Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ତ୍ରାଣକର୍ତ୍ତା
ତ୍ରାଣକର୍ତ୍ତା
★★★★★

© sushama Parija

Inspirational

12 Minutes   7.2K    13


Content Ranking

ଖରାଦିନ, ସକାଳୁଆ ସ୍କୁଲ ଛୁଟି ହେଲାବେଳକୁ ଦିନ ଦଶଟା ବାଜି ତିରିଶ ମିନିଟ୍ । ପୁରୁଣା ଦଦରା ସାଇକେଲ୍ ଟି ଧରି ଘରେ ପହଞ୍ଚିଲା ବେଳକୁ ଦିନ ଏଗାରଟା ବାଜିଲାଣି । ଝାଳନାଳ ଆଣ୍ଠିଏ ହୋଇ

କବାଟ ଖୋଲି ଘରେ ପଶିଲା ଶିଉଳୀ । ସାଇକେଲ୍ ଖଣ୍ଡିକ କାନ୍ଥକୁ ଡେରି ଦେଇ ଘର ଭିତରକୁ ପଶିଲା ବେଳକୁ ଦେଖିଲା ସାହିର ପାକେଇ ଆଈ ମା' ସାଙ୍ଗରେ ଖଟ ଉପରେ ବସି କ'ଣ ଦୁଃଖ ସୁଖ ହଉଛି , ମା'ର ମୁହଁରେ ଜହ୍ନିଫୁଲିଆ ହସଟାଏ ଦେଖି ଶିଉଳୀ ଜାଣି ଗଲା କିଛି ଗୋଟାଏ ଭଲ କଥାବାର୍ତ୍ତା ଚାଲିଛି ନିଶ୍ଚୟ, ନହେଲେ ମା' ର ମୁହଁଟା ସବୁବେଳେ ଧାନ ଉଷୁଆଁ ହାଣ୍ଡି ଭଳିଆ ଗମ୍ଭୀର ଦିଶେ । ମା'କୁ ହସୁଥିବାର ଦେଖି , ଶିଉଳୀ ସାହସ କରି ତା'କୁ ଖାଇବାକୁ ମାଗିଲା, ନଚେତ୍ ଅନ୍ୟ ଦିନମାନଙ୍କରେ ସେ ନିଜେ ଜାମା ପାଲଟି ରୋଷେଇ ଘରେ ହାଣ୍ଡି ଅଣ୍ଡାଳି ଥାଏ । ପଖାଳ ଗଣ୍ଡାଏ ଥିଲେ ଖାଏ ନଥିଲେ ପାଣି ପିଇ ଶୋଇ ଯାଏ। ମା' ମୁଣ୍ଡରେ ପିତ୍ତ ଚଢିଥିଲେ ତ ଆଉ ନିସ୍ତାର ନାହିଁ । ପିଠିରେ ଦି ଚାରିଟା ଥୋଇଦେବ ଆଉ ଚିଲ୍ଲେଇବ '' ସକାଳେ ପରା ଖାଇକି ଯାଇଥିଲୁ , ଏଇନା ଆସୁ ଆସୁ ଭୋକ ହଉଛି , କି ସର୍ବଗ୍ରାସୀ ଭୋକ ଲୋ ମାଆ , ବୋପା ଚାରି ଚାରିଟା ଝିଅ ଜନମ କରି ମୋ'ରି ଗଳା ରେ ମାଡି ଦେଇଛି , ଦିନରାତି ଚବିଶ ଘଣ୍ଟା ଖାଲି ଖାଇବା କଥା , ଖାଇବା ପିଇବା ଛଡା ଆଉ କିଛି ନାହିଁ ''। ଡରି ମରି କାକୁସ୍ଥ ହୋଇ ପାଣି ଟୋପାଏ ପିଇ ଶୋଇପଡେ ଶିଉଳୀ । ଆଜି କିନ୍ତୁ ମା' ସେମିତି କିଛି କହିଲାନି ବରଂ ତା'କୁ ପାଖକୁ ଟାଣି ନେଇ ତା'ର ମୁଣ୍ଡ ଆଉଁସି ଦେଲା । ପାକେଇ ଆଈକୁ କହିଲା ''ଜାଣିଲ ଖୁଡୀ ! ଶିଉଟି ମୋର ଭାରି ଗୁଣର। ଇସ୍କୁଲରୁ ଫେରି ମତେ ଘରକାମରେ ସାହାଯ୍ୟ କରେ , ସାନ ଭଉଣୀମାନଙ୍କର ଦାୟିତ୍ବ ନିଏ,

ମାଛିକୁ ମ' କହେନି କି କାହା ଘରଦ୍ୱାରକୁ ଯାଏନି । ପାକେଇ ଆଈର ପାନଖିଆ ଓଠରେ ହସ ଖେଳିଗଲା ହେଲେ ମା ' ଆଖିରେ ଚକ୍ ଚକ୍ କରୁଥିବା ଦି 'ଟୋପା ଲୁହ ଶିଉଳୀ ଆଖିରୁ ବାଦ୍ ପଡି ନଥିଲା ।

