Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସ୍ୱପ୍ନରେ ସତ୍ୟର ଝଲକ
ସ୍ୱପ୍ନରେ ସତ୍ୟର ଝଲକ
★★★★★

© Roja Panda

Inspirational

4 Minutes   7.6K    28


Content Ranking

କେଉଁ ଅଦେଖା ହାତର ଦରଦୀ ସ୍ପର୍ଶରେ ହଠାତ ମୋ ଆଖି ପଡିଲା ପଛରେ ଥିବା ଏକ ମହାନ ବ୍ୟକ୍ତିତ୍ୱଙ୍କ ଚେହେରା ଉପରେ । ସେ ଥିଲେ ଅତ୍ୟନ୍ତ ସ୍ଵଚ୍ଛଳ ,ସ୍ୱାଭିମାନୀ ଓ ଅପରିଗ୍ରାହୀ । ସେ ରହୁଥିବା ସ୍ଥାନର ନାମ ହେଉଛି ଯାଜପୁର । ଘଟଣା ବହୁଳ , ଅନେକ ମିଠା ମିଠା ସ୍ମୃତିରେ ଭରପୁର । ଯେମିତି ସ୍ୱର୍ଗକୁ ଏହିଠାରୁ ସିଧା ରାସ୍ତା ପଡିଛି । ସେମିତି ଏକ ସ୍ଥାନରେ ଏହି ମହାନ ବ୍ୟକ୍ତିତ୍ୱଙ୍କର ଜନ୍ମ । ତାଙ୍କରି ଅନ୍ତର୍ନିହିତ ସଂସ୍କାରରେ ମୋ ଜୀବନ ଗଢ଼ା । ଯେଉଁ ବ୍ୟକ୍ତି ନିଜର ଲୁହର ବଳିଦାନରେ ସମସ୍ତଙ୍କୁ ଖୁସି ଦେବାକୁ ଚେଷ୍ଟା କରିଚାଲିଛନ୍ତି । ଅନେକ ଥର ମୁଁ ଭାବିଛି ଏ କଥାଟିର ଆରମ୍ଭ କେଉଁଠୁ କରିବି ? ଆମ ଜୀବନରେ ଘଟୁଥିବା ପ୍ରତ୍ୟେକ ଘଟଣା କଣ ଆମ ନିର୍ଦ୍ଧାରିତ ଯୋଜନାରେ ଅନ୍ତର୍ଭୁକ୍ତ । ତର୍ଜମା କରିବସିଲେ ତ ଏହା ଗୋଟିଏ ନିଷ୍କର୍ଷ ବିହୀନ ଯୁକ୍ତିଟିଏ ହେବ ।

ହୁଏତ ମୁଁ କେବେ ଭଗବାନଙ୍କୁ ଖୋଜି ବୁଲୁଥିଲି । ତେବେ ଅନେକ ସମୟରେ ଚପଳ ଜ୍ଞାନଟା ମୋର ପ୍ରମାଣ ଖୋଜି ବୁଲୁଥିଲା ଭଗବାନଙ୍କର ଅସ୍ତିତ୍ୱ ଉପରେ । ଆଉ ସେତେବେଳେ ବାରମ୍ବାର ମୋର ଅନୁଭବର ପ୍ରମାଣଟା ନିଜର ଅକ୍ଷମତା ପ୍ରକାଶ କରୁଥିଲା ଅବିଶ୍ୱାସର ପରିଧିରେ ସୀମିତ ଥିବା ମୋର ଜ୍ଞାନ ବାରିଧିକୁ ଅତିକ୍ରମଣ କରିବାରେ । ବାରମ୍ବାର ପ୍ରଶ୍ନ ପରେ ପ୍ରଶ୍ନ ମୋ ଆଗରେ ମୁଣ୍ଡ ଟେକି ଛିଡା ହୋଇଯାଉଥିଲା ସମୟ ସମୟରେ । ଆଜି ବୁଝିପାରୁଛି ଯେ ଭଗବାନ ପ୍ରକୃତରେ ମୋ ପାଖରେ ଥିଲେ । ସେ ହେଉଛନ୍ତି ମୋ ବାପା । ଯାହାଙ୍କ ଭିତରେ ଭରି ରହିଛି ଆକାଶକୁ ଛୁଇଁ ଯିବାର ଉଦ୍ଧାମତା , ବୟସର ତାଡନାକୁ ଜିତିବାର ସାହସ , ପ୍ରତିଦିନକୁ ନୂଆ କରି ବଞ୍ଚିବାର ଉତ୍ସୁକତା ।

