Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smruti Ranjan

Tragedy

3  

Smruti Ranjan

Tragedy

ବୁଢା ଶଗଡ଼

ବୁଢା ଶଗଡ଼

9 mins
244


  କିଛି ଲୋକ ଜନ୍ମ ହୋଇଥାନ୍ତି ନିଜ ପୋଡ଼ା ଭାଗ୍ୟକୁ ନେଇ ଆଜୀବନ ଦୁଃଖୀର ଉପାଧି ଅର୍ଜିବାକୁ । ସାରା ଜୀବନ ନିଜକୁ ସଳିତା ପରି ଜାଳି ଦୁନିଆକୁ ଆଲୋକ ଦେଇ ଦେଇ ଶେଷରେ ମାଟିରେ ମିଶିଯାନ୍ତି ସତ କିନ୍ତୁ ସୁଖ ଟିକକ ଭୋଗ କରି ପାରନ୍ତିନି । ଏମିତି ଦୃଶ୍ୟ ଦେଖିଲେ ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରେ, ଏ କ'ଣ ଭାଗ୍ୟର ଦୋଷ.....ନା କର୍ମର ଫଳ.... ନା ସମୟର କ୍ରୂର ପ୍ରହାର.....ନା ସମାଜର ଗୋଟେ ଗୋଟେ ଦୁଃଖଦ ଅଧ୍ୟାୟ... ?

************* 

   ସୁଦାମ ପୁର ମାର୍କେଟ ଆଜି ଖାଁ ଖାଁ ଲାଗୁଛି । ହଜାର ହଜାର ଲୋକଙ୍କ ଚଳ ପ୍ରଚଳରେ ମଧ୍ୟ ଏମିତି ଲାଗୁଛି ଯେମିତି ମାର୍କେଟ ଆଜି ତା'ର ଗୋଟେ ମୂଲ୍ୟବାନ ସମ୍ପର୍କକୁ ହରେଇ ବସିଛି । ଆଜି ଯାହା ମୁଖରୁ ଶୁଣିବ ସେହି ଗୋଟେ କଥା " ଆରେ ସେ ହରିଆ ଶଗଡ଼ ବାଲାକୁ ଜାଣିଛୁ... ? ସେ ନା କାଲି ରାତି ଠାରୁ ମରି ପଡିଛି ଯେ ତା' ଶବ ଟିକକ ସତ୍କାର କରିବାକୁ କେହି ଜଣେ ହେଲେ ଆଗେଇ ଆସୁ ନାହାନ୍ତି । ବୁଢ଼ାଟା ବଞ୍ଚି ଥିଲା ସମୟରେ ତା' ପାରୁ ପର୍ଯ୍ୟନ୍ତ କେତେ ଲୋକଙ୍କୁ ସାହାଯ୍ୟ ନ କରିଛି! କିନ୍ତୁ ସମୟ ଦେଖ, ବୁଢ଼ାଟା ମରିବାର ଅଧାଦିନ ବିତିବାକୁ ବସିଲାଣି କିନ୍ତୁ କାହାରି ଦେଖା ଦର୍ଶନ ନାହିଁ । ହଁ ବୁଢ଼ାଟା ହତାଦର ହେବନି ? ଖୋଦ ନିଜ ରକ୍ତ ଯେତେବେଳେ ମୁହଁ ମୋଡ଼ିଦେଇଛି ସେତେବେଳେ ଏ ଲେଖା ଯୋଖା ସମ୍ପର୍କକୁ ପଚାରେ କିଏ । "

  ଲୋକ ମୁଖରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି ସେହି ମୃତ "ଶଗଡ଼ ବାଲା" । କିନ୍ତୁ କିଏ ସେ ମୃତ ବ୍ୟକ୍ତି ? ଯାହାର ମୃତ୍ୟୁରେ ସାରା ମାର୍କେଟ ଆଜି ଖାଁ ଖାଁ ଲାଗୁଛି । କ'ଣ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ.....ନା କୋଉ ପାର୍ଟିର ନାମ୍ କରା ନେତା..... ନା କୋଉ ଅଞ୍ଚଳର ସରପଞ୍ଚ... ନା କୋଉ ଗ୍ରାମର କର୍ପୂର ଭଳି ଉଡ଼ିଯାଇ କନା ପରି ପଡିଥିବା ପ୍ରସିଦ୍ଧ ଜମିଦାର.... ଯେ ତା'ର ଶବ ସତ୍କାର ଆଡ଼ମ୍ବର ହେବ । 

  ତେବେ କ'ଣ ପାଇଁ ଏତେ ଆଲୋଡ଼ନ ସୃଷ୍ଟି ହେଉଛି ସାମାନ୍ୟ ଗୋଟେ ଶଗଡ଼ ଵାଲାର ମୃତ୍ୟୁରେ ?