ଶିଉଳୀ ପରମାଣିକର ବାପା ବିକ୍ରମ ପରମାଣିକ କେବେଠାରୁ ତାଙ୍କ ପୈତୃକ ଗାଁ ମହାକାଳପଡ଼ାର ଜମ୍ବୁରେ ଥିବା ତାର ଜେଜେମା , ଜେଜେବାପାଙ୍କୁ ଛାଡି ଏଠି ଚାଉଳିଆଗଞ୍ଜ ନୀଳକଣ୍ଠ ନଗର ବସ୍ତି ରେ ଆସି ରହୁଥିଲା ତା ' ସେ ଜାଣି ନାହିଁ କିନ୍ତୁ ତା'ମା ର ବାପଘର ଲୋକ ଏଠି ତିନି ପୁରୁଷ ଧରି ରହି ଆସୁଛନ୍ତି ବୋଲି ସେ ଭଲ ଭାବରେ ଜାଣିଛି । ଏଇ ବସ୍ତି ରେ ତା ମାଉସୀମାନେ ବାହାତୋଳା ହୋଇ ରହିଛନ୍ତି ସେମାନଙ୍କ ପରିବାର ସହିତ। ସେ ତା' ଆଈ ଠାରୁ ଶୁଣିଛି ଯେ ତା' ବାପା ଏଠି ଆସି ଜଣଙ୍କ ଘରେ ରହି ଦିନ ମଜୁରିଆ କାମ କରୁଥିଲା, ତା 'ର ଡଉଲଡାଉଲ ଚେହେରା ଆଉ କର୍ମଠପଣ ଦେଖି ତା' ଅଜା ତାକୁ ଜ୍ବାଇଁ କରିଥିଲେ । ନିଜ ପଇସାରେ ବସ୍ତିରେ ଘର ଖଣ୍ଡିଏ କରି ଦେଇଥିଲେ ବାହାଘର ପରେ ତା' ମା' ବାପା ରହିବା ଲାଗି । ସେଇ ଦିନଠାରୁ ସେମାନେ ଏଇଠି ଅଛନ୍ତି । ଆଗରୁ ତା'ମା ବଦନୀ ପରଘରେ କାମ କରୁ ନଥିଲା, ସଂସାର ବଢିଲାରୁ ଅଭାବ ବଢ଼ିଲା । ତା'ମା ଘରୁ ଗୋଡ କାଢିଲା ପର ଘରେ ଝାଡୁ ପୋଛା କରି ଅଧିକ ଦି 'ପଇସା କମେଇବା ଲାଗି । ପୁଅକୁ ଆଶା କରି ଚାରି ଚାରିଟା ଝିଅର ମାଆ ହେଲା ବଦନୀ । ପଞ୍ଚମ ସନ୍ତାନ କାଳେ ପୁଣି ଝିଅ ହୋଇ ଯିବ ଭାବି ଗର୍ଭକଷ୍ଟ କରି ପରିବାର ନିୟୋଜନ କାର୍ଯ୍ୟକ୍ରମ ଯୋଜନାରେ ନିଜର ବନ୍ଧ୍ୟା କରଣ କରିଥିଲା ସେ। ଚାରୋଟି ଯାକ ପିଲା ଏବେ ସ୍କୁଲ ଗଲେଣି । ସରକାରଙ୍କ ପକ୍ଷରୁ ବହିଖାତା , ସ୍କୁଲ ପୋଷାକ ସାଙ୍ଗକୁ ମଧ୍ୟାନ ଭୋଜନ ମିଳୁଛି ସିନା , ବାକି ଯେଉଁ

