ମାଆ
ମାଆ
ମାଁ ମାଁ ବୋଲି ଶିଶୁ ଟି ରଡ଼ି ଛାଡି କାନ୍ଦୁଥାଏ, କ୍ରନ୍ଦନରେ ଦେଖେଣାହାରୀ ଙ୍କ ଛାତି ଫାଟିଯାଉ ଥାଏ, ମୁଁ ମୁହଁରେ ମାସ୍କ ପିନ୍ଧି ସେହି ବାଟେ ଚାଲି ଚାଲି ଏକ ବନ୍ଧୁ ଘରକୁ ଫୁଲ ଗଛ ଆଣିବାକୁ ଯାଉଥିଲି, ସକାଳ ଆଠଟା, ରାସ୍ତା ଗହଳି ହୋଇ ଆସୁଥାଏ,ଗଛ ମୂଳରେ ଏକ ସିମେଣ୍ଟ ପିଣ୍ଡି ଥାଏ, ସେହି ଠାରେ ମାଆ ଟି ଶୋଇଥାଏ ଓ ଶିଶୁ ଟି କାନ୍ଦି କାନ୍ଦି ତାକୁ ଉଠେଇ ବାକୁ ଚେଷ୍ଟା କରୁଥାଏ, ମୁଁ ଏହା ଦେଖି ଟିକିଏ ଅଟକି ଗଲି, ସେତେବେଳକୁ ଦୁଇ ତିନି ଜଣ ଠିଆହୋଇ ଦୂରେଇ ହୋଇ ଦେଖୁଥିଲେ, କାରଣ କୋରୋନା ସମୟ, ସମସ୍ତଙ୍କର ମନରେ ଏକ ଭୟର ବାତାବରଣ ଘୋଟିଛି, କେହି ଛୁଉଁ ନଥାନ୍ତି କାଳେ କିଛି ଅଘଟଣ ଘଟିନିତ?? ମୁଁ ମଧ୍ୟ ଏହି କୋରୋନା ଭୟରେ ମା ଟିକୁ ହଲାଇ ପାରୁନଥିଲି, କିଛି ବୁଦ୍ଧି ଦିଶିଲାନି, ପୋଲିସ କୁ ଫୋନ୍ କରିଲି, ସାଙ୍ଗେ ସାଙ୍ଗେ ପୋଲିସ ଗାଡି ଆସିଗଲା, ସେମାନେ ସବୁ ପିନ୍ଧି ନାରୀ ଟିକୁ ହଲାଇ ଡାକିଲେ, ମୁଁ ଦେଖିଲି ମାଆ ଟି ମୋଟେ ଶୁଣୁନି, ଅଜଣା ଭୟ ମନ ଭିତରେ ଉଙ୍କି ମାରିଲା ।
ପୋଲିସ ଦୁଇ ଜଣ ଆମ୍ବୁଲାନ୍ସ ଡାକିଲେ, ଏହାରି ମଝିରେ ମୁଁ ସେମାନଙ୍କୁ ପଚାରିଲି.... ସାର୍ କଣ ହୋଇଛି ବୋଲି ଭାବୁଛନ୍ତି? ସେମାନେ ଉତ୍ତର ଦେଲେ ବୋଧହୁଏ କୋରୋନା ରେ ମୃତ୍ୟୁ ହୋଇଛି, ପରୀକ୍ଷା କଲେ ଜଣାପଡିବ, ମୁଁ ଥମ୍ କରି ସେହି ପିଣ୍ଡିରେ ଗୋଟିଏ କଣରେ ବସିପଡ଼ିଲି ପିଲାଟିର କଣ ହେବ ଭାବି......