 *******************  

   ସୁଦାମ ପୁର ମାର୍କେଟ ପାଖରେ ଛୋଟ ଏକ ଗାଆଁ । ନାଁ ତା'ର "ବୀରବରପୁର" । ସେହି ଗାଆଁରେ ବାସ କରେ "ହରିଆ" । ବାପ ସାଆନ୍ତ ଅମଳରୁ ଚଳି ଆସୁଥିବା କୌଳିକ ବୃତ୍ତିକୁ ଆପଣେଇ ନେଇ ମାର୍କେଟରେ ଶଗଡ଼ ଚଲାଏ । ସେଥିରୁ ମିଳୁଥିବା ସ୍ୱଳ୍ପ ଆୟରେ ହରିଆ ସଂସାର ସୁରୁଖୁରୁରେ ଚାଲେ । ସଂସାର କହିଲେ ଗୋଟେ ବୁଢ଼ୀ ମାଆ", ଦୁଇ ବର୍ଷର କୁନି ପୁଅ ଆଉ ତା' ଧର୍ମପତ୍ନୀ ଲଳିତା । 

   ଲଳିତା ତା'ର ଖୁବ୍ କାମିକା ଲୋକଟେ । ଘରେ ପାଦ ରଖିବାର ଦିନ କେଇଟା ଭିତରେ ବାଡ଼ିପଟ ଅନାଵନା ଘାସ ସଫା କରି ପରିବା ପଟାଳି ଟିଏ ସୃଷ୍ଟି କରି ପକେଇଲା । ଆଉ ଯୌତୁକରେ ଆଣିଥିବା ଗାଈରୁ ଉତ୍ପାଦନ ଦୁଧ ଦହିକୁ ବିକ୍ରି କରି ଭଲ ପଇସା ରୋଜଗାର କରିବାକୁ ଲାଗିଲା । ଆଖ ପାଖ ପଡ଼ୋଶୀଙ୍କ ମୁହଁରେ ପତ୍ନୀର ପ୍ରଶଂସା ଶୁଣି ହରିଆ ଛାତି କୁଣ୍ଢେମୋଟ....! ହଁ ହେବନି କେମିତି ? ପତି ମୁଖରୁ ପ୍ରଶଂସା ଟିକକ ଶୁଣିବାକୁ ପତ୍ନୀ ଚାତକ ପକ୍ଷୀ ପରି ଚାହିଁ ବସିଥାଏ । କିନ୍ତୁ ସ୍ତ୍ରୀର ସେହି ପ୍ରଶଂସା ଟିକକ ଯଦି ସ୍ୱାମୀ ବାହାର ଲୋକଙ୍କ ମୁଖରୁ ଶୁଣିଦେଲା ଅସରନ୍ତି ଖୁସିର ଭଣ୍ଡାର ମନରେ ଭରିଯାଏ । 

   କିନ୍ତୁ..... ? ଏ ହେଉଛି ପରିବର୍ତ୍ତନଶୀଳ ଦୁନିଆ । ମୃତ୍ୟୁ ପରି ଅପ୍ରିୟ ସତ୍ୟକୁ ବାଦ୍ ଦେଲେ ଏଠି ଆଉ ସବୁ ଗୋଟେ ଗୋଟେ ମଧୁର ମିଥ୍ୟା । ଯାହାର ତିଳେ ହେଲେ ଅସ୍ତିତ୍ୱ ନ ଥାଏ ଆମେ ସେହି ମିଥ୍ୟାକୁ ହିଁ ପ୍ରେମ କରି ବସୁ । ସେହି ଅସ୍ତିତ୍ୱ ହୀନ ପ୍ରେମରେ ପଡ଼ି ଆମେ ଦୁନିଆର ତମାମ ଭୌତିକବାଦୀ ବସ୍ତୁର ମୋହରେ ପଡିଯାଉ । ସେହି ଭୌତିକ ବସ୍ତୁକୁ ହିଁ ନିଜର ସବୁକିଛି ମାନିନେଉ । କିନ୍ତୁ ସମୟର ପ୍ରହାରରେ ଯେତେବେଳେ ଆମେ ସେହି ଭୌତିକ ବସ୍ତୁକୁ ସବୁଦିନ ପାଇଁ ହରେଇ ବସୁ ସେତେବେଳେ ଖାଲି ଦୁଃଖ ଓ ଲୁହ ହିଁ ଶେଷ ସନ୍ତକ ରୂପେ ବଞ୍ଚିରହେ ଆମ ପାଖରେ । 