ମୁଁ ପଛକୁ ବୁଲି ତାଙ୍କ ଆଖିକୁ ଦେଖିଲି । ଚକ୍ଷୁ ପଲକରେ ତାଙ୍କର ଥିଲା ଗତ ରାତିର ନିଦ୍ରା-ପୂର୍ବ ଅନୁଭବକୁ ପରାଭୂତ କଲା ଭଳି କଅଁଳିଆ ସହାନୁଭୂତି । ମନରେ ଭୟ ଓ ଉତ୍କଣ୍ଠାର କୁହେଳି ।

ହରର ଫିଲ୍ମର ଭୂତ ପରି ତାଙ୍କ ଛାଇ ଲମ୍ବିଥିଲା ମୋ ସାମ୍ନାରେ । ଭିତରେ ଭିତରେ ବେଶ ଆମୋଦିତ ହେଉଥିଲି ମୁଁ ତାଙ୍କୁ ଦେଖି । ମୁଁ ଖୁସିରେ ଉଠି ପଡି ପଚାରିଲି ବାପା, ''ତମେ ଏଠି '' । ବାପା ବି ମତେ ଦେଖି ବେଶ ଖୁସି ହୋଇଯାଇଥିଲେ । କହିଲେ ହଁ ରେ ମା’ , କାଲି ରାତିରେ ଏକ ଭୟଙ୍କର ସ୍ୱପ୍ନ ଦେଖିଲି ତ, ସେଥିପାଇଁ ମନ ମୋର ସମ୍ଭାଳି ହେଲାନି ରେ ମା’, ତତେ ଦେଖିବାପାଇଁ ଚାଲିଆସିଲି ।

ମୁଁ ଟିକେ ହସିଦେଇ କହିଲି, ''କି ସ୍ୱପ୍ନ ବାପା'' ହୋଉ ସେ କଥା ଛାଡ , ଚାଲ ଘରକୁ ଯିବା । ବାପା କିନ୍ତୁ ତାଙ୍କ ଦେଖିଥିବା ସ୍ୱପ୍ନଟିକୁ ମତେ ବିସ୍ତାର କରିବାକୁ ଚାହୁଁଥିଲେ ।

ମୁଁ ଜାଣିପାରି କହିଲି ଠିକ ଅଛି ବାପା, ''ତୁମେ କଣ ସ୍ୱପ୍ନ ଦେଖିଥିଲ କୁହ ତ ଟିକେ''.......

