ରାଜଦୂତ୍
ରାଜଦୂତ୍
ରାସ୍ତା ଉପରେ ଖଣ୍ଡ ବିଖଣ୍ଡିତ ହୋଇ ପଡିଛି ଗୋଟିଏ ଦାମୀକା ମୋଟର ସାଇକେଲ୍। ଚାଳକ ର ଅବସ୍ଥା ନ କହିବା ଭଲ। ଦେହର କୌଣସି ଯାଗା ଏପରି ନାହିଁ, ଯେଉଁ ଠାରେ କ୍ଷତ ନ ହୋଇଛି, ଦେଖିଲେ ଲାଗୁଛି ସତେ କି ରକ୍ତର ହୋଲି ଖେଳିଛି । ପାଖରେ ଜମା ହୋଇଛନ୍ତି ଶତାଧିକ ଦେଖଣାହାରୀ ; ଦୁର୍ଘଟଣା ଯାଗାରୁ ନିରାପଦ ଦୂରତାରେ ରହି, ଗାଡି ଚଳାଇବାର ଜ୍ଞାନ ଓ କୌଶଳ ବଖାଣିବାରେ ବ୍ଯସ୍ତ।
କିଏ କହୁଛି-- ସେ ଏପରି ଚଲେଇଥିଲେ ଦୁର୍ଘଟଣା ହୋଇ ନ ଥାନ୍ତା। ତ କିଏ କହୁଛି, ଏମିତି କଣ ଓଭରଟେକ୍ କରିବା କଥା ? ପୁଣି କିଏ କହୁଛି-- ଏମାନେ ଧନୀ ଘରର ପିଲା। ଲକ୍ଷେ ଟଙ୍କିଆ ଗାଡି ଧରି ରାସ୍ତାକୁ ନିଜ ପୈତୃକ ସମ୍ପତ୍ତି ଭାବିଲେ ଏମିତି ଲହୁଲୁହାଣ ହୋଇ ରାସ୍ତାରେ ପଡିବା ଛଡା ଅନ୍ଯ ଗତି ନାହିଁ। କିଛି ସାଇକେଲ୍ ଧାରୀ ସବଜାନତା ଲୋକ କହୁଛନ୍ତି-- ଆରେ, ଏମିତି ଦୁର୍ଘଟଣା ହେଉଛି ବୋଲି ସିନା ଆମେ ସବୁ ଦାମୀକା ମୋଟରସାଇକେଲ ଛାଡି ସାଇକେଲ୍ ପେଲୁଛୁ, ଜୀବନଟା ବଞ୍ଚିଯାଉଛି ଅତି କମ୍ ରେ। ଆଉ କିଛି ଯୁବକ, ଚାଳକକୁ ବଞ୍ଚାଇବା କଥା ନ ଭାବି ମୋବାଇଲରେ ଫଟୋ ଉଠେଇବାରେ ବ୍ଯସ୍ତ। ଚାଳକର ପ୍ରତ୍ଯକଟି ଆଘାତ ଯେମିତି ମୋବାଇଲ କ୍ଯାମେରା କଏଦ କରିବ, ସେଥିପାଇଁ ସେମାନେ ବଡ ବିବ୍ରତ। ଟିକିଏ କମ୍ ବୁଦ୍ଧି ସମ୍ପର୍ଣ୍ଣ, ଅର୍ଦ୍ଧ ଆଧୁନିକ ପିଲା ମାନେ ଚାଳକର ପାଖରେ ବସି ସେଲଫି ନେବାରେ ହେଳା କରୁ ନ ଥାନ୍ତି।
ଯୌବନର ଶେଷାବସ୍ଥାରୁ ପାଦ ଉଠାଇ ପ୍ରୌଢତାର ପ୍ରାରମ୍ଭୀକି ଆବସ୍ଥାରେ ପାଦ ଥାପୁଥିବା ଜଣେ ମହାଜ୍ଞାନୀ ଟାଉଟର ଜାତୀୟ ଲୋକ କହିଲେ-- ଆରେ ଭାଇ ମାନେ, ଏ ପିଲା ନିହାତି କୋଟିପତି ଘର ଛୁଆ ହୋଇଥିବ। ଗାଡିକୁ ଦେଖିଲେ ଇଏ “ହାୟାବୁସା” କମ୍ପାନୀର ପରି ଲାଗୁଛି। ଦାମ୍ ଅତି କମ୍ ରେ ପନ୍ଦର ଲକ୍ଷ ହୋଇଥିବ। ଗାଡି ନୁହଁ ତ, ଇଏ ପବନସୂତ ହନୁମାନଙ୍କ ଅବତାର। ଏକ୍ସିଲେଟର ଉପରେ ମାଛି ବସିଲେ ବି ଗାଡିର ବେଗ ଦୁଇଶହ କିଲୋମିଟର ପ୍ରତି ଘଣ୍ଟା ଛୁଇଁବ। ଯେମିତି ଗାଡି କୁ ସେମିତି ଚାଳକ ଦରକାର। ଏ ମେଞ୍ଚଡ ଟୋକା ଦେହରେ ଦୁଇ ଶହ ଛଅ ଖଣ୍ଡି ହାଡ ସ୍ପଷ୍ଟ ଦିଶୁଛି। ସେ ଲୁନା ଚଲେଇଲେ ପାଞ୍ଚ ଗଡା ମାରି ପଡିବ, ତା ଦେହରେ ଏ ଗାଡିକୁ ଆୟତ୍ତ କରିବାର ତାକତ କୁଆଡୁ ଆସିବ ? ସେ ପିନ୍ଧିଥିବା ଚମଡା ଜ୍ଯାକେଟ୍ ଓ ହାତରେ ଗ୍ଲୋବସ୍ ଦେଖିଲେ ଜଣା ପଡୁଛି, ପିଲା ଦୂର ଯାଗାକୁ ବାତରା ତୀର୍ଥ କରି ଯାଉଥିଲା।
– – ଭାଇ ସେ ବାତରା ତୀର୍ଥଟା କଣ ବୁଝାପଡିଲାନି।
– – ଆରେ, ଲୋକେ ଯେମିତି ଧର୍ମ କରିବାକୁ ତୀର୍ଥ ଯାଆନ୍ତି ; ଏମାନେ ସେମିତି ଦାମୀକା ଗାଡି ଧରି ଘୁଁ ଘାଁ କରି ଚଉଦିଗକୁ ବିନା କାରଣରେ ଖେଦି ଯାଆନ୍ତି। ଧନୀଘର ଛୁଆ, ଅପର୍ଯ୍ଯାପ୍ତ ପଇସା। ଖର୍ଚ୍ଚ କରିବାର ବାଟ ନ ପାଇଲେ, ଗାଡି ଧରି ପୃଥିବୀ ଚାରି ପଟେ ଘେରା ମାରିଦେବେ।
ଜମା ହୋଇଥିବା ଲୋକଙ୍କ ଭିତରେ ଜ୍ଞାନସୁଧା ସିଞ୍ଚନ କରି ସେ ଲୋକଟି ଅତି କମ୍ ସମୟରେ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲା। କିଏ ଜଣେ କହିଲା, ପିଲା ଟା ପାଟି ପାକୁପାକୁ କରି ପାଣି ମାଗୁଛି। ଦେବା କି ନାହିଁ?