ଦୈନନ୍ଦିନ ଖର୍ଚ୍ଚ ହେଉଛି ତାକୁ ତୁଲାଇବା କାଠିକର ପାଠ ହେଉଛି ସେମାନଙ୍କ ପକ୍ଷରେ ।

ତା 'ବାପା ଏବେବି ଦିନ ମଜୁରିଆ କାମ କରୁଛି , ଚାରି ଚାରିଟା ଝିଅ ହେବା ପରେ ବଦନୀ ର ବଳ ଭାଙ୍ଗି ଗଲାଣି । ସେ ଆଉ କାମକୁ ପାରୁନାହିଁ । ବଡ ଝଅ ଶିଉଳୀ ଆସି ପନ୍ଦର ବର୍ଷର ହେଲାଣି । ସେ ନବମ ଶ୍ରେଣୀରେ ପଢୁଛି । ତା' ତଳକୁ ମୋହିନୀ ତେର ବର୍ଷର। ସେ ପଢୁଛି ସପ୍ତମ ଶ୍ରେଣୀରେ, ତା'ତଳକୁ ଏଗାର ବର୍ଷ ର ସୋହିନୀ ଆଉ ଆଠ ବର୍ଷର ଶ୍ରାବଣୀ ପଢୁଛନ୍ତି ପଞ୍ଚମ ଆଉ ତୃତୀୟ ରେ। ଛଅ ପ୍ରାଣୀ କୁଟୁମ୍ବ ଙ୍କୁ ଚଳେଇବା କଷ୍ଟକର ହୋଇପଡୁଛି ବିକ୍ରମ ପକ୍ଷରେ । ସେଥିରେ ପୁଣି ନିଶା ଅମଳୀ କରିଛି। ଦିନ ସାରା ଖଟି ଖଟି ଆସି ସଞରେ ଟୋପାଏ ନପିଇଲେ ନଚଳେ।ଗୋଡହାତ ଘୋଳାବିନ୍ଧା ହେଉଛି , ନିଦ ହେଉନି ,ଏମିତି ଦୁନିଆଁ ରଙ୍ଗ ଦେଖାଏ ବିକ୍ରମ । ବଦନୀ ଆଉ ପ୍ରତିବାଦ କରେନାହିଁ ।ମରଦ ଟା ଦିନ ସାରା ଖଟି ଖଟି ହାଲିଆ ହୋଇ ଫେରୁଛି , ଟୋପାଏ ପିଇ ଦେଲେ ହାଲୁକା ଲିଗୁଛି ତ ପିଉ , ଭାବି ଛାଡି ଦେଇଛି ତା' ବାଟରେ। ଝିଅ ମାନେ ଦିନ କୁ ଦିନ ବଢୁଛନ୍ତି, କାଲି ସକାଳୁ ତାଙ୍କୁ ବାହାତୋଳା କରି ଥଇଥାନ କରିବାକୁ ହେବ ,ସେକଥା ଭାବିଲା ବେଳକୁ ମୁଣ୍ଡ ଘୁରି ଯାଏ ବିକ୍ରମ ଆଉ ବଦନୀ ର । ଯାହା ତ ରୋଜଗାର ହେଉଛି ସେ ତାଙ୍କ ଖାଇବା ପିଇବା ଭଲମନ୍ଦ ରୋଗ ବୈରାଗ ରେ ଯାଉଛି ଆଉ ଅନ୍ୟ କଥା ଚିନ୍ତା କରିବ କେମିତି ? ପୂଜା

ପରବ ରେ ନୂଆ ଲୁଗାପଟା ପିନ୍ଧି ବାକୁ , ଭଲ ମନ୍ଦ ଟିକେ ଖାଇବାକୁ ପିଲାମାନଙ୍କର ଇଚ୍ଛା ହେଲେ ସେତକ ବି ଭଲରେ ଯୋଗାଇ ପାରେନାହିଁ ବିକ୍ରମ । ବଦନୀ ମନ ମାରି ରହେ। ବଡ ଝିଅ ଶିଉଳୀ ସ୍କୁଲରେ ଭଲ ପାଠ ପଢୁଛି ବୋଲି ତାଙ୍କର ସାର୍ କହୁଥିଲେ । ତା'କୁ ଯଦି ଆଉ ଟିକିଏ ଟିଉସନ ଦିଆ ହୁଅନ୍ତା ସିଏ ମାଟ୍ରିକ ରେ ଫାଷ୍ଟ୍ କିଲାସ ପାଆନ୍ତା ବୋଲି କହୁଥିଲେ । କିନ୍ତୁ କ'ଣ ବା କରି ପାରିବ ବଦନୀ । ଯେଉଁଠି ପେଟ କଥା ଠିକ୍ ରେ ବୁଝି ହେଉନି ସେଠି ପାଠ କଥା କିଏ ବୁଝିବ।

ଆଠ ଦିନ ହେଲାଣି ଜରରେ ପଡିଛି ବିକ୍ରମ। କାମକୁ ଯାଇ ପାରୁନି । ଔଷଧ ଦୋକାନୀକୁ ପଚାରି କ'ଣ ଔଷଧ ଆଣି ଖାଇଥିଲା ଯେ ସେଥିରେ ଜର କମୁନି। ଘରେ ସଉଦାପତ୍ର ସରିଲାଣି । ଟଙ୍କିକିଆ ଚାଉଳ ଗଣ୍ଡାକ ମିଳୁଛି ବୋଲି ମହତ ଅଛି , ବଦନୀ କାମକରୁଥିବା ଘର ର ମା'ମାନେ କିଛି ବାସି ତରକାରି କି ବଳକା

ଭଜା ଟିକିଏ ଦେଇ ଥାଆନ୍ତି ସେଥିରେ ଚଳିଯାଏ ପିଲାମାନଙ୍କର। ବାପା ମାଆ ଦି ଜଣ ଖଟା ଟିକିଏ କି ପିଆଜ ଦିଖଣ୍ଡରେ ଚଳେଇ ନିଅନ୍ତି । ବିକ୍ରମର ଜର ବଢୁଥିଲା ଦିନ କୁ ଦିନ, ବଦନୀ ତାକୁ ଡାକ୍ତର ପାଖକୁ ନେଲା । ଡାକ୍ତର ପରୀକ୍ଷା କରି କହିଲେ ତାକୁ ଟାଇଫଏଡ ହୋଇଛି । ଅନ୍ତନାଳୀ ଭିତରେ ଜର ରହୁଥିବାରୁ ସେ ଭଲ ହୋଇ ପାରୁନାହିଁ, ତାକୁ ଭଲ ହେବା ପାଇଁ କିଛି ଦିନ ଲାଗିବ । ଲମ୍ବା ଔଷଧର ଚିଠାଟିଏ ସହିତ ଭଲ ଖାଦ୍ୟର ତାଲିକାଟିଏ ଧରାଇଦେଇ ବଦନୀ କୁ କହିଲେ ଯାହା ଯାହା ଲେଖିଛି ସେଇ ଅନୁସାରେ କାମ କରିବ ନହେଲେ ରୋଗୀ ର ଜୀବନ ପ୍ରତି ବିପଦ ଅଛି । ବଦନୀ ମୁଣ୍ଡରେ ବଜ୍ର ପଡିଲା । କ'ଣ କେମିତି କରିବ ତାକୁ କିଛି ବୁଦ୍ଧି ବାଟ ଦେଖା ଗଲା ନାହିଁ । ବିକ୍ରମ କୁ ଘରେ ଛାଡି ଗଲା ଭଉଣୀମାନଙ୍କ ପାଖକୁ ,