   ସମୟର ପ୍ରହାର ସେତେବେଳେ ହରିଆ ଉପରେ ପଡ଼ିଲା ଯେତେବେଳେ ଲଳିତା, ତିନି ବର୍ଷର କୁନି ପୁଅ ଓ ହରିଆକୁ ଛାଡ଼ି ସବୁଦିନ ପାଇଁ ଚାଲିଗଲା ସେହି ଅଫେରା ରାଇଜକୁ । ଯୋଉ ରାଇଜର ଯିବା ପାଇଁ ପ୍ରବେଶ ଦୁଆର ବନ୍ଧ ଖୋଲାହୁଏ କିନ୍ତୁ ପ୍ରସ୍ଥାନ ପାଇଁ ଦୁଆର ବନ୍ଧ ନ ଥାଏ । ପରିବା ପଟାଳିରେ କାମ କରୁଥିବା ସମୟରେ ଲଳିତା'ର ମୃତ୍ୟୁ ସର୍ପ ଦଂଶନରେ ହୁଏ । 

  ଏମିତି ଏକ ଅଦିନିଆ ଝଡ଼ ଯେ ହରିଆ ଜୀବନରେ ଆସି ତା' ସୁନାର ସଂସାରକୁ ଜାଳି ପୋଡି ଛାରଖାର କରି ଚାଲିଯିବ ଏ କଥା ହରିଆ ସ୍ୱପ୍ନରେ ସୁଦ୍ଧା ଭାବିନଥିଲା । କିନ୍ତୁ କଥାରେ ଅଛି ମଣିଷ ଯାହା ଭାବୁଥାଏ ତାହା ହୋଇନଥାଏ ଆଉ ଯାହା ଭାଵିନଥାଏ ଠିକ୍ ତାର ଅନୁରୂପ ଫଳ ମିଳିଥାଏ । ଏ ହେଉଛି ଜୀବନ । ସୁଖ ପରେ ଦୁଃଖ ଆଉ ହସ ପରେ କାନ୍ଦ, ଜୀବନର ସବୁ ଗୋଟେ ଗୋଟେ ଅଭିନ୍ନ ଅଙ୍ଗ । ଜୀବନ ଜୀଇଁବାକୁ ହେଲେ ଆମକୁ ସୁଖ ପରି ଦୁଃଖକୁ ମଧ୍ୟ ହସି ହସି ଗ୍ରହଣ କରିବାକୁ ହେବ । 

   ସ୍ତ୍ରୀ ମରିବାର କିଛି ଦିନ ବହୁ କନ୍ଦାକଟାରେ ବିତିଲା ହରିଆର । କିନ୍ତୁ ବୁଢ଼ୀ ମାଆ'ର ସାନ୍ତ୍ୱନା ଓ କୁନି ପୁଅର ମୁଖକୁ ଚାହିଁ ହରିଆ ମନ କିଞ୍ଚିତ୍ ପରିବର୍ତ୍ତିତ ହେଲା । କିନ୍ତୁ ପତ୍ନୀ ବିରହରେ ରାତି ରାତି ଅନିଦ୍ରା ରହି ଲୁହରେ ଗାମୁଛା ଭିଜିବାର ଦୃଶ୍ୟ ବୁଢ଼ୀ ଆଖିରେ ଅଛପା ରହିଲାନି । ଆଖି ଆଗରେ ଜବାନ ପୁଅର କନ୍ଦା କଟା ଦେଖି ବୁଢ଼ୀ ଛାତିରେ ନାହିଁ ନଥିବା କୋହ ଉଠିଲା । ଯେତେ ଯାହା ହେଲେ ମାଆ । କୋଉ ମାଆ ଚାହିଁବ ତା' ଆଖି ସାମ୍ନାରେ ତା' ପୁଅ ଲୁହ ଝରେଇ କନ୍ଦା କଟା କରୁ ? 

  ସାହି ପଡ଼ିଶାଙ୍କ ସହ ବିଚାର ବିମର୍ଶ କରି ବୁଢ଼ୀ ନିଷ୍ପତ୍ତି ନେଲା ହରିଆକୁ ଆଉ ଥରେ ହାତକୁ ଦି ହାତ କରିବାକୁ । କିନ୍ତୁ ହୃଦୟର କୋଣାନୁକୋଣରେ ସ୍ମୃତି ପରି ଉଜ୍ଜୀବିତ ରହିଥିବା ଲଳିତାର ସ୍ଥାନ ସେ କାହାକୁ ଦେଇ ପାରିବନି କିମ୍ବା ଆଉ ଗୋଟେ ସାବତ ମାଆର ଛତ୍ରଛାୟାରେ ନିଜ ପୁଅକୁ ରଖି ପାରିବନି ବୋଲି ରୋକ୍ ଠୋକ୍ ମନା କରିଦେଲା ହରିଆ । 

