ଆଜି କାହାର ପୂଜା
ଆଜି କାହାର ପୂଜା
ଏ ଷୋଡଶ ଉପଚାର
ଧୂପ, ଦୀପ, ନୈବେଦ୍ୟ
ବର୍ଣ୍ଣାଢ୍ୟ ସମ୍ଭାର
ବାଜା,ରୋଷଣୀ
ଚାକଚକ୍ୟ ଅବନୀ
ମା"ର ପୂଜା ଆଡମ୍ବର
ବାସ୍ନା କୋଳାହଳ
ତା ଭିତରେ ତିନ୍ତୁଅଛି
ମା"ର କାନି ବୃଦ୍ଧାଶ୍ରମେ
ରୁଦ୍ଧ ପ୍ରକୋଷ୍ଠରେ
ମଇଳା ତକିଆତଳୁ
ସାଉଁଟୁଛି ଅଭୂଲା ଅତୀତ
କୋରଡିଆ ଆଖିତଳେ
ପୋଷ ପୋଷ ସ୍ବପ୍ନ ନେଇ
ମାଗୁଅଛି ଅବଶିଷ୍ଟ ଆୟୁଷ
ଏତେ ବଡ ବିରାଟ ଆକାଶ
ବିସ୍ତୀର୍ଣ୍ଣ ପୃଥିବୀ ତଳେ
ମୋର କାହିଁ ଆଉ ମୁଁ କାହିଁ
ଛାଡେ ଦୀର୍ଘଶ୍ବାସ
ନୁଖୁରା ଚୁଟି,ଅଭାବି ଉଦର
ହାଡ ଛଅ ଖଣ୍ଡ ପାଇଁ
ଜାଗାଟିଏ କାହାକୁ ମାଗିବ
ହାଡୁଆ ହାତରେ ଅନ୍ନ
କାହାକୁ ବାଢିବ
ଜୀବନ ଜୀଉଁଛି ପରା
ଔଷଧର କାଚ ବୋତଲରେ
ଦିନଟି ଘୁମନ୍ତ ଏଠି
ରାତି ଏଠି ଜାଗ୍ରତ ପ୍ରହରୀ
ରଂଗହୀନ ଓଠ ତଳେ
ପ୍ରଶ୍ନଟିଏ ତା'ର
ଏଠି କିଏ ମୋର କୁହ
ଆଉ ମୁଁ ବା କାହାରି
ଏଠି କିଏସେ ଦେବତା
ଆଉ କିଏସେ ଭିକାରୀ
ପଇସା ବି କଥା କୁହେ କେତେ
ସମ୍ପର୍କ ବି କିଣାହୁଏ ସତେ
ଜୀବନ ତ ବଡ ନିଉଛଣା
ବଞ୍ଚିବାର ମୋହ
ଛାଡି ଦେଲା ପରେ ବି
କାହିଁ ଦିଏ ଦଇବ ଗଞ୍ଜଣା
ସମୟର ହାଟରେ ଚାହିଁ ରହେ
ମଲାମାଛର ଆଖି ତରାଟି
କାହିଁ କେଉଁଠି ମିଳିଯିବ
ତା ପରିଚିତ ମୁହଁଟି
ସେହିଠି ମିଳିଯିବ ସ୍ବର୍ଗ
ସେହିଠି ଫିଟିବ ତା
ଜୀବନର ଗଣ୍ଠି ।
