ଆମ ଭାଷା ଆମ ମାଆ ପରି
ଆମ ଭାଷା ଆମ ମାଆ ପରି


ଜନମିଲି ଯେବେ ଜନନୀ ଜଠରୁ
ଶୁଣିଲି ମୁଁ ଯେଉଁ ଭାଷା
ମାଆ ପରି ମୋତେ ଲାଗିଲା ନିଜର
ସେପରା ମୋ ମାତୃଭାଷା ।
ତାହାରି ଆଦର ଯତ୍ନରେ ବଢିଲି
ଶିଖିଲି ଅନେକ କଥା
ସମାଜେ ପ୍ରତିଷ୍ଠା ପାଇଲି ତା'ପାଇଁ
ଚାଲୁଅଛି ଟେକି ମଥା ।
ମାତୃଭାଷା ଟେକ ରଖିବାକୁ କେତେ
ସୁପୁତ୍ର ମାତୃଭୂମିର
କବିତା ପ୍ରବନ୍ଧେ ଲେଖିଗଲେ ଗାଥା
ଏବେ ବି ତାହା ଅମର ।
ଫକୀର ମୋହନ ଗୋପବନ୍ଧୁ ପୁଣି
ଉପେନ୍ଦ୍ର ସାରଳା ଦାସ
ରାଧାନାଥ ରାୟ ଜଗନ୍ନାଥ ଦାସ
ପଣ୍ଡିତ ଗୋଦାବରୀଶ ।
ମାତୃଭାଷା ମାନ ବଢାଇବା ପାଇଁ
କଲେ ଜୀବନ ଉତ୍ସର୍ଗ
ତାଙ୍କ ପର ପିଢ଼ି ରୂପରେ ଜନ୍ମିଛୁ
ଏହାତ ଆମ ସୌଭାଗ୍ୟ ।
ମାଆ ପରି ଆମ ଅଟେ ମାତୃଭାଷା
ତାପାଇଁ ଆମେ ଗର୍ବିତ
ମୋ ଜାତି ଓଡ଼ିଆ ମୋ ଭାଷା ବଢ଼ିଆ
କା' ପାଶେ ହେବୁନି ନତ ।
ଆମ ଭାଷା ଆମ ବଡ଼ ପରିଚୟ
ଚିହ୍ନା ଦେବାପାଇଁ କା'ରେ
ଆମ ଭାଷା ମାନ ରଖିବୁ ଅକ୍ଷୁର୍ଣ୍ଣ
ଭୁଲିବୁନି କା'କଥାରେ ।