   ହରିଆ ନିଷ୍ପତ୍ତି ବୁଢ଼ୀ ମନରେ ଭାଳେଣି ସୃଷ୍ଟି କଲା । ପୁତ୍ର ଚିନ୍ତାରେ ବୁଢ଼ୀକୁ ଖାଦ୍ୟ ରୁଚିଲାନି । ଦିନକୁ ଦିନ ଶୁଖିକି କଣ୍ଟା ହୋଇଗଲା । ଏପଟେ କୁନି ପୁଅର ଦେଖା ରେଖାରେ ବ୍ୟତିକ୍ରମ ହେବାରୁ ତା' ଅବସ୍ଥା ମଧ୍ୟ ଶୋଚନୀୟ ହେଇଗଲା । 

  ଏ ସବୁ ଦେଖି ହରିଆର ଜ୍ଞାନ ଉଦୟ ହେଲା । ଯିଏ ସବୁଦିନ ପାଇଁ ଏକା କରି ଚାଲିଗଲା ତା' ସ୍ମୃତିରେ ନିଇତି ଅଶ୍ରୁ ଝରେଇ ଯିଏ ବଞ୍ଚିଛି ତା' ଆଖିରେ ଅଶ୍ରୁ ଦେବା ଏକ ପ୍ରକାର ଅନ୍ୟାୟରେ ଗଣତି ହେବ । ତେଣୁ ତାକୁ ବେଳ ଥାଉ ଥାଉ ସବୁକିଛି ସମ୍ଭାଳି ବାକୁ ହେବ । ତା' ନ ହେଲେ ଆଖି ଆଗରେ ବାକି ସଂସାର ମଧ୍ୟ ଛାରଖାର ହେଇଯିବ । 

   ବାସ୍ ସେହି ଦିନୁ ହରିଆ ତା' ପୁଅକୁ ନେଇ ଶ୍ୱଶୁର ଘରେ ଛାଡ଼ି ଆସିଲା । ଶ୍ୱଶୁର ଘରେ ହରିଆ ଶଳା ଭାଉଜ ହରିଆ ପୁଅକୁ ନିଜ ପୁଅ ପରି ପାଳିବାକୁ ଲାଗିଲେ । କେବଳ ମଝିରେ ମଝିରେ ପୂଜା ପର୍ବାଣୀରେ ହରିଆ ତା' ପୁଅକୁ ଦିନେ ଦୁଇ ଦିନ ପାଇଁ ଆଣି ପୁଣି ନେଇ ଛାଡ଼ି ଦେଇ ଆସେ । 

  ଧୀରେ ଧୀରେ ସମୟ ଗଡ଼ିବାକୁ ଲାଗିଲା । ଦିନ ପରେ ରାତି- ରାତି ପରେ ଦିନ, ସୁଖ ପରେ ଦୁଃଖ-ଦୁଃଖ ପରେ ସୁଖ । ଯାହା ଆମେ କାହିଁ କେଉଁ କାଳରୁ ଏକ ପ୍ରକାର ଧ୍ରୁବ ସତ୍ୟ ବୋଲି ମାନି ନେବାକୁ ବାଧ୍ୟ ହେଇଛୁ ।    

    କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଯେ ଏହି ନିୟମ ବଳବତ୍ତର ହେଇ ରହିବ ତା'ର କୌଣସି ପ୍ରମାଣ ନଥାଏ । କାରଣ କିଛି ଲୋକଙ୍କ ଭାଗ୍ୟ ହିଁ ସେମିତି ହୋଇଥାଏ । ଦୁଃଖ ପରେ ସୁଖ ଆସିବା ପରିବର୍ତ୍ତେ ସେହି ଦୁଃଖ ହିଁ ଲେଉଟାଣି ହୋଇଥାଏ । 

   ରାତି ଦିନ ଏକ କରି ପରିଶ୍ରମ କରିବାରୁ ହରିଆ ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧୁରିବାକୁ ଲାଗିଲା । ସବୁକିଛି ଠିକ୍ ଠାକ୍ ପୂର୍ବ ଅବସ୍ଥାକୁ ଫେରି ଆସୁଥିବା ସମୟରେ ପୁଣିର ଭାଗ୍ୟ ହେଉ ଅବା କର୍ମର ପ୍ରହାର ହରିଆ ଉପରେ ବସିଲା । 