ତାଙ୍କୁ ଦେଖାକରି ସବୁ କଥା କହିଲା , ବିକ୍ରମ ର ଚିକିତ୍ସା ପାଇଁ କିଛି ପଇସା ଧାର ମାଗିଲା ,ହେଲେ ସମସ୍ତଙ୍କ ଠାରୁ ନିରାଶ ହୋଇ ଫେରିଲା। ନିଜ ନିଜର ଅସୁବିଧା ଜଣାଇ ସମସ୍ତେ ତାକୁ ଖାଲି ହାତରେ ଫେରାଇ ଦେଲେ । ସେ କାମ କରୁଥିବା ଘରର ମାଲିକାଣୀ ମାନଙ୍କୁ ନିଜର ଦୁଃଖ ଜଣାଇ କିଛି ଟଙ୍କା ଅଗ୍ରିମ ଆକାର ରେ ଆଣିଲା ବଦନୀ । ହେଲେ ସେ କେତେ ଦିନ? ବିକ୍ରମର ଔଷଧ, ପଥିପାଂଚଣ ଆଉ ପିଲାମାନଙ୍କ ଖିଆପିଆରେ ଆଠ ଦିନ ରେ ପୁଣି ହାତ ପତେଇଲା ସେମାନଙ୍କ ଦୁଆରେ । ଏକେ ତ ବିକ୍ରମ କୁ ଛାଡ଼ି ନିୟମିତ କାମକୁ ଯାଇ ପାରୁନଥିଲା ବଦନୀ ସେଥିରେ ପୁଣି ଆଗୁଆ ପଇସା ମାଗୁଥିଲା । ନାକ କାନ ଛିଞ୍ଚାଡି କିଏ କିଛି ଟଙ୍କା ଦେଲେ ତ ଆଉ କେହି ମୁହଁ ମୋଡି ଦେଲେ। କ'ଣ କରିବି କ'ଣ କରିବି ବୋଲି ଭାବି ଭାବି ଆସୁଥିବା ବେଳେ ବାଟରେ ଭେଟ ହୋଇଗଲା ପାକେଇ ମାଉସୀ ସାଥିରେ । ପାକେଇ ମାଉସୀ ତାଙ୍କ ବସ୍ତିର ଲୋକ । ବଡ ବଡ ବାବୁ ମାନଙ୍କ ଘରେ କାମ କରି କରି ତା'ର ଚିହ୍ନା ପରିଚୟ ବହୁତ ଲୋକଙ୍କ ସାଙ୍ଗରେ । ବସ୍ତିରେ କାହାର କାମକାର୍ଯ୍ୟ ପଡିଲେ ଆଗ ଯାଇ ଛିଡା ହୁଏ। ସେଥିଲାଗି ବସ୍ତିରେ ତାର ଭlରି ଆଦର। ଆଜି ଏମିତି ଦୁର୍ଦ୍ଦିନ ରେ ତା'ର ଦେଖା ପାଇ ତାକୁ ହାତ ଧରି ନିଜ ଘରକୁ ନେଇ ଆସିଥିଲା ବଦନୀ । ବିକ୍ରମ ର ଅସୁସ୍ଥତା ଆଉ ନିଜର ଅସହାୟତା ବିଷୟରେ କାନ୍ଦି କାନ୍ଦି ସବୁ କଥା କହିଥିଲା। ତା'ର ଦୁଃଖ କଥା ଶୁଣି କାନ୍ଦି ପକାଇଥିଲା ପାକେଇ ମାଉସୀ । ଅଣ୍ଟା ରୁ କଢି ପାଆଁଶ ଟଙ୍କିଆ ନୋଟ୍ ଖଣ୍ଡିଏ ଧରେଇ ଦେଇଥିଲା ତା'କୁ। ସାନ୍ତ୍ବନା ଦେଇ କହିଥିଲା '' ମାଆଲୋ, ତୋ ମାଆ ନଥିଲେ କ'ଣ ହେଲା , ଏ ପାକେଇ ମାଉସୀ ଥିଲା ଯାଏ ତୋର କିଛି ଅସୁବିଧା ହେବନି, ତୁ ଆଗ ଯା' ଏ ପଇସା ନେଇ ବିକ୍ରମ ର ଚିକିତ୍ସା କର , ତୋ ପିଲାମାନଙ୍କୁ ଖାଇବାକୁ ଦେ , ତା 'ପରେ କ' ଣ କରିବା ଦେଖିବା । ମୁଁ ଥିବା ଯାଏ ତୋର କିଛି ବି ଦରକାର ପଡିଲେ ମତେ କହିବୁ ''। ବଦନୀକୁ ଲାଗୁଥିଲା ସାକ୍ଷାତ ଦେବୀଟିଏ ଉଭା ହୋଇଛନ୍ତି ତା' ଆଗରେ । ମାଉସୀର ପାଦଧୂଳି ନେଇ ମୁଣ୍ଡରେ ମାରିଲା ବଦନୀ । ମାଉସୀ ଫେରି ଗଲା ତା' ଘରକୁ ।

