କଟାକ୍ଷ କିଶୋର...
କଟାକ୍ଷ କିଶୋର...
ହୋ ଭକତେ... !
ଓଃ.. !
ରଥ ଚାଲେ ଘୁଁ, ଚକ ଚାଲେ ଘୁଁ..,
ରସିକ ନାଗର କଳ ମୋଡିଦେଲା,
ରଥ ଚାଲେ ଘୁଁ ଘୁଁ ରେ...!
ଡାହାଣୀ ଡ଼ି ଡାହାଣୀ.. ଡାହାଣୀ ଡ଼ି ଡାହାଣୀ..!!!
କିଶୋରଙ୍କ ଏଇ ତୀବ୍ର, ମଧୁର, କଷାୟ ଠାଣିରେ କେତେ ଯେ କଟାକ୍ଷ ଭରି ରହିଚି, ରସ ପିପାସୁ ହିଁ ଜାଣିବେ | ବକ୍ରୋକ୍ତି ଓ ବ୍ୟଙ୍ଗୋକ୍ତି ମଧ୍ୟରେ ସମାଜ ସଚେତନତା ବାର୍ତ୍ତା ଦେବା ପରମ୍ପରା ଥିଲା, ଅଛି, ଆଗକୁ ରହିବ ନିଶ୍ଚୟ |
ଚିତ୍ର ଓଃ ଚରିତ୍ର ମାଧ୍ୟମରେ କିଛି ଚରିତ୍ରାୟନ କରିବାର ପରିଭାଷା ହିଁ ବ୍ୟଙ୍ଗକାରର ବାତୁଳତା | ଏ କିଶୋର ସେହି ପରମ୍ପରାର ସୂତ୍ରଧର କହିଲେ ଅତ୍ୟୁକ୍ତି ହେବ ନାହିଁ |ତାଙ୍କର ସେହି ଉକ୍ତି କେବେ କଲମରେ, କେବେ ତୂଳିରେ, ରୂପପାଏ ତ କେବେ ମଗଜରେ ଓ ପୁଣି କାଗଜରେ,ପ୍ରତି କଥା, ବ୍ୟଥା ଓ ପରାକାଷ୍ଠାରେ | ସେ ପ୍ରିୟ କାର୍ଟୁନ କଟାକ୍ଷର ନିରଧୂମ କଷାଘାତରେ କେତେ କେତେ ଦାରୁଭୁତ ମାନେ ଜଳନ୍ତି ଦାଉ ଦାଉ ହୋଇ, ଅଗନା ଅଗନି ବନସ୍ତରେ | ଆଉ କିଛି ସ୍ପଷ୍ଟୋକ୍ତି, ଦମ୍ଭକ୍ତି, ଉଦଣ୍ଡିଆ ମାନଙ୍କୁ ଜାଳେ, ଜାଳେ ଓ ଜଳାଏ, ଜଳିବାକୁ ସାହାଯ୍ୟ କରେ ଦିନ ଦି ପହରେ, ପ୍ରତି ପ୍ରହରେ, ନିହାତି ଅନ୍ତର୍ଜ୍ୱଳନରେ, ଅପ୍ରକାଶ୍ୟରେ | କେବେ ଚେତନରେ ତ ଆଉ କେବେ ଅବଚେତନରେ | କିଛି ଭାଷ୍ୟରେ ଓ କିଛି ଅନିର୍ବଚନରେ, କିଛି ପ୍ରକାଶ୍ୟରେ ତ କେବେ ଅପ୍ରକାଶ୍ୟ ସୁକ୍ଷ୍ମ ଅବବୋଧ ଭିତରେ |
ବିନ୍ଦୁରେ ସିଂଧୁ ଦର୍ଶନ, ଠାକୁର ଦେଖା କୁ କଦଳୀ ବିକା ପରି ଆଦବ କାଇଦା କିଶୋରକୁ ବେଶ ଜଣା, ନିଈତି ସକାଳୁ ଦେଖା ଦିଏ ଶାଗୁଣା ଚିଲ ପରି ଆଖି ଯୋଡ଼ିକରେ, ଯେତେ ସବୁ ପଚା ଷଢା ଖବର ସାଉଣ୍ଟିବାର ଦୁର୍ବାର ଘ୍ରାଣ ପୂର୍ଣ୍ଣ ଚକ୍ଷୁରେ | ଗଂଧ ବାରିବାରେ ବେଶ ଧୁରନ୍ଧର ସିଏ | କିଏ କେତେବେଳେ ଫୁଟିଲା, ଫୁଟି ବାସ କଲା, ସବୁ ଖବରକୁ ହଜମ କରି ଖବରନାମାରେ ଶିରୋନାମା କରିବାରେ ଖୁବ ଉସ୍ତାଦ ସେ | ବାତୁଳ ଚିତ୍ରକରଟିଏ ସେ ! ଵାତାନନୂକୁଳ ବ୍ୟାଖ୍ୟା ବଖାଣିବାରେ ମାହିର ତାର ଗବାକ୍ଷ ପରି ଚକ୍ଷୁ, ନାସା କର୍ଣ୍ଣ ପଟଳରେ |ଚୁମ୍ବକୀୟ ଶକ୍ତିରେ ସବୁ ଗୋପନ ତଥ୍ୟକୁ ଆତ୍ମସ୍ଥ କରିପାରିବାର ନିର୍ଭର ପ୍ରତିଶୃତିଟିଏ | ଚୁମ୍ବକରେ ଦିଏ ଚୋୖଦିଗ ଚୌହଦୀର ଚାକ୍ଷୁସ ପ୍ରମାଣ |
ଏବେ କମ୍ପୁଟର ଯୁଗରେ କମ୍ପ୍ୟୁଟ କରିବାର କଳା କୌଶଳ ବି ମୁଖସ୍ତ କରିବାକୁ ପଡୁଛି କିଶୋରଙ୍କୁ | ସେଥିପାଇଁ କାର୍ପଣ୍ୟ ନାହିଁ ତାର, ଡିଜିଟାଲ ସହିତ ଡିଜିଟାଇଜ ହେବାର କଷଟି ପଥର ପରଖିବାରେ, ନାହିଁ ତ କହିଲେ କହିବ କହୁଚି, କହିଲେ କୂଳ କୁଟୁମ୍ବକୁ ଲାଜ, ନ କହିଲେ କୂଳ ଭାସି ଯାଉଚି..| ଏ କଥା କିଶୋର କୁ ବେଶ ଜଣା, ନ ହେଲେ କହିବେ କାର୍ଟୁନଟେ କିରେ,..?