   ବୟସର ସାୟଂକାଳରେ ମାର୍ଗଶିର ମାସର ଅତ୍ୟଧିକ ଜାଡ଼କୁ ସାମ୍ନା କରି ନ ପାରି ଶେଷରେ ବୁଢ଼ୀ ହରିଆକୁ ଏକା କରି ସବୁଦିନ ପାଇଁ ଆର ପାରିକୁ ଚାଲିଗଲା । 

   ଦୁଃଖରେ ଭାଙ୍ଗି ପଡ଼ିଲା ହରିଆ । ମୃତ୍ୟୁ ଏକ ଧ୍ରୁବ ସତ୍ୟ ଜାଣି ସୁଦ୍ଧା ମଣିଷ ମୃତ୍ୟୁକୁ ହିଁ ଘୃଣା କରିଥାଏ । ବୋଧେ ସେଥିପାଇଁ ମୃତ୍ୟୁ ଏତେ ଯନ୍ତ୍ରଣା ଦାୟକ ହୋଇଥାଏ । 

  ବୁଢ଼ୀ ଚାଲିଗଲା ସବୁଦିନ ପାଇଁ ଏକା କରି । ଘରେ ରହିଗଲା ଏକା ହରିଆ । ପୁଅ ତା'ର ମାମୁଁ ଘରେ । କିନ୍ତୁ ମାମୁଁ ଘରେ ଶିବା ବେଶୀ ଦିନ ରହିପାରିଲାନି । ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିବାରୁ ଚଳିବାରେ ଅସୁବିଧା ହେବାରୁ ଶିବାକୁ ହରିଆ ପାଖକୁ ନେଇ ଆସିଲା । ପତ୍ନୀ ଓ ବୋଉ ବିୟୋଗରେ ମାସ ମାସ କାଳ ଘରେ ବସି ରହିବାରୁ ବସି ଖାଇଲେ ନଈ ବାଲି ସରିଲା ପରି ପୂର୍ବ ସଞ୍ଚିତ ଅର୍ଥ ମଧ୍ୟ ଶେଷ ହୋଇ ଯାଇଥିଲା । ତେଣୁ ହରିଆ ସ୍ଥିର କଲା ସୁଦାମପୁର ମାର୍କେଟରେ ଶଗଡ଼ ଚଲା ସହିତ ଲଳିତା କରିଥିବା ପରିବା ପଟାଳିକୁ ପୁଣି ନୂଆ କରି ଆରମ୍ଭ କରିବାକୁ । 

  ପରିଶ୍ରମ ବୃଥା ଯାଏନି । ବିଳମ୍ବରେ ହେଉ ପଛକେ ପରିଶ୍ରମର ଫଳ ସୁଧ ମୂଳ ସହ ଫେରି ଆସିଥାଏ । କିନ୍ତୁ ଧୈର୍ଯ୍ୟର ସହ ଆମେ ଅପେକ୍ଷା କରିବା ନିହାତି ଜରୁରୀ ଅଟେ । 

  ମାର୍କେଟରେ ଶଗଡ଼ ଚଲା ଓ ପରିବା ପଟାଳିରେ ଦିନରାତି ଖରା ବର୍ଷାକୁ ଖାତିର ନ କରି ହାଡ଼ଭଙ୍ଗା ପରିଶ୍ରମ କରିବାରୁ ଲକ୍ଷ୍ମୀ ଦେବୀଙ୍କ କୃପାଦୃଷ୍ଟିର ସମ୍ୟକ୍ ଛିଟା ପଡ଼ିଲା ହରିଆ ଉପରେ । ଭଲ ଦୁଇ ପଇସା ରୋଜଗାର ହେବାରୁ ହରିଆ ପୁଅକୁ ପାଠ ପଢ଼ାଇବାକୁ ଲାଗିଲା । 

  ପୁଅଟି ମଧ୍ୟ ଭଲ ପାଠ ପଢୁଥାଏ । ପୁଅର ପାଠ ପଢା ଦେଖି ବାପର ଛାତି କୁଣ୍ଢେମୋଟ । ପାଠପଢ଼ାରେ କୌଣସି ବ୍ୟତିକ୍ରମ ନ ଘଟୁ ସେଥିପାଇଁ ହରିଆ ଦିନ ରାତି ଏକ କରି ପରିଶ୍ରମ କରୁଥାଏ । 

   କିନ୍ତୁ ମଣିଷ ଯାହା ସ୍ୱପ୍ନ ଦେଖେ ତାହା କେବେ ପୂରଣ ହୋଇନଥାଏ । ଜୀବନର ମାନସାଙ୍କରେ ଘଟୁଥିବା ଘଟଣା ଚକ୍ରର ସମସ୍ତ ଦୃଶ୍ୟାବଳି ପୂର୍ବ ନିର୍ଦ୍ଧାରିତ ଅଟେ । 