ଚାରି ଦିନ ପରେ ପୁଣି ଥରେ ଆସିଥିଲା ପାକେଇ ମାଉସୀ । ଏଥରକ ତା ପିଲାମାନଙ୍କ ପାଇଁ ବରା ପିଆଜି , ବିକ୍ରମ ପାଇଁ ଫଳମୂଳ ଧରି ଆସିଥିଲା । ନାହିଁ ନାହିଁ କରୁ କରୁ ବଦନୀ ହାତରେ ପାଆଁଶ ଟଙ୍କା ଗୁଞି ଦେଇ ଯାଇଥିଲା । ଶିଉଳୀକୁ ପାଖରେ ବସାଇ କେତେ କଥା ବୁଝେଇ ଥିଲା । କହିଥିଲା '' ଆଲୋ ନାତୁଣୀ !

ଖାଲି ପାଠ ପଢିଲେ କ'ଣ ହେବ ? ଘରେ କାମଦାମରେ ମା' କୁ ଟିକେ ସାହାଯ୍ୟ କର , ତୋ ବାପାଟା ବେମାର ପଡିଲା ଦିନଠୁ ସେ କେତେ ହଇରାଣ ହରକତ ହୋଇ ତମ ମାନଙ୍କୁ ଚଳଉଛି ସେ କଥା ବୁଝ , ଆଜି ଯଦି ତୋ ବାପା ର କିଛି ଭଲମନ୍ଦ ହୋଇଯାଏ , ତେବେ ତମେ ସବୁ କେମିତି ଚଳିବ ସେକଥା ଟିକେ ମନରେ ଭାବ । ଆଉ ତୁ ଝିଅ ପିଲା ଟା ,ଟିକିଏ ନିଜ ଚେହେରାର ଧ୍ୟାନ ରଖୁନୁ , ଏମିତି ଭୁତୁଣୀ ଭଳିଆ ବୁଲୁଛୁ କାହିଁକି '' ? ସେଦିନ ନିଜ ହାତ ରେ ତେଲ ଲଗାଇ ମୁଣ୍ଡ କୁଣ୍ଡାଇ , ମୁହଁରେ ପାଉଡର ବୋଳି କଳା ଟିପା ଟିଏ କପାଳ ରେ ଲଗାଇ ଦେଉ ଦେଉ କହିଥିଲା ମୋ ସୁନ୍ଦରୀ ନାତୁଣୀ କୁ କାହାର ନଜର ନଲାଗୁ । କୃତଜ୍ଞତା ରେ ମୁଣ୍ଡ ନୂଆଁଇ ଥିଲା ଶିଉଳୀ । ମା ' କହିଥିଲା ଦେଖଲୁ ପାକେଇ ଆଈ ତତେ କେତେ ଭଲପାଏ ,

ଆମ ପରିବାର ପାଇଁ କେତେ ଦରଦ ତା'ର । ବାପା ଙ୍କ ଦେହ ଭଲ ହେଉ ନଥିଲା, ପାକେଇ ଆଈର ଯିବା ଆସିବା ଲାଗି ରହୁଥିଲା ଶିଉଳୀ ର ଘରକୁ ।