– କିହୋ ଭାଇ, ତାକୁ ମାରିବ ନା କଣ? ପାଣି ଟୋପେ ଦେଲେ ଯଦି ତଣ୍ଟିରେ ଠାକିଯିବ, ବିଚରା ବ୍ରୟଲର୍ କୁକୁଡା ପରି ବେକ ମୋଡି ପଡିଯିବ। ସେମିତି ପଡିଥାଉ ସେ, କଥାରେ ଅଛି “ଆପଣା କଲା କର୍ମମାନ, ଆଗୁଁ ହୋଇବ ସାବଧାନ”। ସେ ସାବଧାନ ହେଲାନି ତା’ର ଭୁଲ୍। ଆମେ କଣ କରି ପାରିବା ?
– ତାକୁ ମେଡିକାଲ୍ ନେଇଯିବା କି? ନା ପୋଲିସ୍ ରେ ଖବର ଦେବା? ଚାଲ ଦମକଳବାଲାଙ୍କୁ ଡାକିବା।
- -କିଏ ସେ ପଣ୍ଡିତଙ୍କ ବାଛୁରୀ ଯିଏ ଏ କଥା କହିଲା, ଟିକେ ବଦନ ଟା ଦେଖେଇଲ। କିହୋ, ଡାକ୍ତରଖାନା କି ପୋଲିସ୍ ପାଖରେ ଖବର ପହଞ୍ଚିଲେ ଅବସ୍ଥା କଣ ହେବ ଜାଣିଛ ତ? ସବୁଲୋକ ପାଟିମେଲା କରି ରହିବାରୁ ସେ ପୁଣି ଗଳାଝାଡି କହିଲା-- ଧର ସେ ପିଲା ଡାକ୍ତରଖାନା ଯାଇ ଭଲ ହୋଇଗଲା। ସେ ତ ଘରକୁ ଯିବ, କିନ୍ତୁ ଖବର ଦେବା ଲୋକ ଥାନା, କଚେରି ଦୌଡି ଦୌଡି ପକେଟ୍ ଓ ପାଦର ଚପଲ ଛିଡାଇବା ସାର ହେବ। ପୋଲିସ୍ ଏମିତି ପଚରା ଉଚୁରା କରିବ ଯେ ଲାଗିବ ତୁମେ ସେ ପିଲାଟାକୁ ଗାଡି ମଡେଇ ଦେଲ। ଆଉ ଦମକଳବାଲାଙ୍କୁ ଆଜି ଡାକିଲେ ସେ କାଲି ପହଞ୍ଚିବେ।
କେମିତି ଦୁର୍ଘଟଣା ହେଲା, କେତେବେଳେ ହେଲା, କିଏ ସବୁ ଥିଲେ, ସେ କେମିତି ପଡିଲା, ବାଁ ପଟ ମାଡି ନା ଡାହାଣ ପଟ ମାଡି , ପଡିଲା ପରେ କେତେ ଗଡା ମାରିଲା, କିଳିକିଳା ରଡି ଛାଡିଲା କି ନାହିଁ, ପଡିଲା ସାଙ୍ଗେସାଙ୍ଗେ ମୁଣ୍ଡ ଫାଟିଲା ନା ଆଗରୁ ଫାଟିଥିଲା, ତା ପାଖରେ ଡ୍ରାଇଭିଙ୍ଗ ଲାଇସେନସ୍ ଥିଲା କି ନାହିଁ, ତୁମେ ତାକୁ କେମିତି ଜାଣିଲ, ଏତେ ଲୋକ ତ ଥିଲେ ତୁମେ କାଇଁ ଖବର ଦେଲ, ପଡିଲା ପରେ ସେ ପିଲା କୁ ତୁମେ ଉଠେଇଲ କି ; ଯଦି ହଁ , ତା ପାଖରେ କେତେ ଟଙ୍କା ଥିଲା ଗଣିଛ କି, ତୁମେ ତା ପାଖରୁ ଟଙ୍କା ପଇସା ନେଇ ଯାଇନ ବୋଲି କଣ ପ୍ରମାଣ ଅଛି। ଏମିତି ହଜାରେ ପ୍ରଶ୍ନରେ ତୁମ ମାନଙ୍କ ଚୁଟି ଉପୁଡିଯିବ ଭାଇମାନେ। ତେଣୁ ସେ ଆଡକୁ ନଜର ନ ଦେଇ ଥିରି ହୋଇ ଛିଡା ହୁଅ। ଯାହାର କୁଣ୍ଡେଇ ହେଉଛି, ସେ ପୋଲିସ୍ କୁ ଖବର ଦିଅ ନହେଲେ ଡାକ୍ତରଖାନା କୁ ନିଅ। ଗୋଟେ ନିଶ୍ବାସରେ ଅନର୍ଗଳ ଓଜସ୍ବିନୀ ଭାଷଣ ଦେଇ ଲୋକଟି ଛେପ ଢୋକି, ଜନତାଙ୍କର ପ୍ରତିକ୍ରିୟା ଅପେକ୍ଷାରେ ରହିଲା। ସମବେତ ଜନତାଙ୍କ ପାଦ କେଇ ପାହୁଣ୍ଡ ପଛକୁ ଫେରିଗଲା। ସମସ୍ତଙ୍କ ମନରେ ସେଇ ଗୋଟିଏ ଆଶା, କିଏ ଜଣେ ଅତି ମୁର୍ଖ, ଗଣ୍ଡ ଜାତୀୟ ପ୍ରାଣୀ ଆସି ପିଲାଟିକୁ ଜୀବନଦାନ ଦେବେ, ନଚେତ୍ ସ୍ବୟଂ ଭଗବାନ ପିଲାଉଦ୍ଧାର ପାଇଁ ଧରାପୃଷ୍ଠରେ ଅବତୀର୍ଣ୍ଣ ହେବେ।