କାହା ଭାଗ୍ୟଚକ୍ରରେ କେଉଁ ଭାବର ଅଭିନୟ ଲେଖା ହୋଇଥାଏ ତାହା କହିବା ହୁଏତ କଠିନ ହୋଇଥାଏ । କେବଳ ଏତିକି ଫରକ ଯେ ଦୁଃଖ ଭୋଗ କଲେ ଭାଗ୍ୟକୁ ଦାୟୀ କରୁ ଆଉ ସୁଖ ଭୋଗ କଲେ ନିଜକୁ ପ୍ରଶଂସା କରୁ । ଏଇ ହେଉଛି ଗୋଟେ ଗୋଟେ ଅପ୍ରିୟ ସତ୍ୟ । 

   ପାଠପଢା ସାରି ଶିବା ଚାକିରୀ କରିବାକୁ ବିଦେଶ ଗଲା । (ବିଦେଶ କହିଲେ ସେତେବେଳେ ଗାଆଁ ରୁ ସହରକୁ ବୁଝନ୍ତି । ) ହରିଆର ଇଛା ଥିଲା ସେହି ଗାଆଁ ଭୂଇଁରେ ହେଉ ଅବା ସେହି ମାର୍କେଟ ଉପରେ କିଛି ଗୋଟେ କରିବାକୁ । କିନ୍ତୁ ଶିବାର ଏକା ଜିଦି, ସେ ବିଦେଶ ଯିବ ଆଉ ଅପର୍ଯ୍ୟାପ୍ତ ଟଙ୍କା ରୋଜଗାର କରିବ । ବୁଢ଼ା ବାପ କେତେ ଆଉ ଜୋର କରିବ ଯବାନ ପୁଅ ଉପରେ । ଅଗତ୍ୟା ଆଉ କିଛି ନ କହି ହରିଆ ଛାତିରେ ପଥର ଲଦି ଶିବାକୁ ଅନୁମତି ଦେଲା ଯିବାକୁ । 

   

  ଗରମ ରକ୍ତ, ମନରେ ଅସୀମ ସାହସ, ଅଦମ୍ୟ ଉତ୍ସାହ, ପାରିବା ପଣିଆ ପରି ଶବ୍ଦ ସବୁ କେବଳ ଯୌବନର ଆଗମନରେ ହିଁ ଶୁଣିବାକୁ ମିଳିଥାଏ । ଯୌବନର ଆଗମନରେ ମଣିଷ ମଦମସ୍ତ ହସ୍ତୀ ପ୍ରାୟ ହୋଇଯାଏ । ଭୁଲ ଠିକ୍ ଭଲ ମନ୍ଦ ପରି ବିଚାର ମନକୁ ଖୁବ୍ କମ୍ ଆସେ । ଭଲମନ୍ଦ ବିଚାର ନ କରି ନିଜ ଇଛା ଅନୁସାରେ କର୍ମ କରିବା ଓ ଶେଷ ପରିଣତିକୁ ଅଣଦେଖା କରିବା ହେଉଛି ଏକ ପ୍ରକାର ମୁର୍ଖତା । ଯାହା କେବଳ ଯୌବନ କାଳରେ ହିଁ ଦେଖିବାକୁ ମିଳେ । 

   ମାସ କେଇଟା ହେଇନି ଶିବା ଫେରି ଆସିଲା ଗାଆଁ ଭୂଇଁ କୁ । କିନ୍ତୁ ଏଥରକ ଏକା ନୁହଁ ସାଥିରେ ଆଉ ଜଣକୁ ନେଇ ଆସିଥାଏ । ଶିବାର କଳା କର୍ତ୍ତୃତ୍ୱ ଦେଖି ସାହି ପଡ଼ିଶା ଟାହି ଟାପରା କରିବାକୁ ଲାଗିଲେ । ମୁଣ୍ଡରେ ହାତ ଦେଇ ହରିଆ ବାହୁନି ବାହୁନି କାନ୍ଦିବାକୁ ଲାଗିଲା । 

   କିନ୍ତୁ ଯେତେ ଯାହା ହେଲେ ପୁଅ, ମଲା ସମୟରେ ମୁହଁରେ ପାଣି ଟୋପେ ଦେବ ଆଉ ମଲା ପରେ ମୁହଁରେ ନିଆଁ ଦେବ । ଏଇ ଆଶା ଟିକକ ପାଇଁ ସବୁ ବାପା ମା'' ପୁଅର ବଡ଼ ବଡ଼ ଦୋଷ ସବୁ କ୍ଷମା କରି ଦିଅନ୍ତି । 

  ହରିଆ ମଧ୍ୟ ଅଚିରେ ସବୁ ଦୋଷ କ୍ଷମା କରିଦେଇ ପୁଅ ବୋହୂକୁ ଗ୍ରହଣ କରିନେଲା । କିନ୍ତୁ ଯିଏ ଆଜୀବନ ଦୁଃଖୀ ହେବାକୁ ଜନ୍ମ ଗ୍ରହଣ କରିଛି ଭଲା ତା' ଜୀବନରେ ସୁଖ କୁଆଡୁ ଆସିବ । ଦିନ କେଇଟା ଭିତରେ ଦିନେ ରାତି ଅଧରେ ଶିବା ତା' ବାପକୁ ମାଡ଼ ମାରି ଘରୁ ବାହାର କରିଦେଲା । ପଚାରିବାରୁ ଜଣାଗଲା ଯେ ଛୋଟିଆ ଘର ଭିତରେ ସ୍ୱାମୀ ସ୍ତ୍ରୀଙ୍କ ଚଳଣିରେ ଅସୁବିଧା ଓ ସ୍ତ୍ରୀ ଯେହେତୁ ଅତ୍ୟାଧୁନିକ ସହରୀ ଝିଅ ସେ ଏ ମଇଳା କୋଚଟିଆ ବୁଢାଟିକୁ ସହ୍ୟ କରିପାରିଲାନି । ତେଣୁ ସେ ବୁଢାକୁ ଘରୁ ବାହାର କରିଦେଲେ । 

   କାନ୍ଦି କାନ୍ଦି ଘରୁ ଗୋଡ଼ କାଢି ଆସିଥାଏ ହରିଆ । ଯୋଉ ପୁଅ ପାଇଁ ସେ କେତେ କଷ୍ଟ ସହିଥିଲା ଆଜି ସେହି ପୁଅ ସାମାନ୍ୟ ଟିକେ କଷ୍ଟ ସହି ନ ପାରି ଘରୁ ବାହାର କରିଦେଲା । 

  ଜୀବନରେ ଆମେ ଭଗବାନଙ୍କ ଛଡ଼ା ଆଉ ଯାହାକୁ ବେଶି ଗୁରୁତ୍ୱ ଦେଇଥାଉ ସେ ହିଁ ପ୍ରଥମେ ଏକା କରି ଛାଡ଼ି ଚାଲିଯାଇ ଥାଏ । ଏ କଥାକୁ ମର୍ମେ ମର୍ମେ ଅନୁଭବ କରୁଥାଏ ହରିଆ । ପ୍ରଥମେ ସ୍ତ୍ରୀ ତା' ପରେ ବୋଉ ଆଉ ଶେଷରେ ପୁଅ । 

  "ଯେତେ ବଡ଼ ହେଉ ଅବା ଜଘନ୍ୟ କାରନାମା କଲେ ମଧ୍ୟ ବୁଢା ବୟସରେ ସେହି କୁଳାଙ୍ଗାର ହିଁ ଥିଲା ଶେଷ ସମ୍ବଳ । କିନ୍ତୁ ସେ ଯେ ଏମିତି ଶେଷ ସମୟରେ ମତେ ହତାଦାର କରି ଚାଲିଯିବ.....! "ଅଜାଗା ଘାଆ ନା ଦେଖି ହେଉଛି ନା ଦେଖେଇ ହେଉଛି । " କାହାକୁ କହିବି ଏ ଦୁଃଖ କଥା ଶୁଣିବ କିଏ ?" ନିଜର ଶେଷ ସମ୍ବଳ କହିଲେ ସେହି ଶଗଡ଼ ଉପରେ ବସି ବସି ଚିନ୍ତା କରୁଥାଏ ହରିଆ । ବାହୁନି ବାହୁନି କାନ୍ଦୁଥାଏ, କାଳେ ଆଖି ଲୁହ ଅଭିଶାପର ରୂପ ନେବ । ଯେତେ ଯାହା ହେଲେ ବାପ, ଆଉ କୋଉ ବାପ ବଞ୍ଚିଥିବା ଯାଏଁ ସ୍ୱପ୍ନରେ ସୁଦ୍ଧା ନିଜ ସନ୍ତାନର ଅମଙ୍ଗଳ ଚିନ୍ତା କରି ପାରିବନି । 