ସେଦିନ ସ୍କୁଲରୁ ଫେରି ମା' କୁ ପାକେଇ ଆଈ ସହିତ ଖୁସିଗପ କରୁଥିବା ଦେଖି ଆଚମ୍ବିତ ହେଲା ନାହିଁ ଶିଉଳୀ ।ଭାବିଲା ବାପା ଘରେ ପଡିଲା ଦିନଠୁ ମା' ଟା ଚିଡ୍ ଚିଡା ଧରି ଯାଇଥିଲା ଏବେ ପରିସ୍ଥିତି ଟିକିଏ ସୁଧୁରିବାରୁ ଖୁସି ହେଉଛି ତ ହେଉ। ବିଚାରୀ ମା' ପ୍ରତି ଦୟା ଆସୁଥିଲା ତା'ର। ଜୀବନ ସାରା ଖଟି ଖଟି ସୁଦ୍ଧା ସୁଖ ଟିକେ ପାଇଲା ନାହିଁ। ସେ ଭଲ ପାଠ ପଢି ଭଲ ମଣିଷଟିଏ ହେବ। ବଡ ଚାକିରୀ କରିବ , ମା' କୁ ଆଉ ପରଘରେ କାମ କରିବାକୁ ଦେବ ନାହିଁ । ଭଉଣୀ ମାନଙ୍କୁ ପାଠଶାଠ ପଢେଇ ମଣିଷ ପରି ମଣିଷ କରିବ। ବାପା ମା ' ଙ୍କର ଦାୟିତ୍ବ ନେବ। ଦୁନିଆଁ କୁ ଦେଖାଇଦେବ ଯେ ଝିଅ ବି ପୁଅର କାମ କରିପାରେ। ଝିଅ ଟିଏ ପୁଅ ଠାରୁ କୌଣସି ଗୁଣରେ କମ୍ ନୁହେଁ । ଏମିତି ସବୁ ଭାବନାରେ ବୁଡି ରହି ସେ ଘର ବାହାରକୁ ଆସିଲା ବେଳକୁ ଦେଖିଲା ଅଗଣାରେ ମା' ପାକେଇ ଆଈ କୁ କହୁଛି '' ତମେ ସବୁ ଯୋଗାଡ କର । ସେଠାରେ ପହଞ୍ଚିବା ଦାୟିତ୍ବ ମୋର '' । ଶିଉଳୀ ଭାବିଲା ବୋଧହୁଏ ମା' ବାପା ଙ୍କୁ କୌଣସି ବଡ ଡାକ୍ତରଙ୍କ ପାଖକୁ ନେବାକୁ କହୁଛି । ଅନେକ ଦିନ ଧରି ଔଷଧ ଖାଇବା ପରେ ମଧ୍ୟ ବାପାଙ୍କର ଦେହ ଭଲ ହେଉ ନଥାଏ ତ ସେଥି ପାଇଁ। ପାକେଇ ଆଈ ଘରୁ ବାହାରି ଗଲା ପରେ ମା' ଡାକିଲା ଶିଉଳୀ କୁ । ଘର ଭିତରେ ପଶି କବାଟଟା କିଳି ଦେଇ ତା'କୁ ଖଟ ଉପରେ ବସେଇଲା ନିଜ ପାଖରେ। ମୁଣ୍ଡ ଆଉଁସି ଆଉଜାଇ ଆଣିଲା ତା'କୋଳକୁ। ଧୀର ଗଳା ରେ କହିଲା '' ମାଆଲୋ ! ତତେ ଗୋଟିଏ କଥା କହିବି, ତୁ ମାନିବୁ ତ ? ମୁଁ ଜାଣିଛି ତୁ ମୋର ସୁନା ଝିଅ , ପିଲାଟି ଦିନରୁ ଆଜି ଯାଏ ମୋର କୌଣସି କଥାକୁ ଟାଳି ଦେଇ ନାହୁଁ , ମୁଁ ଯାହା ଯେତେବେଳେ କହିଛି ତୁ ମାନିଛୁ , ସେଇ ଭରସା ରେ ଆଜି ମୁଁ ତତେ କହୁଛି । ମୁଁ ତୋର ବାହାଘର ଠିକ୍ କରିଦେଇଛି । ବରଟି ଥିଲା ବାଲା ଘରର । ଖାଇବା, ପିନ୍ଧିବା କୌଣସିଥିରେ ଅଭାବ ନାହିଁ , ତୁ ସେଠି ରାଣୀ ହୋଇ ରହିବୁ । ଏଠି ତୋର କି ସୁଖ ଅଛି ? ନା ମୁଁ ତତେ ଭଲରେ ଗଣ୍ଡାଏ ଖାଇବାକୁ ଦେଇପାରୁଛି ନା ଭଲ ଖଣ୍ଡିଏ ପିନ୍ଧିବାକୁ । ସରକାରୀ ସ୍କୁଲ ବୋଲି ପାଠ ପଢୁଛୁ ମାଗଣାରେ, ଟିଉସନ ଟିଏ ଦେବାକୁ ସକ୍ଷମ ହୋଇ ପାରୁନୁ ଆମେ , ଏଥିରେ କି ପାଠ ପଢିବୁ ତୁ ? ପୁଣି ସେଥିରେ ତୋ ପଛକୁ ତିନି ତିନିଟା ଭଉଣୀ, ସେମାନେ କେମିତି ଖାଇପିଇ ଜିଇଁ ରହିବେ ସେ ଚିନ୍ତା ମତେ ଘାରୁଛି । ତୋ ବାପା କଥା ତ ଦେଖୁଛୁ , ଏତେ ଔଷଧ ପତ୍ର ଖାଇଲେଣି ଭଲ ହେଉନାହାଁନ୍ତି । ବଡ ଡାକ୍ତର ଙ୍କ ପାଖକୁ ନେବାକୁ ବଡ ପଇସା ଦରକାର, କୋଉଠୁ