ଏତେ ଲୋକଙ୍କର ଗହଳି ଦେଖି ପାଖାପାଖି ସତୁରୀ ବର୍ଷୀୟ ହରବାବୁ ଅଟକି ଗଲେ। ଗାଡି ଠିଆ କରି ପାଖକୁ ଆସି ସମସ୍ତ ଘଟଣାର ସବିଶେଷ ବିବରଣୀ ସେ ମହାଜ୍ଞାନୀ ଲୋକଠାରୁ ଜାଣିଲେ। କଣ କରି ପାରିବେ, ଭାବିଲା ବେଳକୁ ତାଙ୍କ ଗାଡି ପାଖରେ କୋଳାହଳ ଶୁଭିଲା। ପଛକୁ ବୁଲି ଦେଖିଲେ, ଲଫଙ୍ଗା ଟୋକା ସବୁ ତାଙ୍କ ଗାଡିର ଫଟୋ ଉଠାଇବାରେ ବ୍ଯସ୍ତ। ସତେ ଯେମିତି ମଙ୍ଗଳ ଗ୍ରହର ଉଡନ୍ତା ଥାଳିଆ ତାଙ୍କ ସମ୍ମୁଖରେ ଉଭା ହୋଇଛି। ସମସ୍ତଙ୍କ ମୁଖମଣ୍ଡଳରେ କେତେ ଜାତି ର ଭାବ। କିଏ ଆଶ୍ଚର୍ଯ୍ଯ, କିଏ ବିବ୍ରତ, କାହା ମୁହଁରେ “ ଏ ଗାଡି ଧରାପୃଷ୍ଠରେ ଏବେ ମଧ୍ଯ ଅଛି?” ର ଭାବ। କିଏ କହୁଛି, ଏମିତି ଗାଡି ମୋ ଜେଜେ ବାପାର ଥିଲା, କିଏ କହୁଛି ମୋ ଗୋସେଇଁ ବାପା ଚଲଉଥିଲା, କିଏ କହୁଛି ମୋ ଅଣି ଅଜା, ପଣିଅଜାଙ୍କ ପାଖେ ଏମିତି ଗାଡି ଗଣ୍ଡେ ଦି କଡା ଥିଲା। ବଗୁଲିଆ ଟୋକା ମାନଙ୍କ କବଳରୁ ଗାଡିଟି ଏକ ପ୍ରକାର ଛଡେଇ ଆଣି ନିଜ ପାଖରେ ଷ୍ଟାଣ୍ଡ ମାରି, ହାତ ଡେରି ଛିଡା ହେଲେ ହର।
– – ଆରେ ବାଃ, ସାଇବ ଏ ଗାଡି ଟା ରାଜଦୂତ୍ ନା କଣ? ଏହାର ନବ କଳେବର କେଉଁଠି କଲ? ଦେଖିଲେ ପୋଲିଓ ଗ୍ରସ୍ତ ବୁଲେଟ୍ ଗାଡି ପରି ଲାଗୁଛି। ମହାଜ୍ଞାନୀ ଏତିକି କହି, ହରଙ୍କର ଉତ୍ତର ଅପେକ୍ଷାରେ ରହିଲେ। କିନ୍ତୁ, ନିରୁତ୍ତର ଥିଲେ ହର। ଆଖି ସାମନାରେ ନାଚି ଯାଉଥିଲେ ସେ ହଜିଲା ଦିନସବୁ।
ହର ସାମନ୍ତରାୟ, ସେହି ସହରର ନାମଜାଦା ବ୍ଯବସାୟୀ, କେବଳ ସେ ସହର କାହିଁକି, ଅନ୍ଯ ସହରରେ ମଧ୍ଯ ତାଙ୍କର ବିଶାଳକାୟ ଦୋକାନ ମାନ ଅଛି। ନିହାତି ଭଦ୍ର ଓ ସରଳ ବ୍ଯକ୍ତିତ୍ବର ଅଧିକାରୀ। ନିିଜ ପ୍ରଚେଷ୍ଟାରେ ଜଳବିନ୍ଦୁ କୁ ମହାସମୂଦ୍ରରେ ରୂପାନ୍ତରିତ କରିପାରିଛନ୍ତି ସେ। ତାଙ୍କ ସଂଘର୍ଷ ଓ ସଫଳତାରେ ସବୁଠାରୁ ବଡ ଅବଦାନ ଅଛି ତାଙ୍କ ରାଜଦୂତର। ଲୌକିକ ଦୃଷ୍ଟିକୋଣରୁ “ରାଜଦୂତ” ଏକ ମୋଟର ସାଇକେଲ ହୋଇପାରେ ; କିନ୍ତୁ ହରଙ୍କ ପାଇଁ ସେ ଏକ ଜୀବନ୍ତ ଅସ୍ତିତ୍ବ। ମାନ ଅଭିମାନ, ସ୍ନେହ ପ୍ରେମ, ତ୍ଯାଗ ତିତିକ୍ଷା ଓ ଦାୟୀତ୍ବବୋଧତାର ସମଷ୍ଟିକରଣରେ ଗଢି ଉଠିଥିଲା ରାମବାବୁଙ୍କର ରାଜଦୁତ୍।
ବ୍ଯବସାୟ ଆରମ୍ଭ ହେବା ସମୟରେ, କିଛି ଟଙ୍କା ଧାର ଉଧାର କରି ସେ କିଣିଥିଲେ କଳାରଙ୍ଗର ଏକ ରାଜଦୁତ୍ ; ଯାହା ସେ ସମୟରେ ରାସ୍ତାର ରାଜା ଥିଲା । ଗୁରୁଗମ୍ଭୀର ଧୁନ୍ ଧୁନ୍ ଶବ୍ଦରେ ସଙ୍ଗୀତର ମଧୂର ମୂର୍ଚ୍ଛନା ତୋଳି ରାସ୍ତାରେ ତୀର ବେଗରେ ଦୌଡିବା ସମୟରେ ଦେଖଣାହାରିଏ ଦଣ୍ଡେ ଛିଡା ହୋଇ ପଡୁଥିଲେ। ହରବାବୁଙ୍କର ଶ୍ଯାମଳବର୍ଣ୍ଣୀ ଶରୀର କୁ ବେଶ୍ ମାନୁଥିଲା କଳା ମଚ୍ ମଚ୍ ରଙ୍ଗର ରାଜଦୂତ୍। କେବେକେବେ ସେ ଧର୍ମପତ୍ନୀଙ୍କୁ କୁହନ୍ତି – – ଗାଡିଟିକୁ କୌଣସି ଉପାୟରେ ନବେ ଡିଗ୍ରୀ ଅବସ୍ଥାରେ ଛିଡା କରିଦେଲେ ଲାଗିବ, ଜଣେ ବପୁବନ୍ତ ପୁରୁଷ ଛିଡା ହୋଇଛି। ହେଡ୍ ଲାଇଟ୍ ଟି ମସ୍ତକ , ହ୍ଯାଣ୍ଡଲ୍ ଟି ହସ୍ତଯୁଗଳ, ତେଲଟାଙ୍କି ଟି ବିଶାଳ ବକ୍ଷଦେଶ, ତେଲଟାଙ୍କି ଓ ସିଟ୍ ର ମିଳନ ସ୍ଥଳଟି ସରୁ କଟି ଓ ଲମ୍ବା ଚଉଡା ସିଟ୍ ଟି ଦୁଇଟି ଗୋଡ। କଣ ସତ କହୁଛି ନା ମିଛ?
