ଆଦର୍ଶ ଜୀବନର ଧାରା
ଆଦର୍ଶ ଜୀବନର ଧାରା
ସଂସାରେ ଜନମ ହୁଏ ଯେ ମଣିଷ
କ୍ଷଣିକ ଆୟୁକୁ ନେଇ
ଜନମ ମରଣ ଅବଧି ଭିତରେ
କର୍ମେ ରହେ ବାନ୍ଧିହୋଇ |
ଭଲ କର୍ମ ତାକୁ ବଞ୍ଚାଇ ରଖେ ଯେ
ସଂସାରରେ ଚିର ଦିନ
ସଂସାରରେ ତାର ସ୍ମୃତି ବଞ୍ଚି ରହେ
ହୋଇ ଆଦର୍ଶ ଜୀବନ |
ବିଶାଳ ହୃଦୟ ନେଇ ସେ ବଞ୍ଚଇ
ଶାନ୍ତ ସୁକୋମଳ ହୋଇ
ପରକୁ ଆପଣା କରିପାରେ ସିଏ
ଅସରା ସେନେହ ଦେଇ |
ପର ଉପକାର ଜୀବନର ଧର୍ମ
ଭାବି ଚାଲେ ଲକ୍ଷପଥେ
ସେହି ତାର କର୍ମ ସେହି ତାର ଧର୍ମ
ରହିଥାଏ ତାର ସାଥେ |
ଈଶ୍ୱରଙ୍କ ଠାରେ ଅଗାଧ ବିଶ୍ୱାସ
ଭରିଥାଏ ତାର ମନେ
ସକଳ କରମ ତାଙ୍କୁ ସମରପି
କର୍ମ କରେ ପ୍ରତିକ୍ଷଣେ |
ଅନ୍ୟର ଦୁଃଖରେ ଭାଗିଦାର ହୁଏ
ତା ପାଇଁ ଝରାଏ ଲୁହ
ସାହାଯ୍ୟର ହାତ ଲମ୍ବିଯାଇ ଥାଏ
ଢାଳିଦେଇଥାଏ ସ୍ନେହ |
ଆଦର୍ଶତା ପାଇଁ ସଭିଙ୍କ ହୃଦୟେ
ଥାଏ ଯେ ତା ପାଇଁ ଭକ୍ତି
ଜନ ସହଯୋଗ ହୋଇଥାଏ ସତେ
ଜୀବନରେ ବଡ଼ ଶକ୍ତି |
ନିଜ ପରିବାର କଥା ପଛେ ରହେ
ବୁଝେ ଅନ୍ୟ ମନ ବ୍ୟଥା
ସଂସାରେ ମଣିଷ ସେହି ତ ଅଟଇ
ମିଳିଥାଏ ସାର୍ଥକତା |