ବାପା ଆରମ୍ଭ କଲେ ,'' ଦୂରରେ ଦେଖିଲି ଗୋଟେ ସୁନ୍ଦର ପାହାଡ । ତା ଉପରେ ସୂର୍ଯ୍ୟର କିରଣ ବେଶ ମନମୁଗ୍ଧକର ଭାବେ ଝଲମଲ କରୁଛି । ନାନା ପ୍ରକାରର ପକ୍ଷୀଙ୍କର କିଚିରିମିଚିରି ସ୍ୱରରେ ସତେ ଯେମିତି ସରସ୍ୱତୀଙ୍କର ବୀଣା ବାଦନର ଝଙ୍କାର ଆସୁଛି ସେ ଦୂର ପାହାଡର ମଧ୍ୟଦେଶରୁ । ସବୁଜ ସବୁଜ ବୃକ୍ଷ ସବୁ ସେଇ ପାହାଡକୁ ଘୋଡେଇ ରଖିଛନ୍ତି । ସତେ ଯେମିତି ମନେ ହେଉଛି ଗୋଟେ ସୁନ୍ଦର ସବୁଜ ଶାଢ଼ୀ ପିନ୍ଧି ସେଇ ଦୂର ପାହାଡଟା କାହାକୁ ତାର ବକ୍ଷକୁ ହାତ ଠାରି ଡାକୁଛି । ସେଇ ପାହାଡର ବକ୍ଷ ଚିରି ଝରଣାଟିଏ ମଧ୍ୟ କୁଳୁକୁଳୁ ହୋଇ ବହି ଚାଲିଛି । ମନେହେଉଛି ଯେମିତି ସେଇ ଦୂର ପାହାଡର ଅନ୍ତର୍ଦେଶରେ ଛୋଟିଆ ସ୍ଵର୍ଗପୁରୀଟିଏ ଅଛି । ତୁ ମଧ୍ୟ ଆଗ୍ରହର ସହିତ ସେଇ ଦୂର ପାହାଡ ପ୍ରତି ଧୀରେ ଧୀରେ ଆକୃଷ୍ଟ ହେବାକୁ ଲାଗିଛୁ । ତୋ ଖୁସିକୁ ଆଖି ଆଗରେ ରଖି ମୁଁ ତତେ ସେଇ ପାହାଡ ନିକଟକୁ ନେଇଚାଲିଛି । ଅନେକ କଣ୍ଟାର ଆଘାତ, ଅନେକ ଖାଲଢିପ ରାସ୍ତାକୁ ଅତିକ୍ରମ କରି ଆମେ ଦୁହେଁ ଶେଷରେ ସେଇ ଦୂର ପାହାଡର ଅନ୍ତର୍ଦେଶରେ ପହଞ୍ଚି ଯାଇଛେ । ସେଠି ଉପସ୍ଥିତ ଥିବା ପରିଜନମାନେ ତତେ ଏକ ଛୋଟ ଲାଲ ପରୀ ଭାବରେ ଖୁବ ଆଦର ଯତ୍ନରେ ଆପଣେଇ ନେଉଛନ୍ତି । ଖୁବ ମିଠା କଥାରେ ତୋ ମନକୁ କିଣିନେଉଛନ୍ତି । ନାନା ପ୍ରକାରର ଦାମୀ ଦାମୀ ଉପହାର,ଖାଦ୍ୟ, ବସ୍ତ୍ର ଓ ଅଳଙ୍କାରରେ ତତେ ସେମାନେ ସ୍ୱାଗତ କରୁଛନ୍ତି । ତତେ କରୁଥିବା ସ୍ୱାଗତ ଦେଖି ମୁଁ ଖୁସିରେ ଆତ୍ମହରା ହୋଇ ଶେଷରେ ସେଠାରେ ତତେ ଛାଡି ଏକାକୀ ସେଠୁ ବିଦାୟ ନେଇ ମୋ କୁଡିଆକୁ ଆଗମନ କରୁଛି । ଏମିତି କିଛିଦିନ ବିତିଯାଇଛି । ହଠାତ ଆଉଥରେ ମୁଁ ସେଇ ବାଟଦେଇ ଯାଉଥିଲି କେଉଁ ଏକ ଜରୁରୀ କାମରେ । ମୋର ଆଖିରେ ପଡିଲା ଏକ ଅସହିଷ୍ଣୁ ଦୃଶ୍ୟ ।ମୁଁ ଦେଖିଲି ତୁ ରକ୍ତାକ୍ତ ହୋଇ ବହୁତ କ୍ଷତ ବିକ୍ଷତ ହୋଇ ସେଇ ଦୂର ପାହାଡର ପାଦଦେଶରୁ ଗୁରୁଣ୍ଡି ଗୁରୁଣ୍ଡି ମୋ କୁଡ଼ିଆ ଆଡକୁ ଆସୁଛୁ । ତୋ ଆଖିରୁ ଲୁହର ସାଗର ଛୁଟୁଛି । ଦେହରେ ଟିକେବି ଶକ୍ତି ନାହିଁ । ବେସାହାରା ପରି ତୁ ଦେଖାଯାଉଚୁ । ମୁଁ ଦଉଡିଯାଇ ତତେ କୋଳକୁ ନେଇ ପଚାରିଲି ,''ମା ତୁ ସେ ସୁନ୍ଦର ଦୂର ପାହାଡକୁ ଛାଡି ଏଠି , ଏଇ ଅବସ୍ଥାରେ । କଣ ହେଇଚି ତୋର ? ତୁ ଧୀର କଣ୍ଠରେ ସେଇ ସୁନ୍ଦର ଦୂର ପାହାଡର ଶିଖରକୁ ହାତ ଠାରି କହିଚାଲିଛୁ ,.............................

