STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଆହ୍ବାନର ମନ୍ତ୍ର

ଆହ୍ବାନର ମନ୍ତ୍ର

1 min
220

ଗଗନେ ପବନେ ଗୁଞ୍ଜରି ଉଠୁଛି

ଅଦ୍ୟପି ମୁକତି ଆହ୍ୱାନ ବାଣୀ

ଜାଗ୍ରତ ହୁଅରେ ଭାରତ ସନ୍ତାନ

ସେହି ଗୁଞ୍ଜରଣ କର୍ଣ୍ଣରେ ଶୁଣି


ସ୍ମୃତି ପଟଳରେ ନାଚି ଉଠୁଅଛି

ଅତୀତର ମୁକ୍ତି ସଂଗ୍ରାମ ଛବି

ଅଦମ୍ୟ ସାହସ ଶତ ସିଂହ ବଳ

ଭରିନିଅ ହୃଦେ ସେକଥା ଭାବି


ନେତାଜୀଙ୍କ ପରି ତୁମ୍ଭେ ବୀର ସାଜି

ଭାରତବାସୀଙ୍କ କଷଣ ନାଶି

ମନେ ଗର୍ବ ବହି ମଥା ଉଚ୍ଚ କରି

ଚାଲିଯାଅ ବାଟ ଏକତ୍ର ମିଶି


ଦେଶପୀରତିର ମଧୁର ସଙ୍ଗୀତ

ସୁନ୍ଦର ରାଗରେ ତୁଣ୍ଡରେ ଗାଇ

ଦେଶର ପ୍ରଗତି ପଥେ ସାଜି ରଥୀ

ନିଜ ପରିଚୟ ଭୁଲିବା ନାହିଁ


ସୁଭାଷଙ୍କ ପରି ଭାଷା ଭରି ମୁଖେ

ଚନ୍ଦ୍ର ସମ ଶାନ୍ତି ବିସ୍ତାରି ଦେଇ

ଜ୍ଞାନ ଆଲୋକରେ ସମଗ୍ର ଦେଶରୁ

ଅଜ୍ଞାନ ତିମିର ଦିଅ ହଟାଇ


ନେତୃତ୍ୱ ବହନ ସାମର୍ଥ୍ୟ ଶକତି

ପ୍ରକାଶିତ କର ନିର୍ଭୀକ ହୋଇ

ଶତ୍ରୁ ଅବରୋଧ କରିବା ନିମନ୍ତେ

ପଛଘୁଞ୍ଚା କେବେ ନକର କେହି


ଦେଶର ସମ୍ମାନ ଯଶ ଗଉରବ

ସର୍ବଦା ଅକ୍ଷୁର୍ଣ୍ଣ ରଖିବା ପାଇଁ

ସେବା,ତ୍ୟାଗ,ପ୍ରେମ ହୃଦରୁ ଝରାଇ

ସ୍ୱାର୍ଥକୁ ଆପଣା କରିବା ନାହିଁ


ଆହ୍ୱାନର ମନ୍ତ୍ର ଜପ କରି ନିତ୍ୟ

ମାଟି ମାଆ ପାଇଁ ଜୀବନ ଦେଇ

ସାର୍ଥକ ହୋଇବ ଆମରି ଜନମ

ମହାମାନବଙ୍କ କରୁଣା ପାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract