ଆଛନ୍ନ ମାୟାରେ ଖୁସି
ଆଛନ୍ନ ମାୟାରେ ଖୁସି
ହେ ଦେହଧାରୀ ଜନ ପ୍ରଭୁ ନାମ କର ଜପ
ଲତାରୂପୀ ମୋହ ମାୟାରେ ଆବୃତ ଅନିତ୍ୟ ଦେହ ବିଶାଳ;
ନିତ୍ୟ ଜୀବାତ୍ମାକୁ ଲଗେଇ ନ ଦିଅ ପାପ
ଅଦେହରେ ଚିନ୍ତି ଆତ୍ମାକୁ ପରମ ବୃକ୍ଷ ମୂଳେ ପାଣି ଢାଳ।୧।
ଜଗତ କରତା ଅବତାରୀ ମର୍ତ୍ତ୍ୟ ମଣ୍ଡଳେ
ମନେ ଭରି ସୃଷ୍ଟି ରହସ୍ୟ ତ୍ରାଣକର୍ତ୍ତା ଇଛନ୍ତି କ୍ରୀଡା ଆଶ;
ସୃଷ୍ଟି ହେଲା ମାୟା ନିଜ ଇଚ୍ଛା ଅନୁସାରେ
ସଗୁଣରେ ସୃଜି ସୃଷ୍ଟି ରହସ୍ୟ ନିର୍ଗୁଣେ ରଖନ୍ତି ଅବଶେଷ।୨।
ବ୍ରହ୍ମ ବେନି ଖଣ୍ଡେ ନିର୍ଗୁଣ-ସଗୁଣ ସଖା
ସଗୁଣର ହେଲା ଜୀବ ଉତ୍ପନ୍ନ ନିର୍ଗୁଣ ଭାଗରୁ ଯେ ପରମ;
ଜୀବ-ପରମ ଏକ ବୃକ୍ଷର ଦୁଇ ଶାଖା
ମାୟା ଅବିଦ୍ୟାରେ ମଜ୍ଜି ପରମ ଜୀବ ନାମକୁ କଲା ମୂଳ।୩।
ଜୀବ କରମ ବନ୍ଧନେ ହୋଇଣ ବନ୍ଧନ
ଘୂରିବୁଲେ ସଦା ଚଉରାଶି ଲକ୍ଷ ଯୋନି କଳ୍ପ-କଳ୍ପାନ୍ତର;
ସତ୍ତ୍ୱ ରଜ ତମ ଗୁଣେ ହୁଏ ସେ ଆଛନ୍ନ
ତ୍ରିଗୁଣ ମାୟାରେ ଭ୍ରମି ଖୋଜିବୁଲେ ପ୍ରକୃତିଗଣଙ୍କ ମେଳ।୪।
ବ୍ରହ୍ମ ମାୟା ସତ୍ତ୍ବଗୁଣେ ବିସ୍ତାରିଛି କାୟା
ସତ୍ତ୍ୱ ଆଚ୍ଛାଦିଲେ ତମ ରଜ ଦୁଇଗୁଣ ଅବିଦ୍ୟା ପ୍ରମାଣ;
ଜନମ-ମରଣ ତା' ପାଇଁ ରହିଛି ସଦା
ଯେ ଅବିଦ୍ୟା ରୂପୀ ଉପାଧିରେ ଭୋଗଇ ନିଜ କର୍ମଫଳ।୫।
ମିଛ ମାୟା ସଂସାର କେହି ନୁହେଁ କାହାର
ବୃଥା ମାୟାରେ ଘାଣ୍ଟି ଚକଟି କାହିଁ ହେଉଛୁ ତୋର-ମୋର;
କି ଅବା ପ୍ରଭେଦ ଅଛି ଏ ଦୁଇ ଶବ୍ଦ ମଧ୍ୟର
ବ୍ରହ୍ମ ନେତ୍ର ଖୋଲି ଦେଖ ବାସ୍ତବରେ ଏସବୁ ମାୟା ଖେଳ।୬।
ତୋର-ମୋର ଅଟେ ପରୋକ୍ଷ-ପ୍ରତ୍ୟକ୍ଷ ଜ୍ଞାନ
ଏ ଦୁଇ ଭାବ ଏକ ହେଲେ ଜୀବ ପରମ ମଣ୍ଡଳ ଲଭିବ;
ଅପରୋକ୍ଷ ଜ୍ଞାନେ ଯେବେ ଦୁହେଁ ହେବେ ମିଳନ
ତୁଟିବ ମାୟା ବନ୍ଧନ ଜୀବ ନିର୍ବାଣ ପଥେ କେବଳ ଯିବ।୭।
ଦେହଧାରୀ ଜନ ଏ ଦୁଇ ଜ୍ଞାନେ ଦିଅ ଧ୍ୟାନ
ଅଯଥା ପଢି କର୍ମ ଶାସ୍ତ୍ର ଗୁରୁପଦ ହୁଡି ହେଉଅଛ ବାତୁଳ;
ବ୍ରହ୍ମ ନାମ ଭୁଲି ଭଜୁଅଛ କାମିନୀ କାଞ୍ଚନ
କାହୁଁ ଲଭିବ ବ୍ରହ୍ମଜ୍ଞାନ ଯା-ଲାଗି ଥୁଆ ମାୟା ସଲୀଳ।୮।