   ସମୟ ଗଡ଼ି ଚାଲିଲା । ହରିଆ ଏବେ ଜୀବନ ଉପରୁ ମୋହମାୟା ତୁଟେଇ ସାରିଛି । ଦିନରେ ଉପାର୍ଜନ କରୁଥିବା ଅର୍ଥରାଶିକୁ ସେ ନିଜ ପରି ଦୁଃଖୀ ରଙ୍କିଙ୍କ ପଛରେ ଖର୍ଚ୍ଚ କରୁଛି । ଯେଉଁଥିରୁ ସେ ଅର୍ଜୁଛି ଅସୀମ ଖୁସି ଓ ଶାନ୍ତି । ଆଉ ରାତି ହେବା କ୍ଷଣି ଵିତୁଛି ତା'ର ରାତି ସେହି ଚୀର ଦିନର ସାଥି ଶଗଡ଼ ଉପରେ । ସତେ କି ସେହି ଶଗଡ଼ ହିଁ ହରିଆର ଭାଇ ବନ୍ଧୁ କୁଟୁମ୍ବ ସବୁକିଛି । ଯିଏ ସୁଖରେ ଦୁଃଖରେ କେବେ ହରିଆ ଏକା ହେବାକୁ ଦେଇନି । 

  ଧୀରେ ଧୀରେ ବୟସ ଗଡ଼ିବା ସହ ବାର୍ଦ୍ଧକ୍ୟ ଗ୍ରାସ କରେ ମଣିଷକୁ । ଏ ହେଉଛି ପ୍ରକୃତିର ନିୟମ । ଅତ୍ୟଧିକ ବୟସ୍କ ହେବା ଯୋଗୁ ହରିଆ ଆଉ ପୂର୍ବ ପରି ଶଗଡ଼ ନେଇ ଆଣି ଥୋଇ ପାରୁନଥାଏ । ଏତେ ସବୁ ଘଟିଲା ପରେ ମଧ୍ୟ କେବେ ହେଲେ ଶିବାର ମନରେ ତା' ବୁଢା ବାପ ପ୍ରତି କିଞ୍ଚିତ୍ ଦୟାଭାବ ଜାଗ୍ରତ ହୋଇ ପାରିଲାନି । ଯେତେ ଯାହା ହେଲେ ବି ସେ ଏ ଅତ୍ୟାଧୁନିକ ଯୁଗର ପିଲା । ଆଉ ଆଜିକାଲିକା ପିଲା ବୁଢା ବାପା ମାଆଙ୍କୁ ପାଖରେ ରଖିବାକୁ ପସନ୍ଦ କରନ୍ତିନି । କେବଳ ସ୍ତ୍ରୀ ସହିତ ରହିବେ ,ଜୀବନକୁ ଉପଭୋଗ କରିବେ । ଯେତେ ଯାହା ହେଲେ ବି ପୁଅ ଦେହରେ ବାପର ରକ୍ତ ବୋହୁଛି । ତେଣୁ ପୁଅକୁ ଝୁରି ଝୁରି ଶେଷରେ ବୁଢ଼ା ଦିନେ ରାତି ଅଧରେ ଶରୀର ତ୍ୟାଗ କଲା ସତ ହେଲେ ପୁଅ ହାତରୁ ପାଣି ଟୋପେ ପାଇ ପାରିଲାନି । 

    ଏକ ଦୁଃଖ ଭରା ଅଧ୍ୟାୟର ଶେଷରେ ଇତି ଘଟିଲା । ଅଧାଦିନ ବିତିଗଲା ପରେ ମଧ୍ୟ କେହି ଆଗେଇ ଆସୁନଥିଲେ । କିନ୍ତୁ ଯାହା ହେଉ ଶେଷରେ କିଛି ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କ ଆଦେଶରେ ସ୍ଥାନୀୟ କିଛି ଯୁବକ ହରିଆକୁ ନେଇ ପାଖରେ ଥିବା ଶ୍ମଶାନରେ ଦାହ ସଂସ୍କାର କଲେ । 

  ଅଗ୍ନିର ଲେଲିହାନ ଶିଖା ଗଗନ ଚୁମ୍ବିବାକୁ ପ୍ରୟାସ କରୁଥାଏ । ପଶ୍ଚିମ ଦିଗରେ ନାଲି ରଙ୍ଗକୁ ଦର୍ଶାଇ ରବି ଅସ୍ତଗାମୀ ହେବାକୁ ବ୍ୟଗ୍ର ହେଉଥାନ୍ତି । ଆଉ ରବିଙ୍କ ସହିତ ତାଳ ଦେଇ ଦୁନିଆ ଆଖିରୁ ସବୁଦିନ ପାଇଁ ଏକ ଦୁଃଖ ଭରା ଅଧ୍ୟାୟର ଅସ୍ତ ଘଟୁଥାଏ........ । 


   



Rate this content
Log in

Similar oriya story from Tragedy