ଆଦର୍ଶ ଜୀବନ
ଆଦର୍ଶ ଜୀବନ
ଶୂନ୍ୟରୁ ଆରମ୍ଭ ଯେଉଁ ଜୀବନ
ସେଠି ନିରନ୍ତର ଖେଳ ଛକି ଶୂନ
ଶେଷେ ଶୂନ୍ୟରେ ହୁଅଇ ବିଲୀନ
ଯେଉଁଠି ଆଜି ଅଛି ଘୃଣା ଅପମାନ
ପୁଳାପୁଳା ଅହଂକାର ଅବିଶ୍ୱାସ
ମେଞ୍ଚା ମେଞ୍ଚା ରାଗ ଅଭିମାନ
ହେ ମାନବ ତୁମେ ଅମୃତ ସନ୍ତାନ
ଓଦା ଆଖି ନୁହେଁ ଆଖିଏ ସ୍ବପ୍ନ
ନତ ମସ୍ତକ ନୁହେଁ ନିର୍ଭୀକ ମନ
ମୁଣ୍ଡ ଟୁଙ୍ଗାରି କାହାର ହଁରେ ନୁହେଁ ହଁ
ବ୍ୟବହାର କରି ନିଜ ବୁଦ୍ଧି ବିବେକ ଜ୍ଞାନ
ଅର୍ଜନ କରି ଧର୍ମ ରୂପୀ ଧନ
ଜିଇଁବା ଶିଖିଲେ ତାହାହିଁ ଜୀବନ
ଆତ୍ମବିଶ୍ୱାସରେ ଭରି ପ୍ରତି ରକ୍ତବିନ୍ଦୁ
ଅନୁଶାସନରେ ବାନ୍ଧି ପଞ୍ଚ ଇନ୍ଦ୍ରିୟଙ୍କୁ
ଅଣ୍ଟା ଭିଡି ସାହସର ଘର ତୋଳିବାକୁ
ଆସୁ ଯେତେ ବିଘ୍ନ ଚାଲ ହେ ଆଗକୁ
ସାହା ଭଗବାନ ଭୟ କରନି କାହାକୁ
ଲୋକେ କହୁଛନ୍ତି କହିବାକୁ ଦିଅ
ଶାନ୍ତମନେ ଲକ୍ଷ୍ୟସ୍ଥଳେ ଆଗକୁଯାଅ
ଭୁଲ ବିଚାରକୁ ବଦଳାଇ ନିଅ
ଈର୍ଷା କ୍ରୋଧ ହୃଦୟରୁ ଦୂର କରିଦିଅ
ପରହିତ ପାଇଁ କାମ କରୁଥାଅ
ସବୁ ନୁଆଇଁବେ ମଥା ଅନ୍ୟଥା ନୁହଁ
ଗର୍ବ ଲୋଭ ଅହଂ ଜାବୁଡି ଧରିଲେ
ନିଜେ ସବୁକିଛି ନିଜକୁ ଭାବିଲେ
ଅଧିକ ଚାଲାକ ନିଜକୁ ମଣିଲେ
କୋଡୁଥିବ ଯେତେ ମାଡୁଥିବ ସେତେ
ଉନ୍ନତି କରିବ ନାହିଁ କେବେ ହେଲେ.
ଜୀବନଟା କେବେ ଖରା ଛାଇ
ମାୟାମୃଗ ପଛେ ହୁଅ ନାହିଁ ବାଈ
ଥକି ଯିବା ଦିନେ ଆମେ ଧାଇଁ ଧାଇଁ
ଦୃଢତାରେ ଯିଏ ଚାଲିବା ଜାଣଇ
ଜୀବନକୁ ପାରେ ବଦଳାଇ ଦେଇ
ପାଦ ତଳ କଣ୍ଟା ଆଡେଇ ଆଡେଇ
ସଂଘର୍ଷ କରି ବଞ୍ଚିବା ଶିଖଇ
ସମୟର ମୂଲ୍ୟ ସେ ହିଁ ବୁଝିଥାଇ
କାରଣ ସମୟକୁ ବାନ୍ଧି ରଖି ହୁଏନାହିଁ
ନ ହେଉ କା'ସାଥେ ମନୋମାଳିନ୍ୟ
ହେବା ଅନ୍ୟପାଇଁ ଉଦାହରଣ
ଖାଲି ଭୋଗ ନୁହେଁ ରହୁ ସମର୍ପଣ
ପୂଜା କରୁଥିବା ସଦା ଗୁରୁଜନ
ସ୍ନେହ ପାଉଥାନ୍ତୁ ସର୍ବ ଲଘୁଜନ
ପରସ୍ପର ପାଇଁ ରହୁ ସନମାନ
ମୁଖେ ହସ ରହୁ ହୃଦେ ରହୁ ପ୍ରେମ
ଜଗତରେ ସଭିଏଁ ଅଟନ୍ତି ସମାନ
କାନ୍ଦୁ ପର ଦୁଃଖେ ଆମରି ପରାଣ
ପୁଣି ମିଳୁଥାଉ ସର୍ବେ ଶ୍ରେଷ୍ଠ ସ୍ଥାନ
ଦେଖି ଖୁସି ହେବେ ପ୍ରଭୂ ନାରାୟଣ
ସୀତାରାମ ପ୍ରଭୂ ପୁରୁଷ ଉତ୍ତମ
ରହୁଥାଉ ତାଙ୍କ ଶ୍ରୀଚରଣେ ଧ୍ୟାନ
କରୁଥିଲେ ଆମେ ଆତ୍ମନିବେଦନ
ଆଶୀର୍ବାଦ ଦେବେ ପ୍ରଭୂ ଘନଶ୍ୟାମ
ତାହା ହିଁ ଆଦର୍ଶ ଜୀବନ
ତାହା ହିଁ ଆଦର୍ଶ ଜୀବନ ।
