ଆମେ ବି ଗଢିବୁ ଦେଶଟିଏ
ଆମେ ବି ଗଢିବୁ ଦେଶଟିଏ
ଆଜି ଆମେ ସବୁ ଅଛନ୍ତିରେ ଶିଶୁ
କାଲିକୁ ଯେ ବଡ ହେବା
ମାଆର ମମତା ସ୍ନେହ ଆଦରକୁ
କେବେ ହେଲେ ନ ଭୁଲିବା ।
ଜନନୀ ଜନ୍ମଭୂମି ଓ ମାତୃଭାଷା
ଶିଖାଇବ ସବୁ କଥା
ଭଲ ପାଠ ଭଲ ସଂସ୍କାର ସଂସ୍କୃତି
ଟେକ କରିବରେ ମଥା ।
କୁନି ବିଶ୍ଵକର୍ମା ସାଜିଣ ଆମେରେ
ଗଢ଼ିବା ନୂଆ ଭାରତ
ବିଶ୍ୱବାସୀ ଆମ କାର୍ଯ୍ୟକ୍ରମ ଦେଖି
ହୋଇ ଯିବେରେ ଚକିତ ।
ଛୋଟ ଅଗ୍ନିଶିଖା ଯେପରି ଜଗତେ
ବିସ୍ତାର କରି ପାରଇ
କୁନି ପ୍ରତିଭାକୁ ବିଶ୍ୱ ଦରବାରେ
ସ୍ଥାପନା କରିବା ଭାଇ ।
ଛୋଟ ଜଳ ବିନ୍ଦୁ ହୋଇ ଆମେ
ମହାସିନ୍ଧୁ ଟିଏ ଯିବା ହୋଇ
ଆଜି ଯେ ଆମକୁ ଛୋଟ ଭାବୁଛନ୍ତି
କାଲି କରିବେ ବିଜୟୀ ।
ଏକ ଏକ ଫୁଲେ ଯେଉଁ ପରି ଏକ
ମାଳା ହୁଅଇ ପ୍ରସ୍ତୁତ
ଏକ ଦିବ୍ୟ ମାଳା ହୋଇ ଯେ ବିଶ୍ୱକୁ
କରି ଦେବା ସୁରଭିତ ।
ଧରମା ବାଜିକୁ ଆଦର୍ଶ କରିବା
ଶତ୍ରୁକୁ ହତ କରିବା
ପାହାଡ ଚଢି ଓ ବନ୍ଧୁକ ଧରିଣ
ରକ୍ଷା ପ୍ରହରୀ ସାଜିବା ।
ଡାକ୍ତର ବୈଜ୍ଞାନିକ ଓ ଅଧ୍ୟାପକ
ଦେଶ ମାତୃକାର ସେବା
ମାନବ ସେବାକୁ ମାଧବଙ୍କ ସେବା
ଜ୍ଞାନ ଆମେ ଆଚରିବା ।
ଆମରି ଭିତରେ ସୁପ୍ତ ସିଂହ ଅଛି
କରିବା ତାକୁ ଜାଗ୍ରତ
ଅଜ୍ଞାନ ଅଶିକ୍ଷା ଅନ୍ଧ ବିଶ୍ୱାସକୁ
କରିବାରେ ଦୂରୀଭୂତ ।
ସତ୍ୟ ଶାନ୍ତି ଦୟା କ୍ଷମା ଓ ନମ୍ରତା
ହେବ ଆମର ଭୁଷଣ
ଅନ୍ୟାୟ ଅନୀତି ବିରୁଦ୍ଧରେ ସ୍ୱର
କରିବାରେ ଉତ୍ତୋଳନ ।
ଧ୍ଵଂସ ହେଉଅଛି ଆମ ପରିବେଶ
ବଢୁଅଛି ପ୍ରଦୂଷଣ
ଲଗାଇବା ଗଛ ରହିବାରେ ସ୍ୱଚ୍ଛ
ସ୍ୱଚ୍ଛ ଭାରତ ଗଢ଼ିଣ ।
କମ୍ପ୍ୟୁଟର ଯୁଗ ପିଲା ଆମେ ନୂଆ
ଉଦ୍ଭାବନ ଆବିଷ୍କାର
ଦେଶରେ ଶିଳ୍ପ କାରଖାନା ବସାଇ
ଅଭାବ କରିବା ଦୂର ।
ଆମ ଭାଇମାନେ ବିଦେଶକୁ କେହି
ଯିବେନି ଦାଦନ ଖଟି
ନୂଆ ଇତିହାସ ରଚିବାରେ ଆମେ
ସର୍ବେ ରହିଲେ ଏକାଠି ।