– – “ତୁମେ ଜଣେ ଭଲ ବ୍ଯବସାୟୀ ହେବା ସହ, ଏତେ ଭଲ କବି ବୋଲି ମୁଁ ଆଜି ଜାଣିଲି। ପତ୍ନୀଙ୍କର ଏମିତି କଥା ଶୁଣି ହସି ଉଠନ୍ତି ହର। ଗାଡିଟି ପାଇଁ ଗଭୀର ଭଲପାଇବା ଜନ୍ମ ନେଇଥିଲା ତାଙ୍କ ମନରେ ଓ ସେ ରାଜଦୁତ୍ କୁ କାଳୁ ବୋଲି ଡାକିବା ଆରମ୍ଭ କରିଦେଇଥିଲେ। ଗାଡିର ନାମକରଣ ହେବା ଦିନ ସତ୍ଯନାରାୟଣ ପାଲା କରି ସିରିଣି ବାଣ୍ଟିଥିଲେ ସାଇଭାଇଙ୍କ ଭିତରେ। କେତେ ଜଣଙ୍କୁ କଥାଟା ଟିକେ ଅପ୍ରାସଙ୍ଗିକ ଲାଗିଲେ ବି ହରଙ୍କର ବ୍ଯକ୍ତିତ୍ବ ଆଗରେ ସେ ଅପ୍ରାସଙ୍ଗିକତା ଲୁଚି ଯାଇଥିଲା। ଦାଣ୍ଡ ଘରେ କାଳୁ ପାଇଁ ଥିଲା ସ୍ବତନ୍ତ୍ର ସ୍ଥାନ। ସବୁ ଦିନ ଗାଡି ଧୁଆ ହେଉଥିଲା। ବାହାରକୁ ବାହାରିବା ପୂର୍ବ ରୁ ପତ୍ନୀ ସିନ୍ଦୁର ଟୋପା ଦେଇ ଆଳତୀ ବୁଲାଇବାରେ କେବେ ହେଳା କରୁ ନ ଥିଲେ। କାଳୁ ଧିରେଧିରେ ରାମବାବୁଙ୍କ ଜୀବନର ଏକ ଅବିଛେଦ୍ଯ ଅଙ୍ଗ ପାଲଟିଗଲା। କେବେ ଦିନେ ମଧ୍ଯ କାଳୁ କୁ ଅନ୍ଯ କାହାକୁ ଚଲାଇବାକୁ ହର ଦେବାର ନଜିର୍ ନଥିଲା। ହଁ, କେବଳ ଥରେ ନିଜର ଅତି ଘନିଷ୍ଠ ବନ୍ଧୁଙ୍କର ମାସାଧିକ କାଳର ଅନୁରୋଧକୁ ଏଡାଇ ନ ପାରି, ସେ କାଳୁ କୁ କିଛି ସମୟ ପାଇଁ ତାଙ୍କ ହାତ କୁ ଟେକି ଦେଇଥିଲେ। ମାତ୍ର କାଳୁ କୁ ଷ୍ଟାର୍ଟ କରିବାରେ ଅସମର୍ଥ ହେଲେ ସେହି ବନ୍ଧୁ। ହର, ବନ୍ଧୁଙ୍କ ହାତରୁ କାଳୁକୁ ନେଇ ଗୋଟିଏ ଥରରେ ଷ୍ଟାର୍ଟ କରିଦେଲେ। କିନ୍ତୁ ମନ ମାନୁ ନ ଥାଏ। କାଳୁର ଶବ୍ଦ ଓ ଚାଲି କେମିତି ଖାପଛଡା ଲାଗିଲା ତାଙ୍କୁ। ବେଶ୍ କିଛି ସମୟ ଚାହିଁ ରହିଲେ ରାସ୍ତାକୁ, କାଳୁ ନଜର ଆଢୁଆଳରୁ ଅଦୃଶ୍ଯ ହେବାଯାଏ। କିଛି ସମୟ ପରେ ସେ ବନ୍ଧୁ, କାଳୁକୁ ଗଡେଇ ଗଡେଇ ଆଣିଲେ। ଦେଖିଲା ବେଳକୁ ହାତ, ଗୋଡରେ ଠାଏ ଠାଏ ଖଣ୍ଡିଆ ହୋଇ ରକ୍ତ ବାହାରୁଛି। ଚମକି ଉଠିଲେ ହର। କାଳୁର କିଛି ହୋଇନି ତ ! ସେ ଭୂଇଁ ଉପରେ ଲଥ୍ କରି ବସି ପଡିଲେ। ଦେଖିଲା ବେଳକୁ କାଳୁର ବିଭିନ୍ନ ଯାଗାରୁ ରଙ୍ଗ ଛାଡି ଯାଇଛି ଓ ତେଲ ଟାଙ୍କିଟି ଚେପା ହୋଇଯାଇଛି। ବନ୍ଧୁଙ୍କୁ କୌଣସି ସମବେଦନା ନ ଦେଖେଇ ସେ କାଳୁକୁ ଘର ଭିତରକୁ ଆଣିଲେ। ହରଙ୍କର ଏତାଦୃଶ ବ୍ଯବହାରରେ ଭୀଷଣ କ୍ଷୁବ୍ଧ ହୋଇ ବନ୍ଧୁ ସେ ଜାଗା ପରିତ୍ଯାଗ କଲେ। ହରଙ୍କର ଆଖିରେ ସ୍ପଷ୍ଟ ଦିଶୁଥିଲା ଅସହାୟତା। ତାଙ୍କର ମୁର୍ଖାମୀ ପାଇଁ ବିଚରା କାଳୁ ଆଜି କ୍ଷତାକ୍ତ ହେଲା। ଗ୍ଯାରେଜ୍ ରେ ବସି ବାରମ୍ବାର ମିସ୍ତ୍ରୀ କୁ କହୁଥିଲେ-- ବାବୁ ଟିକେ ଧିରେ କାମ କର। କାଳୁକୁ କଷ୍ଟ ହେବ ଯେ! କାଳୁ କିଏ, ଜାଣିବାର ତିଳେ ମାତ୍ର ଆଗ୍ରହ ନ ଥିବା ମିସ୍ତ୍ରୀ ମାର୍ତ୍ତୁଲ୍ ରେ ଢୋ ଢା ବାଡେଇ ବଙ୍କା ତେଲ ଟାଙ୍କିକୁ ସିଧା କରିବାରେ ଲାଗିଥିଲା।