''ବାପା ଦୂର ପାହାଡ ସୁନ୍ଦର ପରା । ପାଖକୁ ଗଲାପରେ ହିଁ ଜଣାପଡେ ଯେ ପ୍ରକୃତ ସୁନ୍ଦରତାଟା କଣ ଆଉ କେଉଁଠି ଥାଏ । ସବୁ ଚକ ଚକ କରୁଥିବା ଜିନିଷ ସୁନା ନୁହେଁ ବାପା । ମହାକାଳ ଫଳ ତ ବାହାରୁ କେତେ ସୁନ୍ଦର , ପୁରା ଲାଲ ଟୁକୁ ଟୁକୁ ସାଧବ ବୋହୁ ପରି । ହେଲେ ତାକୁ ଫାଳ କରି ତା ଭିତରେ ଦେଖିଲେ ଭିତରଟା କିପରି କଦାକାର ଆଉ କଳା ଅଙ୍ଗାର ତାହା ଜାଣିହେବ । ଏତିକି କହି ତୁ ସବୁ ଦିନ ପାଇଁ ଆଖି ବୁଜିଦେଲୁ । ମୁଁ ଜାଣି ବି ପାରିଲିନି ଯେ, ପ୍ରକୃତରେ ସେ ଦୂର ପାହାଡରେ ତୋ ସହିତ କଣ ଘଟିଥିଲା'' ।

ବାପା ଏତିକିରେ ତାଙ୍କ ସ୍ଵପ୍ନ ଶେଷ କଲେ । ସେତେବେଳକୁ ମୋ ଆଖିରୁ ଦୁଇ ଚାରି ଧାର ଲୁହ ଗଡିଯାଇ ମୋ ଆଖିର କଜ୍ଜଳକୁ ଧୋଇ ସାରିଥିଲା । ମୁଁ ନିଜ ଲୁହକୁ ଲୁଚାଇ ବାପାଙ୍କୁ ଚାହିଁ କହିଲି, ''ବାପା ସ୍ୱପ୍ନ କଣ କେବେ ସତ ହୁଏ । ତୁମେ ଡରନି । ମୁଁ ବିଲକୁଲ ଠିକ ଅଛି । ଯାହା ପାଖରେ ଈଶ୍ୱର ପ୍ରେରିତ ସୌମ୍ୟ ନାମକ ରକ୍ଷା କବଚ ଅଛି ତାର ପୁଣି କଣ ହେବ । ସେ ତ ସବୁବେଳେ ସୁରକ୍ଷିତ । କାରଣ ତାର ସୁରକ୍ଷା ବଳୟ ସାଜିଛି ଏବେ ଈଶ୍ୱର ପ୍ରେରିତ ସୌମ୍ୟ ଯିଏ ପ୍ରତି ମୁହୁର୍ତ୍ତରେ ତାକୁ ସବୁ ଭୟଙ୍କର ଶତ୍ରୁଙ୍କ ପାଖରୁ ରକ୍ଷା କରୁଛି'' ।

ମୋର ଏହି ଆଶ୍ବାସନା ଭରା କଥା ଶୁଣି ବାପା ଟିକେ ଆତ୍ମ ତୃପ୍ତି ଲାଭ କଲେ । ଆଉ ମୋ ପାଖରୁ ବିଦାୟ ନେବାପାଇଁ ମତେ କହିଲେ,''ତୁ ତ ବିଲକୁଲ ଠିକ ଅଛୁ ମା , ମୁଁ ଏବେ ଆସୁଛି । ଏତିକି କହି ସେ ଚାଲିବାକୁ ଲାଗିଲେ ଆଗକୁ, ନିଜ କୁଡ଼ିଆ ଆଡକୁ । ମୁଁ ସେମିତି ସ୍ଥାଣୁ ପରି ତାଙ୍କୁ ଚାହିଁ ଠିଆ ହୋଇଥାଏ ଆଉ ଭାବୁଥାଏ ଏଇଟା ବାପାଙ୍କର ସ୍ୱପ୍ନ ନା ସତ୍ୟର ଏକ ଝଲକ ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର , ମଧୁପାଟଣା

ସ୍ୱାଭିମାନୀ ଜ୍ଞାନ ଆତ୍ମତୃପ୍ତି

Rate the content


Originality
Flow
Language
Cover design

Comments

Post

Some text some message..