ପାଇବି ? ପାକେଇ ଆଈ ସେ ପ୍ରସ୍ତାବଟି ଦେଖିଛି , ବରପାତ୍ରଟି ଖୁବ୍ ଭଲ , ଗାଁ ରେ ତେଜରାତି ଦୋକାନଟିଏ ଦେଇଛି , ଘରେ ଜମି ବାଡି କିଛି ଅଛି, ସେଥିରେ ପୁଣି ତତେ ବାହା ହେଲେ ସେ ଆମମାନଙ୍କର ଦାୟିତ୍ବ ବି ନେବ ବୋଲି କହୁଛି , ୟା ଠାରୁ ବଡ କଥା ଆଉ କ'ଣ ହୋଇପାରେ? ଆସନ୍ତା କାଲି ବନଦୁର୍ଗା ମନ୍ଦିରରେ ତୋର ବାହାଘର । ସବୁ ବ୍ୟବସ୍ଥା ବର ତରଫରୁ ପାକେଇ ମାଉସୀ କରିଛି, ଆମେ ଖାଲି ଯାଇ ସେଠି ପହଞ୍ଚିବା ପରେ ସବୁ ହେବ। ମା' ର କଥା ସବୁ ମନ ଧ୍ୟାନ ଦେଇ ଶୁଣୁଥିଲା ଶିଉଳୀ । ତା'କୁ ଲାଗୁଥିଲା ଯେମିତି ସେ ପଥରର ମୂର୍ତ୍ତି ଟିଏ ହୋଇ ଯାଇଛି, ତା'ର ପାଦ ଦୁଇଟି ଭୂମି ଉପରେ ଇଟା ସିମେଣ୍ଟ ଦେଇ କିଏ ପ୍ଲାଷ୍ଟର କରି ଦେଇଛି, ତା' ଦେହ ଥରି ଯାଉଥିଲା, କାନମୁଣ୍ଡା ଝାଇଁ ମାରି ଯାଉଥିଲା , ତଣ୍ଟି ଶୁଖି ଅଠା ଅଠା ହୋଇ ଯାଉଥିଲା । ସେ କିନ୍ତୁ କିଛି କହିପାରିଲାନି , ଚୁପ୍ ଚାପ୍ ହୋଇ ମୁଣ୍ଡ ତଳକୁ ପୋତି ବାହାରି ଆସିଲା ସେ ଘରୁ ।

ଦିନ ସାରା କାନ୍ଦି କାନ୍ଦି ତା'ର ଆଖି ଦୁଇଟା ନାଲି ପଡି ଯାଇଥିଲା । କେତେ ସ୍ବପ୍ନ ସେ ଦେଖିଥିଲା ତା ' ଭବିଷ୍ୟତ କୁ ନେଇ , ସବୁ ଯେମିତି ଗୋଟିଏ ଝଡରେ ଧୂଳିସାତ୍ ହୋଇଗଲା । କ'ଣ ହେବ ତା' ଜୀବନ ? ପନ୍ଦର ବର୍ଷ ର ଝିଅ ସିଏ , ସମ୍ଭାଳି ପାରିବ ତ ସଂସାର ର ବୋଝ ?? ନା ବଳି ପଡିଯିବ

ତାଙ୍କ ଅଭାବୀ ସଂସାର ର ନିଅଣ୍ଟିଆ ଯୁଇ ରେ ??? କିଛି ଭାବି ପାରୁନଥିଲା ସେ। କେତେ ଭଲ ପାଏ ସେ ପାଠ ପଢିବାକୁ। କ୍ଲାସ୍ ରେ ଦିଆଯାଇଥିବା ପାଠ ସବୁ ନିଜେ ନିଜେ କରିବାକୁ ରାତି ରାତି ଅନିଦ୍ରା ରହି ଥାଏ। କାଲି ଠାରୁ ଆଉ ସେ ସ୍କୁଲ ଯିବ ନାହିଁ । ଶେଷଥର ଲାଗି ବହିଖାତା ଗୁଡିକ ଉପରେ ସ୍ନେହ ରେ ହାତ ବୁଲାଇ ଆଣିଲା ଶିଉଳୀ । କାଲିଠାରୁ ସେମାନଙ୍କ ସହିତ ତା'ର ସମ୍ପର୍କ ଛିନ୍ନ ହୋଇ ଯିବ ସବୁଦିନ ପାଇଁ।