ଅଚ୍ଛା, ସତରେ ସେ କଣ କାର୍ଟୁନିଷ୍ଟ..???
ଭ ରେ ଏ'କାର ଯୋଗ କଲେ ଭଲ, ଭେଲ ହେଲା ଭଳି ଶବ୍ଦ ପ୍ରୟୋଗର ଚାତୁରିକତା ହିଁ କାର୍ଟୁନିଷ୍ଟମାନଙ୍କ ଧର୍ମ | ସେଥିପାଇଁ କିଶୋର ଯେ କେତେ କଷ୍ଟ ନ ସହିଛି, ତାହା ବୁଝିବା ଲୋକ ଠିକ ଜାଣିଛି | ଟରେ ଟକ୍କl, ଟରେ ଟକ୍କl, ଟକ୍କl ଟରେ ଟରେ ଟକକା..., ପରି ଯଦି କିଛି ବିନ୍ଦୁ ଓ ରେଖାର ସମ୍ମିଶ୍ରଣରେ ଶବ୍ଦ ସାଗରର ସିନ୍ଧୁକୁ ପାରି ହେବାର ଦୁର୍ବାର ଆଶା ଚରିତାର୍ଥ ହୋଇ ପାରିଛି, ତେବେ କିଛି ବ୍ୟଙ୍ଗାତ୍ମକ ଶୈଳୀରେ ବଙ୍କା କୁ ସିଧା କରିବାର ପ୍ରୟାସ ଏ ସମାଜ ପାଇଁ ବେଶ ଶ୍ରେୟସ୍କର | ଏ କଥା କିଶୋର ପାଇଁ ନୂଆ ଖୋରାକ ନିଶ୍ଚୟ |
ପ୍ରତ୍ୟେକ ବନ୍ଦ ଆଖି ସବୁ କିଛିକୁ ନା ଦେଖି ପାରେ, ନା ପ୍ରତ୍ୟେକ ଖୋଲା ଆଖି ସବୁ କିଛିକୁ ଦେଖି ଜାଣି ପାରେ ? ଏ କଥାକୁ ବେଶ ହୃଦୟଙ୍ଗମ କରିଛି କିଶୋର, ସେ ଏ ଦୁନିଆକୁ କାର୍ଟୁନ ଆଖିରେ ଦେଖିବାକୁ ଚେଷ୍ଟା କରିଛି ସତ, ହେଲେ, ସେ ସେଇ ଅଜବ ତରିକାରେ ଦୁନିଆକୁ ଆଙ୍କି ଅନ୍ୟକୁ ଚିତ୍ର ଚରିତ୍ର ଦେଖିବାର ସୁଯୋଗ ସୃଷ୍ଟି କରି ପାରିଛି |
ଏ ଦୁନିଆର ଶୁଣ୍ଢୀ ସାକ୍ଷୀ ମାତାଲ ମାନେ ହୁଏତ ଭାବି ପାରନ୍ତି ସେ ଗୋଟେ ବାତୁଳ ବ୍ୟଙ୍ଗକାର ବୋଲି, ମାତ୍ର ସେ ବ୍ୟଙ୍ଗ, ବିଦ୍ରୁପ ଭିତରେ କେତେ ଯେ ଅବ୍ୟକ୍ତ ହୃଦୟର ଗାଥା ଭରି ରହିଚି । ତାହାକୁ ବଖାଣିବାର ନିର୍ଭର ପ୍ରତିଶୃତି ହିଁ ତାର ପ୍ରିୟ କାର୍ଟୁନ, k ଏହା ନିଃସଂନ୍ଦେହ |
ସେ ଦୁନିଆକୁ ଦେଖାଇ ଥାଏ ବେଦନାସିକ୍ତ ଯନ୍ତ୍ରଣାର ନିଚ୍ଛକ ପରିଭାଷା -ବ୍ୟବସ୍ତା, ବାସ୍ତବତା, ବିଶାଳତା, ପରିବ୍ୟାପକତାର ପରିପୂର୍ଣ୍ଣ ପୃଷ୍ଠଭୂମି | ସେଇଥିପାଇଁ ସେ ଆଜିବି ବ୍ୟଙ୍ଗାତ୍ମକ ଚିତ୍ର ଟିଏ ହୋଇ ବସା ବାନ୍ଧିଚି ଏଇ ବସୁଧାରେ, ପ୍ରତି ବ୍ୟବସ୍ତାପକତାରେ ପ୍ରିୟ କାର୍ଟୁନଟିଏ ହୋଇ, କାର୍ଟୁନିଷ୍ଟ, କଟାକ୍ଷ କିଶୋର ପଣିଆରେ.. ଆମରି ଚତୁର୍ପାର୍ଶ୍ୱରେ, ଚିର ଅମର ହୋଇ |