ସ୍ତ୍ରୀ, ପିଲା ମାନଙ୍କୁ କାଳୁ ପିଠିରେ ବସେଇ ବଜାର ନେଲା ବେଳେ ହର କୁହନ୍ତି-- ଆରେ ଆମେ ତ ମଜା କଲେ , କାଳୁ ପାଇଁ କଣ ନେବା କୁହ? କେବେ ନୂଆ ହାତମୁଠା, ତ କେବେ ନୂଆ ସିଟ୍ କଭର, ପୁଣି କେବେ ନୂଆ ରଙ୍ଗ ବେଙ୍ଗିଆ ଲାଇଟ୍। ଗୋଟିଏ ସାନ ପିଲା ପରି, କାଳୁ ପାଇଁ ସବୁଦିନ କିଛି ନା କିଛି ନୂଆ ଜିନିଷ ଆସୁଥାଏ। କାଳୁ କେବଳ ଭଲପାଇବା ନେଇନାହିଁ, ତା ଠାରୁ ଢେର୍ ଅଧିକା କର୍ତ୍ତବ୍ଯବୋଧତା ଦେଖେଇଛି। ହରଙ୍କୁ ପିଠିରେ ବସାଇ ରାଜ୍ଯର ଅର୍ଦ୍ଧାଧିକ ଜିଲ୍ଲା ବୁଲେଇଛି, କିନ୍ତୁ କେବେ ମଝି ରାସ୍ତାରେ ଧୋକା ଦେଇନାହିଁ। ଗାଁଆ ପାଖ ପୁରୁଣୀ ନଦୀରେ କେତେ ଥର ବଢିଲା ପାଣିର ବୁକୁ ଚିରି ହର,ତାଙ୍କ ସ୍ତ୍ରୀ ଓ ପିଲା ମାନଙ୍କୁ ପାର କରେଇଛି। ବଡବଡ ଘାଟି ସବୁକୁ ଫୁତକାର ମାରି ଚଢିଛି। ବଣ ଜଙ୍ଗଲ ଭରା ଅଞ୍ଚଳରେ, କିଟିମିଟିଆ ଅନ୍ଧାରର ମୋଟା ଆସ୍ତରଣକୁ ନିଜ ହେଡ୍ ଲାଇଟ୍ ରେ ବିଦୀର୍ଣ୍ଣ କରି ହରଙ୍କୁ ସୁରକ୍ଷିତ ଗନ୍ତବ୍ଯସ୍ଥଳରେ ପହଞ୍ଚାଇଛି।
ଦିନେ ହର କୌଣସି ଜରୁରୀ କାମରେ ସହରକୁ ଯାଇଥିଲେ। ବାଟରେ ପଡେ ଜଗୁଆଳୀ ବିହୀନ ଏକ ରେଳ ଧାରଣା। ପ୍ରାୟ ସେ ସମୟରେ ରେଳଗାଡି ଯିବା ଆସିବା କରେ ନାହିଁ। ତେଣୁ ନିଶ୍ଚିନ୍ତ ହୋଇ ରେଳ ଧାରଣା ପାର କରିବାକୁ ଭାବିଲା ବେଳକୁ ଅଚାନକ୍ କାଳୁର ଷ୍ଟାର୍ଟ ବନ୍ଦ ହୋଇଗଲା। ଏକରକମ ଅଚଳ ମହାମେରୁ ପରି ସେ ଛିଡା ହୋଇରହିଲା। ଷ୍ଟାର୍ଟ ମାରି ଥକି ଗଲେ ହର। କ’ଣ ହୋଇଛି ବୋଲି ନିରେଖି ଦେଖିଲା ବେଳକୁ, ରେଳଇଞ୍ଜିନ୍ ର ଛାତିଥରା ହର୍ଣ୍ଣରେ ଚମକିି ଉଠିଲେ ସେ। ଓଃ ! କି ମର୍ମନ୍ତୁଦ ଦୃଶ୍ଯ। ରେଳଟି ଜଣେ ମୋଟର ସାଇକେଲ ଆରୋହୀର ଶରୀର କୁ ଛିନ୍ନବିଛିନ୍ନ କରି ଚାଲିଗଲା। ବିଚରା ଆରୋହୀଟି ରେଳ ଆସୁଛି ଜାଣି ନ ପାରି ଆଗକୁ ଚାଲି ଆସିଲା ଓ ନିମିଷକରେ କାଗଜ ଟୁକୁରା ପରି ବିଦୀର୍ଣ୍ଣ ହୋଇଗଲା। ତେବେ କଣ କାଳୁ ଜାଣି ପାରିଥିଲା ଆଗାମୀ ବିପଦ କୁ ? କଣ କାଳୁ ର ଶରୀର ଜୀବନ୍ତ ? ଏମିତି କେତେ ପ୍ରଶ୍ନ ଅସମାହିତ ହୋଇ ରହିଯାଇଥିଲା ହରଙ୍କ ମନ ଭିତରେ। ସମୟର ଚକ ଗଡି ଚାଲିଲା। ବୟସ ବଢିବା ସହ ଦାୟୀତ୍ବ ଓ କାମର ଚାପ ବଢିଚାଲିଲା। ବ୍ଯବସାୟ, ଘର ଓ ଗାଡି ମୋଟର ସଂଖ୍ଯାରେ ବୃଦ୍ଧି ଘଟିଲା। ଏବେ ହରବାବୁ ସହରର ନାମଜାଦା ବ୍ଯବସାୟୀ। ବିରାଟ ବଡ ବଙ୍ଗଳା ରେ ସବୁ ଗାଡି ପାଇଁ ତିଆରି କରାଯାଇଛି ପୃଥକ୍ ଗ୍ଯାରେଜ୍। କିନ୍ତୁ କାଳୁ ପାଇଁ ରହିଛି ଏକ ସ୍ବତନ୍ତ୍ର ଘର। ତାକୁ ଗ୍ଯାରେଜ୍ କୁହା ଯାଇପାରିବନି, କାରଣ ସେଇ ଘରେ ହରବାବୁଙ୍କର ଚେୟାର, ଟେବୁଲ୍ ଓ ଗୋଟିଏ ଖଟ ମଧ୍ଯ ପଡିଛି। ବ୍ଯବସାୟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସେ ଏହିଠାରେ ହିଁ ନିଅନ୍ତି।
ଏବେ ଗାଡି ସମାଜରେ କାଳୁ ଏକ ପ୍ରକାରର ବିଲୁପ୍ତ ଗାଡି ହିସାବରେ ଗଣ୍ଯ ଓ ତା ପାଇଁ ଆବଶ୍ଯକୀୟ ଯନ୍ତ୍ରପାତି ମିଳିବା ଦୂରୂହ ବ୍ଯାପାର। ମାତ୍ର, ହରବାବୁଙ୍କର ଚିହ୍ନା ଗାଡି ମିସ୍ତ୍ରୀ ହିଁ ଦେଖାଶୁଣା କରେ କାଳୁର। ସେ ଜାଣିଛି, ହରବାବୁଙ୍କ ଜୀବନରେ କାଳୁର ମହତ୍ତ୍ବ କଣ ଅଛି। ପିଲାମାନେ କାର୍ ରେ ଯିବା ଆସିବା କରନ୍ତି। କେବେ କେହି କାଳୁ ବିପକ୍ଷରେ ପଦେ କଥା କହିବାର ସାହାସ କରି ନାହାଁନ୍ତି। ନୋହିଲେ ଆଜିକାଲି ରାଜଦୁତ୍ ମୋଟର ସାଇକେଲକୁ ଦେଖିବାକୁ ହେଲେ, କବାଡିଖାନା ବା ଲୋକଙ୍କର ବାଡିପଟର ଅଳିଆ ଗଦା କୁ ଯିବାକୁ ହେବ। ହର ସଦାବେଳେ କାଳୁ ସାଙ୍ଗରେ ଦୋକାନ ଯାଆନ୍ତି। ପୁଅ ବୋହୁଙ୍କର ହଜାରେ ବାରଣ କୁ ବେଖାତିର କରନ୍ତି ସେ କୁହନ୍ତି – – ମୋ ଜୀବନ ଥିବା ଯାଏ କାଳୁ ମୋ ସହ ରହିବ। ମୋ ପରେ କାଳୁକୁ ଗୋଟେ କାଚ ଘରେ ସାଇତି ରଖିବ। ଖବରଦାର୍, କାଳୁ କୁ ବିକ୍ରି କରିବା ବା ଅନ୍ଯକୁ ଦେବା କଥା ଚିନ୍ତା ମଧ୍ଯ କରିବନି। ତାଙ୍କ ନିଷ୍ପତ୍ତି ର ବିରୋଧ କରିବାର ସାହାସ ଘରେ କାହାର ମଧ୍ଯ ନ ଥିଲା। ତେଣୁ ସେହି ନିଷ୍ପତ୍ତି ହିଁ ନିୟମ ପାଲଟି ଯାଇଥିଲା।
ହର, ଦୁର୍ଘଟଣାରେ ଭୀଷଣ ଭାବେ ଆଘାତପ୍ରାପ୍ତ ପିଲାଟିର ପାଖକୁ ଗଲେ। ଭଲରେ ନିରେଖି ଦେଖିଲେ ତାକୁ। ଏବେ ମଧ୍ଯ ରକ୍ତର ଧାର ବୋହି ଚାଲିଛି କିନ୍ତୁ ଶରୀରରେ ପ୍ରାଣ ଅଛି। ଯଦି ଏହି ସମୟରେ ଡାକ୍ତରଖାନା ନିଆଯିବ ପ୍ରାଣ ବଞ୍ଚିଯାଇପାରେ। ଆମ୍ବୁଲାନସ୍ ବା ପୋଲିସ୍ ରେ ଖବର ଦେବାର ସମୟ ନାହିଁ। ଟିକେ ବି ବିଳମ୍ବ ହେଲେ ପ୍ରାଣପକ୍ଷୀ ଉଡିଯିବ। ଆଗପଛ ବିଚାର ନ କରି ଜନତାଙ୍କୁ ଅନୁରୋଧ କଲେ, କୌଣସି ମତେ ପିଲାଟିକୁ ଡାକ୍ତରଖାନା ନେବାରେ ତାଙ୍କୁ ସାହାଯ୍ଯ କରିବାପାଇଁ। କିନ୍ତୁ ତାଙ୍କର କଥାଟି ଲୁହବୁହା ଗ୍ଯାସ୍ ପରି କାମ ଦେଲା। ଅର୍ଦ୍ଧାଧିକ ଲୋକ ବିପଦପୂର୍ଣ୍ଣ ଭବିଷ୍ଯତର ଆଶଙ୍କାରେ ଜାଗା ପରିତ୍ଯାଗ କଲେ। ସେ ମହାଜ୍ଞାନୀ ଟାଉଟରଟି ଆସି କହିଲା-- ଆଜ୍ଞା, ଆମକୁ କଣ ବୋକା ଭାବିଲେ କି ? ସେତିକି ବୁଦ୍ଧି କଣ ଆମ ମୁଣ୍ଡରେ ଜୁଟୁ ନ ଥଲା ? କିନ୍ତୁ ଯଦି ପିଲାଟାକୁ ନେଲା ବେଳକୁ ସେ ମରିଯିବ, କିଏ ଦାୟୀ ରହିବ? ସେ କଥା ଭାବନ୍ତୁ ଥରେ। କୀଳା ତା ବାଟରେ ଶନୈ ଶନୈ ଯାଉଛି, ତାକୁ ସିଟି ମାରି ଡାକିବାର କୌଣସି ପ୍ରୟୋଜନ ନାହିଁ।
– ସେ ଫାଲତୁ କଥା ବନ୍ଦ କର। ମନରେ ଏତେ ଡର ଅଛି ତ ଏ ଜାଗାରେ ଛିଡା ହୋଇ ତାମସା ଦେଖୁଛ କଣ ପାଇଁ? ଯଦି ଆମ ନିଜ ପିଲା ଏମିତି ରାସ୍ତାରେ ପଡିଥିବ ଓ ଲୋକେ ତୁମ ପରି ଭାଷଣ ଝାଡୁଥିବେ, କଣ ହେବ ଚିନ୍ତା କରି ପାରୁଛ ତ?
ଜୋକ ମୁହଁରେ ଲୁଣ ଦେଲା ପରି ସେ ଲୋକଟା ଚୁପ୍ ହୋଇଗଲା। ସେଠାରେ ଜମା ହୋଇଥିବା ଲୋକେ ସନ୍ଦେହ ଚକ୍ଷୁରେ ମହାଜ୍ଞାନୀକୁ ଚାହିଁବାକୁ ଲାଗିଲେ।
- - ହଉ ଆଜ୍ଞା, ଆପଣ ଠିକ୍ ମୁଁ ଭୁଲ। ପିଲାଟାକୁ ମେଡିକାଲ ନେବା, ମୁଁ ଧରି ବସିବି ସେଥିରେ ବି ମୁଁ ରାଜି। କିନ୍ତୁ ନେବା କେଉଁଥିରେ ? ଡାକ୍ତରଖାନାର ଦୂରତା ପାଖାପାଖି ତିରିଶ କିଲୋମିଟର,ପାହାଡିଆ ରାସ୍ତା। ଏ ପିଲାର ଅବସ୍ଥା ଯାହା, କାଳେ ସେ ମରିଯିବ ବୋଲି କେହି ରାଜି ହେବେନି। ତେବେ ନେବା କେଉଁଥିରେ।
ନୀରବ ହୋଇ ହର ରାଜଦୂତ୍ ପାଖକୁ ଗଲେ, ସିଟ୍ ଉପରେ ହାତ ଥୋଇକହିଲେ-- ମୋ ରାଜଦୂତ୍ ରେ ନେବା। ଯଦି ଅନ୍ଯ କେହି ନିଜ ଗାଡି ଦେବା ପାଇଁ ଆଗ୍ରହୀ ଅଛନ୍ତି, ତାଙ୍କ ଗାଡିରେ ନେବା।
ଲୋକଙ୍କ ଭିତରେ ଚାପା ଗୁଞ୍ଜରଣ। ସମସ୍ତେ ବଲବଲ କରି ହରଙ୍କର ମୁହଁକୁ ଦେଖି ଭାବୁଥାଆନ୍ତି ଲୋକଟିର ସ୍କୃ ଟିକେ ଢିଲା ଅଛି ବୋଧେ। ନୋହିଲେ ଶତାୟୁ ବୃଦ୍ଧ ସମ ରାଜଦୂତ ଗାଡିରେ ଜଣେ ମୂମୂର୍ଷୁ ଲୋକକୁ ପାହାଡିଆ ରାସ୍ତାରେ ଡାକ୍ତରଖାନା ନେବା କଥା ଚିନ୍ତା କରୁଛି କିପରି?
