ଆଗୋ ବର୍ଷା
ଆଗୋ ବର୍ଷା
ଶୀତେଇ ଉଠିଲା ଦେହ
ପ୍ରଥମ ଟୋପାର ନିଆଁରେ
ଆଗୋ ବର୍ଷା କି ମାୟା ରଖିଛ
ତୁମ ମୃଦୁ ମାଦକ ଛୁଆଁରେ!!
ପ୍ରିୟାର ପହିଲି ପରଶେ ଅବା
ଖସିଗଲା ଛାତିରୁ ସ୍ପନ୍ଦନ
ନିଶ୍ୱାସ ଖୋଜା ଫୁସ୍ ଫୁସ୍ ର
ସଂଳାପ କଳାପ ବହନ ।
ପିଟି ହେଉଥିଲେ ଯେବେ ଯେବେ,
ଦୁକୁ ଦୁକୁ ଧକ୍ ଧକ୍ ଚିଆଁରେ।
ଆଗୋ ବର୍ଷା କି ମାୟା ରଖିଛ
ତୁମ ମୃଦୁ ମାଦକ ଛୁଆଁରେ!!
ଭିଜା ଭିଜା କେଶ ଗୁଚ୍ଛ ଅବା
ପ୍ରିୟା ଛାଟେ ଛଟକେ ପଛକୁ
ବିନ୍ଦୁ ବିନ୍ଦୁ ପ୍ରୀତି ଏକତ୍ରୀତେ
ରହିଯା'ନ୍ତି ଚାହିଁ ମୋ ମୁହଁକୁ
ଯେମିତି ଝିପିଝିପି ଚୁପିଚୁପି
ତୁମେ ଲାଖିଯାଅ ଜାଣିଜାଣି
ଆଖି ଗାଲ ଓଠ କୁ ମୋ ଛୁଇଁ
ମତୁଆଲା ପବନ ର ଠାଣି।
ତୃଷାତୁର ଅଧର ମୋ ତୃପ୍ତ,
ପ୍ରୀତି ପ୍ରାପ୍ତି ମୋହିନୀ ମାୟାରେ।
ଆଗୋ ବର୍ଷା କି ମାୟା ରଖିଛ
ତୁମ ମୃଦୁ ମାଦକ ଛୁଆଁରେ!!
ଯେବେ ହୁଏ ପ୍ରମତ୍ତ ପ୍ରଖର
ଦେଖୁଦେଖୁ ତୁମ ମୃଦୁ କାୟା
ବିକ୍ଷିପ୍ତ ବିସ୍ତାରିତ ଆଲୋକିତ
ଦିଦିପ୍ୟ ସୌଦାମିନୀ ମାୟା
ଉଲ୍ଲସିତ ମୁଖ ଆଭା ତୋଳେ
ଘନ ଘନଖଣ୍ଡ ପଛେ ଲୁଚି
ପ୍ରିୟା କିବା ହୟା-ହୀନା ହୋଇ
ଚୁମ୍ବନକୁ ଅରପେ ସମ୍ମତି।
ସମ୍ମୋହିତ ହୋଇ ଅବଲୋକେ,
ମୋହିନୀ ଗୋ ତୁମ ମୋହ ଘାରେ।
ଆଗୋ ବର୍ଷା କି ମାୟା ରଖିଛ
ତୁମ ମୃଦୁ ମାଦକ ଛୁଆଁରେ।।
ଆସ ପ୍ରିୟା ମଜ୍ଜି ଯିବା ଥରେ
ହଜିଯିବା ଯୁଗ ଯୁଗ ପାଇଁ
ବର୍ଷାକୁ ଭିଜେଇଦେବା ଦୁହେଁ
ପ୍ରୀତି ତାତି ବାରି ସିଞ୍ଚି ଦେଇ
ନିଆଁ ଲାଗୁ ନିଗିଡ଼ା ପାଣିରେ
ବହୁ ନାଭି ନିବିବନ୍ଧ ଡେଇଁ
ଓଦା ବାସେ ଅଟକିବା ମନା
ଯାଉ ରସା କଷା ଜାନୁ ଛୁଇଁ।
ଅନୁଭବୁ ଭବ୍ୟ ଅନୁଭୁତି,
ଜଳ ବି ଅନଳ ଜାଳି ପାରେ।
ଆଗୋ ବର୍ଷା କି ମାୟା ରଖିଛ
ତୁମ ମୃଦୁ ମାଦକ ଛୁଆଁରେ।

