ଆକାଶରେ ଉଡୁଥାଉ ଗୈରିକ ଆମର
ଆକାଶରେ ଉଡୁଥାଉ ଗୈରିକ ଆମର


ଆକାଶରେ ଉଡୁଥାଉ ଗୈରିକ ଆମର,
ଚାରିଆଡ଼େ ଦାସତ୍ୱର ଘୋର ଘନ ଅନ୍ଧକାର,
ହରାଇଲୁ ସବୁକିଛି ଲଢ଼ି ପରସ୍ପର,
ଲିଭିଗଲା ଦୀପ, ଘର ହେଲା ଶୂନ୍ୟ ହାହାକାର।
ଜୟଚନ୍ଦ୍ର ପାପର ସେ ଫଳ,
ନିରାଶାର ଭୟ ଜାବୁଡ଼ି ଧରିଲା
ଆସିଲାନି ଦିନ, ରାତ୍ରି ଅନ୍ଧାର ରହିଲା।
ପରାଜୟ ଦୁଃଖ, ଅହେତୁକ ଚିନ୍ତା,
ବିଜୟର ସ୍ଵପ୍ନ, ଅପେକ୍ଷା ନୂତନ ସୂର୍ଯ୍ୟର,
ଆକାଶରେ ଉଡ଼ୁଥାଉ ଗୌରିକ ଆମର।।
ପଦ୍ମିନୀଙ୍କ ସତୀତ୍ଵର ସେ ଗୌରବ ଗାଥା,
ହଟାଇଲା ଅନ୍ଧକାର, ଭରିଲା ନୂଆ ଆଶା,
ଏକ ଅଗ୍ନିକୁଣ୍ଡ, ସହସ୍ର ଅପେକ୍ଷା,
ଅଗ୍ନିର ସେ ଲେଲିହାନ ଦିପ୍ତି ଶିଖା!
ପୁରୁଷ ତ ଛାଡ଼ ନାରୀଙ୍କ ଆଗରେ,
ଅପୂର୍ବ ତ୍ୟାଗରେ, ମୃତ୍ୟୁର ବେଢ଼ିରେ,
ଧୁଆଁର କୁହୁଡ଼ି, ମୁକସାକ୍ଷୀ ଲୁହର
ଲେଖିଲା ଏକ ନୂଆ ଇତିହାସ ସତୀତ୍ଵର,
ଆକାଶରେ ଉଡୁଥାଉ ଗୈରିକ ଆମର।।
ଧରାଶାୟୀ ହେଲା ପବିତ୍ର ମନ୍ଦିର,
ଲୁଣ୍ଠିତ ହେଲା ସାରା ସହର ନଗର,
ନିଜକୁ ଜାଳି ଜ୍ଵଳନ୍ତ ଅଗ୍ନିରେ,
ପୁରସ୍କାର ମିଳେ ବନ୍ଦି ଲୌହ ଶିକୁଳିରେ,
ଦୁର୍ଭାଗ୍ୟର ଦାସତ୍ଵରେ,ପରାଜୟ ଯୁଦ୍ଧରେ
ଶେଷ କ୍ଷଣ ଯାଏ, ମନର ଆଶାରେ
ହରେଇକି ସବୁକିଛି ଦୁଃଖ ନାହିଁ ମନରେ
ଫେରିବ କି ସେ ମାତୃଭୂମି ଆମର!!
ଡାକୁଥାଉ ହୃଦୟରୁ ଗୈରିକ ଆମର।।
ଥିଲୁ କେବେ ଅଳ୍ପ, ବିଶାଳ ସାଗର ଆଜି,
ଡରିନୁ ତେବେ, କେମିତି ଡରିବୁ ଆଜି??
ବିରୋଧ ଢେଉରେ ଆମେ ସଶକ୍ତ ପଥର
ଧକ୍କା ହେଲେ ନିଶ୍ଚିତ ମୃତ୍ୟୁ ତୁମର।
ହାତରୁ ସେ ଧ୍ଵଜ, କେବେ ଖସି ନାହିଁ,
ବଢୁଥିବା ପାଦ, କେବେ ରହି ନାହିଁ।
ରହିନି ଅନ୍ଧାର କେବେ ସୂର୍ଯ୍ୟ ସମ୍ମୁଖରେ,
ଅମର ଆମେ, ଚାଲୁଥାଉ ନିର୍ଭୟରେ,
ଅଭୟ ଆମେ,ରହିଛି ଆଶୀର୍ବାଦ ମା' ର
ଆକାଶରେ ଉଡ଼ୁଥାଉ ଗୈରିକ ଆମର
ଆକାଶରେ ଉଡ଼ୁଥାଉ ଗୈରିକ ଆମର।।
ମୂଳ ଲେଖା - ସ୍ଵର୍ଗତ ଅଟଳ ବିହାରୀ ବାଜପାୟୀ
ଓଡ଼ିଆ ଅନୁବାଦ(କବିତା)- ଅଭିଷେକ ଦାଶ
(ବାଜପେୟୀଙ୍କ ଅନନ୍ୟ କୃତିକୁ ଓଡ଼ିଆ ପାଠକ ମାନଙ୍କ ପାଇଁ ଓଡ଼ିଆ ଭାଷାରେ ଅନୁବାଦ କରିବାକୁ ଚେଷ୍ଟା କରିଛି। କୌଣସି ଜାଗାରେ ଭାବଗତ କିମ୍ବା ମୁଦ୍ରଣ ଗତ ତ୍ରୁଟି ଥିଲେ କ୍ଷମା ମାର୍ଜନା କରିବେ।।)