STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆମ ନୂଆ ରାଜଧାନୀ

ଆମ ନୂଆ ରାଜଧାନୀ

2 mins
254

        ଆମ ନୂଆ ରାଜଧାନୀ
     ==============
ଯହିଁ ବିରାଜିତ ସ୍ୱର୍ଗରାଜ୍ୟୁ ଚ୍ୟୁତ
     ଦେବ ବିହାର କାନନ l
କେନ୍ଦ୍ରେ ଉଚ୍ଚୈଶ୍ରବା ପୁଣି ବିରାଜିତ
      ସ୍ଵୟଂଭୂ ଶ୍ରୀପଞ୍ଚାନନ ll
ଭୁବନେ ସୁନ୍ଦର ନଗର ବିଖ୍ୟାତ
      ନଗର ମଧ୍ୟରେ ରାଣୀ l
ଭୁବନେଶ୍ୱର ସେ ଏକାମ୍ର ନଗରୀ
      ଆମ ନୂଆ ରାଜଧାନୀ ll
ଆଜି ଦିବସରେ ମନେ ପଡ଼ିଯାଏ
        ଅକ୍ଷୟ ଉଦ୍ଦାମ ଗୀତ l
ଯେ ଗୀତ ବତାଏ ନୂଆ ରାଜଧାନୀ
       ବର୍ତ୍ତମାନ ଓ ଅତୀତ ll
ଆଗେ ଥିଲା ବାଘ ଭାଲୁ ଭରା ଏହି
         ଅଗନା ଅଗନି ବନ l
ଦେଏଖେ ସୁକୁଟା ବୋଉଲୋ ବିଞ୍ଚୁଣି
       ନଳ ବୁଲେ ଘନ ଘନ ll
ପ୍ରାଚୀନ କାଳର ଅଧ୍ୟାତ୍ମ ନଗରୀ
       ନାମ ତ୍ରିଭୁବନେଶ୍ୱର l
ଲିଙ୍ଗରାଜ ହେତୁ ବିଖ୍ୟାତ ଜଗତେ
      ଏବେ ଏ ଭୁବନେଶ୍ୱର ll
ଅପୂର୍ଵ ତୋରଣ ମୁକ୍ତେଶ୍ଵର ଠାରେ
       ସଭିଙ୍କୁ କରେ ସ୍ୱାଗତ l
ମନ୍ଦିର ମାଳିନୀ ନଗର ନାମରେ
     ବିଶ୍ୱ ଦରବାରେ ଖ୍ୟାତ ll
ଆଶୀର୍ବାଦ ଯାଚି ଦେଉଛନ୍ତି ଏଠି
       ପ୍ରଭୁ ଶ୍ରୀଭାସ୍କରେଶ୍ୱର l
ରାମ ରୂପେ ଶିବ ଶିରି ରାମେଶ୍ୱର
       ଆବର କପିଳେଶ୍ୱର ll
ଏକାମ୍ର କ୍ଷେତ୍ରରେ ଠାବେ ଠାବେ
  ରାଜେ ଅପୂର୍ଵ କଳା କୀରତି l
କଳାର ଦେଶ ଏ ଉତ୍କଳ ଆମର
       ଉତ୍କଳ ଶିଳ୍ପୀଙ୍କ କୃତି ll
ଏ ମାଟି ବିଖ୍ୟାତ ଅଶୋକା ଅଷ୍ଟମୀ
      ରୁକୁଣା ରଥ ଯାତରା l
ବିନ୍ଦୁସର କୁଳେ ଶ୍ରୀ ଅନନ୍ତ ଶାୟୀ
       ଦିଅନ୍ତି ଦିବ୍ୟ ଇସାରା ll
ରାଜାରାଣୀ ପ୍ରେମ ମନ୍ଦିର ଦର୍ଶନେ
         ଆନନ୍ଦ ହୁଅଇ ଚିତ୍ତ l
କେଦାର ଗୋଉରୀ ବତାଏ ଆମ୍ଭକୁ
      ପ୍ରେମର ମହା ସଙ୍ଗୀତ ll
କଳିଙ୍ଗ ଯୁଦ୍ଧର ବିଭୀଷିକା ସାକ୍ଷୀ
        ଆମ୍ଭ ଧଉଳି ପାହାଡ଼ l
ଚଣ୍ଡାଶୋକ ଯହିଁ ଧର୍ମାଶୋକ ହେଲେ
      ତେଜି ତରବାରୀ ଦାଢ଼ ll
ଖଣ୍ଡ ଗିରି ପୁଣି ଉଦୟ ଗିରି ଏ
     ଅପୂର୍ବ ତା କିର୍ତ୍ତୀ ରାଶି l
ଜୀନାସନ ଯହିଁ ଉଦ୍ଘୋଷଣା କରେ   
   ଖାରବେଳ କୀର୍ତ୍ତି ଘୋଷି ll
ଆମ ନୂଆ ରାଜଧାନୀ ଏବେ ଜଣା
      ବିଶ୍ୱରେ ବିଦ୍ୟା ନଗରୀ l
କି ଯୋଗରେ ଏହା ପ୍ରତିଷ୍ଠା ଲଭିଲା
       ବିସ୍ମୟ ଲାଗଇ ଭାରି ll
ଉଣେଇ ଶ ଅଡ଼ ଚାଳିଶ ମସିହା
     ଅପ୍ରେଲ ତାରିଖ ତେର l
ଦି ହଜାର ବର୍ଷ ଐତିହ୍ୟ ସହର
  ନୂଆ ରାଜଧାନୀ ମୋର ll
ପ୍ରତିଜ୍ଞା କରିବା ରାଜଧାନୀ ବାସୀ
       ମିଳି ସର୍ବ ନରନାରୀ l
ସର୍ବାଙ୍ଗ ସୁନ୍ଦର ଗଢ଼ିବା ଏହାକୁ
      ବିଶ୍ୱରେ ବିସ୍ମୟ କରି ll
ପ୍ରଭୁ ଲିଙ୍ଗରାଜ ବସିଛନ୍ତି ଦେବେ
     ନିଶ୍ଚେ ସେ ଅଭୟ ବର l
ଏ ପବିତ୍ର ଦିନେ ରାଜ୍ୟବାସୀ ମିଳି
       କର ତାଙ୍କୁ ନମସ୍କାର ll
             🙏🙏🙏
                 ଅର୍ଜୁନୀ
              ---------------
ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ
 ଅର୍ଜୁନୀ ଚରଣ ବେହେରା
 ମୋ - 7693091971


Rate this content
Log in

Similar oriya poem from Inspirational