କିଛି ସମୟ ପରେ ଏକ ଦମ୍ପତ୍ତି ସେଠାରେ ପହଞ୍ଚିଲେ, ସ୍ତ୍ରୀ ଟି ଛୁଆକୁ ଜାକି କୋଳେଇ ନେଲେ ଓ ନିଜ କାନ୍ଧରେ ଶୁଆଇ ଥାପୁଡାଇଲେ, ସତେ ଯେପରି ସେ ତାର ପ୍ରକୃତ ମାଆ, ଆମ୍ବୁଲାନ୍ସ ରେ ମୃତ ମା'ର ଡେଡ୍ ବଡିକୁ ନିଆଗଲା, ବୋଧେ ସ୍ବାମୀ ପରିତ୍ୟକ୍ତ ମହିଳା ଟି ଥିଲା, ଛୁଆ କୁ ଧରି ଭିକ୍ଷା ବୃତ୍ତି କରୁଥିଲା, ବର୍ଷକ ଭିତରେ ଶିଶୁ ଟି ହେବ, ଆଖି ଦୁଇଟି ବଡ଼ବଡ଼, କାନ୍ଦି କାନ୍ଦି ମୁହଁ ଟି ଶୁଖି ଯାଇଛି, ଏହି ଦେବୀ ପ୍ରତିମା ତୁଲ୍ୟ ନାରୀ ଟି ତାକୁ ଯେଉଁ ଭଳିଆ ବିକଳ ହୋଇ ଟେକି ନେଇ କାନ୍ଧରେ ପକେଇ ଥାପୁଡାଇଲେ….... ପୁରା ଲାଗୁଥିଲା ବୋଧେ ତାଙ୍କର ଛୁଆଟିକୁ ମୃତ ମହିଳା ନେଇ ଆସିଥିଲା, ସେ ଖୋଜି ଖୋଜି ଖବର ପାଇ ଆସି ତାଙ୍କ ଛୁଆ ଟିକୁ ପାଇଲେ, ତାଙ୍କ ଧନମଣି କୁ ସେ ପାଇ ଖୁସିରେ ଗଦ୍ ଗଦ୍ ହୋଇ କାନ୍ଦୁଥିଲେ, ତାଙ୍କ ସ୍ବାମୀ ହସ ହସ ମୁହଁରେ ତାଙ୍କ ଚକ୍ଷୁ କୁ ଦେଖୁଥାଆନ୍ତି, ମୁଁ ଦେଖିଲି ଏହି ଦମ୍ପତ୍ତି ଏକ କାର୍ ରେ ଏହି ଛୁଆକୁ ନେଇ ଚାଲିଗଲେ, ମୁଁ ଭାବିଲି ଏମାନେ କିଏ? କେମିତି ଖବର ପାଇଲେ ଓ ପୋଲିସର ବିନାନୁମତିରେ ଛୁଆକୁ କେମିତି ନେଇଗଲେ??
ମୁଁ ଘରକୁ ଫେରି ମୃତ ମା'ର କଥା ମନେ ପକେଇ ଦୁଃଖ କରିବା ସଙ୍ଗେ ସଙ୍ଗେ ଏହି ମହାନ୍ ନାରୀ ବିଷୟ ଭାବୁଥିଲି, ଧନୀକ ଶ୍ରେଣୀର, ଛୁଆ କୁ ଏହି ମାଆ ର ସ୍ନେହ ମମତା ମିଳିବ,ଭଲ ଶିକ୍ଷା ମିଳିବ,ତାର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ଏହି ଆଶୀର୍ବାଦ କରୁଥିଲି ।
ମାଆ କୁ ଇଶ୍ଵର ଭାବିଚିନ୍ତି ଗଢ଼ିଛନ୍ତି, ସେ ଜନ୍ମଦାତ୍ରୀ ସହିତ ମମତାର ମନ୍ଦିର, ବଳିଦାନ ଓ ତ୍ୟାଗ ର ମୂର୍ତ୍ତି, ପ୍ରେରଣା ର ଉତ୍ସ, ମହାନ୍ ଗୁରୁ ଓ ପ୍ରେମ ର ଋପ,।
ପୃଥିବୀ, ବୃକ୍ଷ, ଜନନୀ ସତେ ଯେପରି ଇଶ୍ଵରଙ୍କ ଅନବିଦ୍ୟ ସୃଷ୍ଟି, ଅତୁଳନୀୟ, ଚୀର ବନ୍ଦନୀୟ ।