ଲୋକଙ୍କର ସମାଲୋଚନା, ଆଲୋଚନା ଓ ପର୍ଯ୍ଯାଲୋଚନା କୁ ଧୂଆଁରେ ଉଡେଇ କାଳୁ, ଚିରାଚରିତ ଗୁରୁଗମ୍ଭୀର ଧ୍ବନିରେ “ଧୁନ... ଧୁନ... ଧୁନ” କରି ମାଡିଚାଲିଥିଲା ରାସ୍ତା ଉପରେ ଗୋଟେ ଚିତା ବାଘପରି। ଟାଉଟର ଲୋକ ଜଣକ ପିଲାଟାକୁ ଜାବୁଡି ଧରି ଭାବୁଥିଲା-- ବେକାର ଟାରେ ଭଦ୍ରଲୋକି ଦେଖେଇ ଆଜି ଭଲ ନାମ ନେଲି। ଗାଡିଟି ଗନ୍ତବ୍ଯସ୍ଥଳରେ ପହଞ୍ଚିବନାହିଁ ଓ ଯେ କୌଣସି ସମୟରେ ପିଲାଟା ମରିଯାଇପାରେ ବୋଲି ସେ ନିଶ୍ଚିତ ଥିଲା। ସେସବୁ କୁ ବେଖାତିର କରି ହର ଗାଡିର ବେଗ ବଢେଇ ଚାଲିଥିଲେ। ଅଳ୍ପ ସମୟ ଭିତରେ ସବୁ ଗାଡିଙ୍କୁ ପଛରେ ଛାଡି, କାଳୁ ସଗର୍ବେ ଲକ୍ଷ୍ଯପଥରେ ରକେଟ୍ ପରି ଛୁଟିବା ଆରମ୍ଭ କଲା। କିମ୍ଭୁତ କିମ୍ଭାକାର ଶରୀର ବିଶିଷ୍ଟ ଉଗ୍ର ଆଧୁନିକ ଶୈଳୀରେ ନିର୍ମିତ ମୋଟର ସାଇକେଲ ସବୁ, କାଳୁ କୁ ଆଖି ଫାଡି ଦେଖିବାରେ ବ୍ଯସ୍ତ ଥିଲେ। ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ-- ରାସ୍ତାରେ ବିଜୁଳି ବେଗରେ ଦୌଡୁଥିବା ଏ ପ୍ରପିତାମହ ଜଣଙ୍କର ପରିଚୟ କ’ଣ ? ସେ କେଉଁ ଉପାଦାନ ରେ ଗଢା, ପୃଥିବୀବାସୀ ନା ଅନ୍ଯଗ୍ରହର ବାସିନ୍ଦା !
– – ଆଜ୍ଞା, ଟିକେ ଧିରେ ଚଲାନ୍ତୁ, ଆପଣଙ୍କର ଓ ଗାଡିର ବୟସକୁ ଟିକେ ସମ୍ମାନ ଦିଅନ୍ତୁ । ନୋହିଲେ ଏ ପିଲା ସହ ଆମେ ମାନେ ମଧ୍ଯ ମେଡିକାଲରେ ପଡିବା। ଆପଣ ଯେମିତି ଚଲାଉଛନ୍ତି, ମୋତେ ଲାଗୁଛି ଗାଡିର ଚକା ବାହାରି ଯିବ।
- - ବିଶ୍ବାସ ରଖନ୍ତୁ ଆପଣ। ମୋ କାଳୁ କେବେ ଧୋକା ଦେଇନି। ଅନ୍ତତଃ ଏମିତି ଅବସ୍ଥାରେ କେବେ ବି ନୁହଁ।
- - ଆଜ୍ଞା କଣ କହିଲେ କାଳୁ? ସେ କିଏ? ଆପଣଙ୍କର କୁକୁର ନାଁ କଣ? ତା’ର ଏ ସ୍ଥାନରେ କି କାମ ?
- - ମୋ ରାଜଦୂତ୍ ର ନାମ ହେଲା କାଳୁ। ହସିହସି କହିଲେ ହର।
- - ଓଃ, ତାହା ହେଲେ ଏମିତି କଥା। ଲୋକଟି ମୁଣ୍ଡରେ ହାତ ପିଟି ଭାବିଲା, ଆଚ୍ଛା ପାଗଳାବୁଢା ହାବୁଡରେ ପଡିଲି ଆଜି। ଶେଷକୁ ଗାଡି କୁ ନାମ ଧରି ଡାକୁଛି ? ବୟସ ସତୁରୀ କିନ୍ତୁ ଗାଡି ଚଲଉଛି, କଲେଜ୍ ଟୋକାଙ୍କ ପରି। ପବନରେ ବୁଢାର ପାଚିଲା ଚୁଟି ଉଡି ଯାଆନ୍ତା କି, ଆଖି ଡୋଳା ଓଲଟି ପଡନ୍ତା କି ? ଗାଡି ସହ ଲୋକଟିର ପଞ୍ଜରା ହାଡ ଥରିଗଲା ପରି ଲାଗୁଛି। ପାହାଡ ଆରମ୍ଭ ହୋଇଗଲାଣି। ଯଦି ଏତିକି ବେଳେ ଗାଡିଟା ବନ୍ଦ ହୋଇଯିବ, ପିଲାଟା ସ୍ବାହା ହୋଇଯିବ। ମନରେ ସମୁଦ୍ର ଲହଡି ପରି ଉଦବେଳିତ ହେଉଥିବା କୁଚିନ୍ତା ସବୁକୁ ଦମନ କରି ସେ ସାବଧାନ ହୋଇ ବସିଲା।
ଜଣେ ପୋଖତ ଗାଡି ଚଳାଳି ପରି ହର, ଅଙ୍କାବଙ୍କା ପାହାଡିଆ ରାସ୍ତାରେ ଆଗକୁ ମାଡିଚାଲିଥିଲେ। ଲୋକଟି ଉଦ୍ଦେଶ୍ଯରେ କହିଲେ -- ଆଉ ଦଶ କିଲୋମିଟର ରହିଲା। ବ୍ଯସ୍ତ ହେବାର କାରଣ ନାହିଁ, ଆମେ ପହଞ୍ଚିଯିବା। ପିଲାଟି କେମିତି ଅଛି।
– - ଆଜ୍ଞା, ଭଲ ଅଛି ବୋଲି ତ କହି ହେବନି, କିନ୍ତୁ ଛାତି ଭିତରେ ଘାଇଲା ହୃତପିଣ୍ଡଟା “ଧୁଡୁ ଧୁଡୁ ଧୁ....ଡୁ ଧୁ...........ଡୁ ହୋଇଚାଲିଛି। ମଝିରେ ମଝିରେ ହିକ୍କା ମାରି ପାଟି ମେଲା କରି ଦେଉଛି।
ପିଲାଟି ପ୍ରତି ଲୋକଟିର ବ୍ଯଙ୍ଗାତ୍ମକ ଭାବ ଦେଖି ହର ମନେମନେ ଚିଡି କହିଲେ -- କି କୁତ୍ସିତ ଚିନ୍ତାଧାରା ଲୋକଟାର, ଛିଃ।
