ଆକର୍ଷଣ
ଆକର୍ଷଣ
ରୋମାଣ୍ଟିକ କବି ମାୟାଧର ମାନସିଂହ
ଏ ଭୁବନ ପଥେ ପଥେ ଯହିଁ ଯାଏ ଆଜି
ଚିତ୍ତ ଓ ଚରଣ ମଧ୍ୟେ ଦ୍ବନ୍ଦ୍ଵ ଉଠେ ବାଜି ।
ଚରଣ ଚଳଇ ଆଗେ,ଚିତ୍ତ ପଛେ ଧାଏଁ
ପୃଥିବୀର ସେହି ସ୍ଥାନେ, ବାୟୁ ଯହିଁ ପାଏ
ପ୍ରିୟାର ଚିକୁର ଗନ୍ଧ,ତୁଚ୍ଛ ରେଣୁ ଯହିଁ
ଜୀବନ୍ତ ହୁଅଇ ପ୍ରିୟା-ପଦ ସ୍ପର୍ଶ ବହି ।
ଏହି ଦ୍ବନ୍ଦ୍ଵ ହୃଦେ ଧରି ବୁଲେ ମୁଁ ନିରତ
ଆଜି ଏ ଭୁବନ ପରେ ; ଯାତ୍ରୀ ଶତ ଶତ
ଦୁଇ ପାଶେ ଯାନ୍ତି ଚଳି ଭୁଜେ ଭୁଜ ଘଷି,
ନ ଜାଣନ୍ତି ବ୍ୟଥା ମୋର ।ପଥ-ପାଶେ ବସି
ଭାବେ ମୁଁ ନିବିଷ୍ଟ ମନେ - କିପାଁ ଆକର୍ଷଣ
ହୃଦୟେ ହୃଦୟେ ଏହି ? ଗୋଟିଏ ବଦନ
କୋଟିଏ ବଦନ ମେଳେ କିପାଁ ମତେ ଟାଣେ
ଖିଳ-ବିଶ୍ବେ ଏ ବନ୍ଧନ କିପାଁ ଦୁଇ ପ୍ରାଣେ ?
ସମାପ୍ତ