୁ ବାସିବା ପରି
ଶାସକ ମାନଙ୍କୁ ହୁଅଇ ବାରି ।
ଆମେ କରୁ ଅଛୁ ଆମ ଶାସନ
ଆମରି ଭାରତ ଅଟେ ମହାନ ।

