ବୁଢା ବରଗଛ
ବୁଢା ବରଗଛ
ଗାଁ ମୁଣ୍ଡରେ ବିଶାଳ ବୁଢ଼ାବରଗଛଟିଏ କାହିଁ କେଉଁ କାଳରୁ ରହିଆସିଛି ତାହା କାହାରିକୁ ଜଣା ନାହିଁ । ସମସ୍ତଙ୍କୁ ଏତିକି ଜଣା ଯେ, ସେ ବୁଢ଼ାବରଗଛ କୋଳରେ ସେହି ଗାଁର ସମସ୍ତଙ୍କ ବାପା, ଜେଜେଵାପା ଏବଂ ପୂର୍ବ ପିଢ଼ିର ପୁରୁଷମାନେ ଖେଳିଆସିଛନ୍ତି ଓ ସମୟ ବିତାଇଛନ୍ତି । କେହି କେହି ବି କୁହନ୍ତି ସେହି ଗାଁ ସୃଷ୍ଟି ହେବା ପୂର୍ବରୁ ସେହି ବରଗଛଟି ରହିଆସିଛି । ଆଖପାଖ ମୌଜାରେ ସେହି ବୁଢା ବରଗଛ ପାଇଁ ସେହି ଗାଁର ଭିନ୍ନ ଏକ ପରିଚୟ ଥିଲା ।
ସେହି ବରଗଛ ପାଖରେ ଗୋଟିଏ ମଣ୍ଡପ ଥିଲା, ସେହି ମଣ୍ଡପ ଉପରେ ଗାଁର ଟୋକାଠାରୁ ବୁଢ଼ାଯାଏଁ ସମସ୍ତେ ବସାଉଠା କରୁଥିଲେ । ବରଗଛ ଛାଇରେ ପିଲାମାନେ ବିଭିନ୍ନ ପ୍ରକାରର ଖେଳକୁଦ କରୁଥିଲେ ଏବଂ ତା'ର ଓହଳରେ ଝୁଲୁଥିଲେ । ବୁଢା ବରଗଛ ଗାଁର ପ୍ରତ୍ୟେକ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ।
ବୁଢ଼ା ବରଗଛଟି ଯେଉଁ ଜାଗାରେ ଥିଲା, ତାହା ଥିଲା ସେହି ପାଖ ଗାଁର ଜଣେ ଖଳ ପ୍ରକୃତି ବ୍ୟକ୍ତିଙ୍କ ଜାଗା । ସେ ବ୍ୟକ୍ତି ଦିନେ ଚାହିଁଲା, ବରଗଛଟିକୁ ହଟାଇ ସେହି ସ୍ଥାନରେ ଏକ ଗୋଦାମ ଘର ନିର୍ମାଣ କରିବ । ସେଥିପାଇଁ ସେ ଗଛଟିକୁ କାଟିବା ପାଇଁ ଅନେକ ଗଛ କଟାଳିଙ୍କୁ ଆଣିଲା ଓ ଗଛଟିକୁ କାଟିଵାକୁ ଆରମ୍ଭ କଲା । ଗାଁ ଲୋକେ ଏହା ଦେଖି ତାକୁ ବିରୋଧ କଲେ ଏବଂ ତାକୁ ବିଭିନ୍ନ ପ୍ରକାର ବୁଝେଇବାକୁ ଚେଷ୍ଟା କଲେ, ତଥାପି ସେ ବୁଝିଲାନାହିଁ । କେବଳ ଗୋଟିଏ ଉତ୍ତର ଦେଉଥାଏ, ସେହି ଜାଗା ମୋର । କିଛି ସମୟ ପରେ ଗାଁର ମୁଖିଆ ଆସି ତାକୁ ବାରଣ କଲେ ଏବଂ ତାକୁ ଏକ ପ୍ରସ୍ତାବ ଦେଲେ, କହିଲେ ବରଗଛଟି ଯେତିକି ଜାଗରେ ଅଛି, ତାହାର ଦେଢ଼ଗୁଣ ଜାଗା ସେହି ପାଖାପାଖି ଅଞ୍ଚଳରେ ଦିଆଯିବ । ଏହି ପ୍ରସ୍ତାବରେ ସେ ବ୍ୟକ୍ତିଟି ରାଜି ହୋଇଗଲା ।
କିଛି ଦିନ ଗଲା ପରେ ଦିନେ ରାତିରେ ଗୋଟେ ଝଡ଼ ତୋଫାନ ଆସିଲା । ରାତିସାରା ପ୍ରବଳ ବର୍ଷା ଓ ବିଜୁଳି ବେଗରେ ପବନ ବହିଚାଲିଲା । ସକାଳୁ ଉଠି ଗାଁ ଲୋକମାନେ ଯାହା ଦେଖିଲେ ସ୍ତବ୍ଧ ହୋଇଗଲେ, ନିଜ ଆଖିକୁ ବିଶ୍ୱାସ କରିପାରିଲେନାହିଁ, ଏଭଳି ହେବ ବୋଲି କେହି ସ୍ୱପ୍ନରେ ବି ଭାବିପାରିନଥିଲେ କି ଗାଁର ସୁଖଦୁଃଖର ସାଥି ସେହି ବୁଢା ବରଗଛ ଏଭଳି ଏକ ତୋଫାନରେ ଉପୁଡି ପଡିବ ! ଏତେ ବର୍ଷର ଗଛ ଭାଙ୍ଗି ଯିବ ! ସମସ୍ତଙ୍କ ମନ ଦୁଃଖ ହୋଇଗଲା ।
ବୁଢା ବରଗଛଟିକୁ ମନେ ରଖିବା ପାଇଁ ଗାଁର କାଠ କାରିଗରମାନେ ସେହି ଗଛର ଗଣ୍ଡିଟିକୁ ପ୍ରଭୁ ଗଣେଶଙ୍କ ଆକୃତି ଦେଇ ସେହି ସ୍ଥାନରେ ଏକ ଘର କରି ସେଠାରେ ସ୍ଥାପନ କଲେ ।
ଏବେ ପ୍ରତ୍ୟେକ ଦିନ ସକାଳ ସଞ୍ଜରେ ସେହି ଗଣେଶ ଆକୃତିର ଗଛ ଗଣ୍ଡିଟି ଗାଁ ଲୋକଙ୍କ ଦ୍ୱାରା ପୂଜା ପାଇଆସୁଛି ।