ସେତିକି ବେଳକୁ କାଳୁର ବେଗ ଅଚାନକ କମିଲା ପରି ଲାଗିଲା। ବେଗ ବଢାଇବାକୁ ଚେଷ୍ଟା କରି ବିଫଳ ହେଲେ ହର। ତିନି ଚାରି ଥର ଧକ୍କା ମାରିବା ପରି ହୋଇ କାଳୁ ରାସ୍ତା ମଝିରେ ଛିଡା ହୋଇଗଲା। ବଜ୍ର ପଡିଲା ପରି ଲାଗିଲା ହରଙ୍କୁ। ଏମିତି କଦାପି ହୋଇ ନ ପାରେ। ଏ ସଙ୍ଗୀନ ଅବସ୍ଥାରେ କାଳୁ ହାତ ଛାଡିଦେବ, ସେ କଥା ତାଙ୍କର ଚିନ୍ତାଶକ୍ତି ବାହାରେ ଥିଲା। ଲୋକଟି ପଛପଟରୁ ଦାନ୍ତ ନିକୁଟି କହିଲା-- ଆଜ୍ଞା, ଆପଣଙ୍କ କାଳୁ ଓ ପିଲାଟିର ଜୀବନ ନାଟିକା ଏଇଠି ସରିଲା। ବ୍ରିଟିଶ୍ ଅମଳର ଗାଡିକୁ ଆପଣ ଯେମିତି ରାମ୍ପି ବିଦାରି ଚଲେଇଲେ , ବିଚରାର ହୃଦୟ ବିଦୀର୍ଣ୍ଣ ହୋଇଯାଇଥିବ। ମୋତେ ଲାଗୁନି, ଆଉ ସେ ଷ୍ଟାର୍ଟ ହେଲାପରି। ବରଂ ଆମେ ଅନ୍ଯ ଗାଡିକୁ ହାତ ଦେଖେଇ ରଖିବାକୁ ଚେଷ୍ଟା କଲେ ଡାକ୍ତରଖାନାରେ ପହଞ୍ଚିଯିବା। ସେ ଲୋକଟି ପିଲାକୁ ଧରି ଗାଡିରେ ବସିଥିଲା ଓ ହର କୌଣସି ମତେ ଗାଡିରୁ ଓହ୍ଲେଇଲେ। ଇଞ୍ଜିନ୍ ରୁ ନିଆଁ ଧାସ ପରି ତାତି ବାହାରୁଛି। କେବଳ ସିଟ୍ କୁ ଛାଡିଦେଲେ, କାଳୁର ସମଗ୍ର ଶରୀର ଅଗ୍ନୀ ପିଣ୍ଡୁଳାସମ ଉତ୍ତପ୍ତ।
କାଳୁ ସାମନାରେ ହର ହାତଯୋଡି ଛିଡାହୋଇ କହିଲେ-- କାଳୁ, ମୁଁ ଜାଣେ ତୋତେ ଭୀଷଣ କଷ୍ଟ ହେଉଛି। କିନ୍ତୁ ଯଦି ଏପରି ସମୟରେ ତୁ ମୋ ହାତ ଛାଡିଦେବୁ ପିଲାଟି ମରିଯିବ। ମୋ ଧନଟା ପରା, ଆଉ ଅଳ୍ପ ବାଟ। ତୁ ଅନ୍ଯ ମାନଙ୍କ ପାଇଁ ଗୋଟେ ଗାଡି ହୋଇପାରୁ, କିନ୍ତୁ ମୋ ପାଇଁ ଏକ ଜୀବନ୍ତ ଅସ୍ତିତ୍ବ। ତୁ ମୋତେ କେବେ ନିରାଶ କରିନୁ, ଆଜି ତୋ ଆଗରେ ହାତଯୋଡି ଏ ପିଲାଟିର ପ୍ରାଣଭିକ୍ଷା କରୁଛି। ଲମ୍ବ ହୋଇ ରାସ୍ତାଟା ଉପରେ ଶୋଇଗଲେ ହର, କାଳୁକୁ ଦଣ୍ଡବତ ମାରିବା ଭଙ୍ଗୀରେ।
– ଲୋକଟା ସତସତିକା ପରମ ପାଗଳାଟା। କିସ ନ ଦେଖିଲା ମୋ ନୟନ ଆଜି। ଗୋଟେ ଗାଡିକୁ ଏ ପାଗଳା ଯେମିତି ଦଣ୍ଡବତ ହେଉଛି, ସେଇ ଫଟୋ ଖବରକାଗଜରେ ବାହାରିବା କଥା। ଆଜି କାହା ମୁହଁ ଚାହିଁଥିଲି କେଜାଣି, ସୃଷ୍ଟି ବାହାର ଜିନିଷ ମୋ ଚକ୍ଷୁ ସାମନାରେ ଘଟି ଚାଲିଛି। ମନ କୁ ମନ ବିଡି ବିଡେଇ ଲୋକଟି କହିଲା।
ତେଲ ଟାଙ୍କିରେ ହାତ ବୁଲେଇ ହର କହିଲେ-- କାଳୁ, ଚାଲ ଏବେ ଯିବା। ସେ ପିଲାର ଜୀବନ ବଞ୍ଚେଇବାକୁ ହେବ।
ଗୋଟିଏ ଥରରେ କାଳୁ ପୁଣି ଥରେ ଧୁନ୍ ଧୁନ୍ ଶବ୍ଦ କରିବା ଆରମ୍ଭ କରିଦେଲା। ଖୁସିରେ ହର ଗୋଟିଏ ଚୁମା ନିକ୍ଷେପ କଲେ ତା ଉଦ୍ଦେଶ୍ଯରେ। ସାମନାରେ ଘଟି ଚାଲିଥିବା ଘଟଣା କୌଣସି ଚଳଚିତ୍ରର ଦୃଶ୍ଯଠାରୁ କମ୍ ନ ଥିଲା। କିଛି ସମୟ ଭିତରେ କାଳୁ ସଗୌରବେ ଡାକ୍ତରଖାନା ହତାରେ ପ୍ରବେଶ କଲା। ପିଲାଟିର ଚିକିତ୍ସା ଯଥାଶିଘ୍ର ଆରମ୍ଭ ହୋଇଗଲା। ମହାଜ୍ଞାନୀ ଲୋକଟି ଆଖି ମଳି ହର ଓ ତାଙ୍କ କାଳୁକୁ ଦେଖିବାରେ ନିମଗ୍ନ ଥିଲା। ହର କାଳୁ ଦେହରେ ଲାଗିଥିବା ଧୂଳି ଝାଡିବାରେ ବ୍ଯସ୍ତଥିଲେ। ଲୋକଟିର ମନରେ ଖାଲି ଗୋଟିଏ ପ୍ରଶ୍ନ ବାରବାର ଉଠୁଥିଲା-- କାଳୁ କଣ ସତରେ ଜୀବନ୍ତ ? ଅଜାଣତରେ ଲୋକଟିର ଦୁଇ ହାତ, କାଳୁ ଉଦ୍ଦେଶ୍ଯରେ ପ୍ରଣାମ କରିବା ମୁଦ୍ରାରେ ଉଠିଗଲା।
ଅରବିନ୍ଦ ରଥ