ଆହେ ପ୍ରଭୁ ଜଗତ କରତା
ଆହେ ପ୍ରଭୁ ଜଗତ କରତା
ଆହେ ପ୍ରଭୁ ଜଗତ
କରତା ବଡ଼ ଠାକୁର,
କରୁଛି ମୁଁ ଗୁହାରି
ବିପଦୁଁ କର ଉଦ୍ଧାର।
ଦେଖୁଛି ଯା' ସଂସାରେ
ମିଛର ମାୟା କୁହୁଡ଼ି,
ଘୋଟି ଆସି ସ୍ଵାର୍ଥରେ
ଜୀବନ ଦିଏ ବିଗାଡ଼ି।
ବଢ଼ୁଅଛି ଜଞ୍ଜାଳ
ଅଶେଷ ଦୁଃଖ ଯାତନା,
ତୁମ କୃପା ମାଗୁଛି
ଆରତେ କରି ପ୍ରାର୍ଥନା।
ତୁମେ ବିଭୁ ଦୟାଳୁ
ଆଶିଷ କର ପ୍ରଦାନ,
ଭବ ଭୟ ବିନାଶୀ
ଚରଣେ ଦିଅ ଶରଣ।
ଦୂର ହେଉ ମନରୁ
ଅଜ୍ଞାନ ଘନ ଅନ୍ଧାର,
ଜ୍ଞାନ ରବି ଉଦୟେ
ଉଜ୍ଜ୍ଵଳ ହେଉ ସଂସାର।
ଫୁଲ ପରି ଫୁଟାଇ
ମହକ ଦିଅ ହୃଦୟେ,
ମନ ପ୍ରାଣ ସରସ
ସୁନ୍ଦର କର ସଦୟେ।
ତୁମ ସୃଷ୍ଟି ଅନନ୍ତ
ପବିତ୍ର ଚିର ଶାଶ୍ଵତ,
ଦୟା ବହି ମାନବେ
ଚେତନ କର ସତତ।
ଭୁଲି ଯାଇ କପଟ
ମଣିଷ ରହୁ ସନ୍ତୋଷ,
ସତ୍ୟ ଶାନ୍ତି ମାର୍ଗରେ
ପ୍ରତିଭା କରୁ ବିକାଶ।
ହସି ନିଜେ ହସାଉ
ପରକୁ ଭାବି ନିଜର,
ହିତେ ରହି ସବୁରି
ଆନନ୍ଦ କରୁ ସଞ୍ଚାର।
ଆହେ ନୀଳ ମାଧବ
ଘୁଞ୍ଚାଇ ଦିଅ ସଂକଟ,
ଦୂର ହେଉ ଅଭାବ
ହୃଦୟେ ହୁଅ ପ୍ରକଟ।
