ଆଜି ବି ସେତିକି ପାଏ ଭଲ
ଆଜି ବି ସେତିକି ପାଏ ଭଲ
କାଲି ତୁମକୁ ଯେତିକି ପାଉଥିଲି ଭଲ
ଆଜି ବି ସେତିକି ପାଏ ଭଲ
ଭୁଲି ନାହିଁ କି ଭୁଲିବି ନାହିଁ କେବେ
ମୋ ମନ ହୃଦୟରେ ଅଛ ପରା ତୁମେ
ଆମ ମନ ଦୁଇଟି ବନ୍ଧା ହୋଇଛି ପ୍ରେମେ
ଭଲ ପାଇବାଟା ନୁହେଁ ଏମିତି
ସକାଳର କୁହୁଡି଼ ପରି କ୍ଷଣସ୍ଥାୟୀ
ନିମିଷକେ ଆସି ଉଭେଇ ଯିବ
ଅବା ନୁହେଁ ଅଦିନିଆଁ ଅସରାଏ ବର୍ଷା
ସଞ୍ଜରେ ବରଷି ରାତିକୁ ନ ଥିବ
ଭଲ ପାଇବା ଜୀବନ ପ୍ରବାହର ବେଗ
ଗତି ତାର ଅବାଧ ଅପରିମେୟ
ପଚାରଲେ ଉତ୍ତର ଦେବ ତୁମ ହୃଦୟ
ତୁମ ଦାନ ମୋ ପ୍ରତିଦାନ
ତୁମ ଅବଦାନ ମୋ ଅନୁଦାନ
ଏ ଭଲ ପାଇବାଟା ଈଶ୍ବରଙ୍କ ବରଦାନ
କାଲି ତୁମକୁ ଯେତିକି ପାଉଥିଲି ଭଲ
ଆଜି ବି ସେତିକି ପାଏ ଭଲ
ଯେଉଁଠି ଥାଏ ଛଳନା କି ପ୍ରତାରଣା
ସେଠି ନ ଥାଏ ପ୍ରକୃତ ଭଲ ପାଇବା
ଯେ ଆସେ ଅନୁପ୍ରବେଶକାରୀ ପରି ଛପି
ଏକା ଏକା ଲୁଚି ଅନ୍ଧାରର ଅପଥରେ
ଜାଣିଥାଅ ସେ ନିଶ୍ଚୟ ଜଣେ ପଳାୟନପନ୍ଥି
ତା'ଠାରେ କି ପ୍ରେମ ଅଛି ଯେ
ହୃଦୟ ତାକୁ ସାଇତି ରଖିବ ସ୍ମୃତିରେ ଗୁନ୍ଥି
ସେ ଆସିଥାଏ ସ୍ବାର୍ଥରେ ଆକର୍ଷିତ ହୋଇ
କିଟ ପତଙ୍ଗ କି ଜୀବଜନ୍ତୁ ପରି
ମଣିଷ ପଣିଆଁ ନ ଥାଏ ତା' ପାଖରେ
ଏମିତି କିଛି ଆବିଳତା ତ ନାହିଁ ଆମ ଠାରେ
ଦିବାଲୋକ ପରି ସତ୍ୟ ଆମ ପ୍ରେମ
ମାୟାର ବାଦଲ ଢାଙ୍କି ରଖି ପାରିବନି
ଶାଶ୍ବତ ଚିରନ୍ତନ ଆମ ପ୍ରେମର ପ୍ରକାଶ
ହେବନାହିଁ କି ହୁଏନାହିଁ କେବେ ତାର ବିନାଶ
କାଲି ତୁମକୁ ସେତିକି ପାଉଥିଲି ଭଲ
ଆଜି ବି ସେତିକି ପାଏ ଭଲ।