ହଠାତ୍ ବହିଥାକରେ ଥୁଆ ହୋଇଥିବା କଲମଟି ଉପରେ ଦୃଷ୍ଟି ଅଟକିଗଲା ତା'ର। ଆରେ ଏଇଟା ତ ତାର ପ୍ରିୟ ସାଙ୍ଗ ନିଳିମା ର କଲମ । କାଲି ତ ସେ ସ୍କୁଲ ଯିବନାହିଁ , ନିଳିମା କୁ ତା'ର କଲମଟି ଫେରାଇବ କେମିତି ? ଶିଉଳୀ ଆଖିରୁ ଧାରେ ଲୁହ ଗଡି ପଡିଲା। ନିଳିମା ର ବାପା ଜଣେ ସାମ୍ବାଦିକ ହୋଇଥିବାରୁ ତାଙ୍କୁ ବହୁତ ସୁନ୍ଦର ସୁନ୍ଦର କଲମ ସବୁ ଉପହାର ରେ ମିଳିଥାଏ। ସେଥିରୁ ଗୋଟାଏ ଦିଇଟା କଲମ ଆଣି ନିଳିମା ସ୍କୁଲରେ ଲେଖା ଲେଖି କରେ। ଶିଉଳୀ ର ଟଙ୍କିକିଆ ଶସ୍ତା କଲମ ବେଳେ ବେଳେ ଖରାପ ହୋଇ ଚାଲେ ନାହିଁ , ସେତେବେଳେ ନିଳିମା ତା'କୁ ନିଜ କଲମ ଟି ଦେଇଥାଏ ଲେଖିବା ପାଇଁ। ଲେଖା ଲେଖି ସାରି ଶିଉଳୀ କଲମ ଟି ଫେରାଇ ଦିଏ ନିଳିମା କୁ । ଆଜି ଭୁଲ୍ ବଶତଃ ସେ କଲମ ଟି ଧରି ପଳାଇ ଆସିଛି ଘରକୁ। କଲମଟି ନ ପାଇ ଆଜି ନିଳିମା ନିଶ୍ଚିତ ହଇରାଣ ହୋଇଥିବ ପାଠ କରିବା ଲାଗି। ନିଳିମାର ଘରଟି ତାଙ୍କ ବସ୍ତି ର ଠିକ୍ ଆରପଟେ। ଶିଉଳୀ ଭାବିଲା ଯାହା ହେଉ ପଛେ ସେ ନିଳିମା କୁ ତାର କଲମଟି ତାଙ୍କ ଘର ପାଖରେ ପହଞ୍ଚି ଫେରାଇ ଦେବ। ସେଇ ଅନ୍ଧାର ରାତିରେ ସେ ଗଲା ନିଳିମା ଘରକୁ । ତା'କୁ କଲମ ଟି ଫେରାଇଲା ବେଳକୁ କେଜାଣି କାହିଁକି ଭାରି କାନ୍ଦ ଲାଗିଲା ଶିଉଳୀ କୁ। ନିଳିମା କୁ ଜାବୁଡି ଧରି ଭେଁ ଭେଁ ରଡି ଛାଡି କାନ୍ଦି ଉଠିଲା ଶିଉଳୀ । ତା'ର ଏମିତି କାନ୍ଦିବା ଦେଖି କାରଣ ପଚାରିଲା ନିଳିମା। ପ୍ରଥମରୁ ନାହିଁ ନାହିଁ କରୁଥିଲେ ବି ସାଙ୍ଗର ରାଣ ଆଗରେ ହାର୍ ମାନିଲା ଶିଉଳୀ । ସବୁ ସତ କଥା ଗୋଟି ଗୋଟି କରି କହିଗଲା ନିଳିମା ଆଗରେ। ଶିଉଳୀ ର କଥା ଶୁଣି ସ୍ତମ୍ଭୀଭୂତ ହୋଇଗଲା ନିଳିମା । କେତେ ନିଷ୍ଠୁର ମାଆ ସେ , ଯିଏ ନିଜ ପରିବାରର ସୁଖ ଲାଗି ନିଜର ପନ୍ଦର ବର୍ଷ ର ଝିଅ କୁ ବଳି ପକାଇ ଦେଉଛି ।

ଟିକିଏ ହେଲେ ଭାବୁନାହିଁ ନିଜ ଝିଅର ମନ କଥା, କ'ଣ ବିତୁଥିବ ଝିଅଟି ଉପରେ ଯେତେବେଳେ ତା'ର ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯିବ ନିମିଷକ ମଧ୍ୟରେ । ଶିଉଳୀର ଦୁଃଖ ରେ ଛାତି ଫାଟି ଯାଉଥିଲା ନିଳିମା ର। ସେ ଶିଉଳୀ କୁ ଜାବୁଡି ଧରି କାନ୍ଦି ଉଠିଲା । ବହୁତ କଷ୍ଟରେ ତା'କୁ ନିଜ ଠାରୁ ଅଲଗା କରି ଏ କଥା କାହାରିକୁ ନ କହିବା ଲାଗି ରାଣ ନିୟମ ଦେଇ ଘରକୁ ଫେରି ଆସିଲା ଶିଉଳୀ ।

ତା ' ପର ଦିନ ନିର୍ଦ୍ଧାରିତ ସମୟରେ ଶିଉଳୀ କୁ ନେଇ ତା'ର ପରିବାର ଲୋକେ ପହଞ୍ଚିଲେ ବନଦୁର୍ଗା ମନ୍ଦିର ରେ। ସେଠାରେ ଆଗରୁ ଆସି ପାକେଇ ଆଈ ସବୁ ବନ୍ଦୋବସ୍ତ କରି ରଖିଥିଲା । ସେମାନେ ପହଞ୍ଚିଲା ପରେ ବାହାଘର ର କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲା । ଶିଉଳୀ କୁ ଶାଢ଼ୀ ପିନ୍ଧାଇ ବୋହୂ ବେଶ କରି ବେଦୀ ରେ ବସାଇ ମନ୍ତ୍ରପାଠ ଆରମ୍ଭ କଲେ ପୁରୋହିତ। ବରବେଶରେ ଆଣି ଯେଉଁ ପୁଅକୁ ବସାଇଲେ ତା'ର ବୟସ

ତା' ଠାରୁ ଦୁଇ ଗୁଣ କିମ୍ବା ତତୋଽଧିକ ହେବ ବୋଲି ଅନୁମାନ କଲା ଶିଉଳୀ । ଦୁଃଖ ରେ ତା'ର ଛାତି ଫାଟି ଯାଉଥିଲେ ବି ସେ ଥିଲା ନାଚାର , ଖାଲି ଭାଗ୍ୟ କୁ ନିନ୍ଦି କାନ୍ଦିବା ଛଡା ଆଉ କିଛି ବାଟ ନଥିଲା ତା'ର । ମାଳା ବଦଳ ପରେ ହାତଗଣ୍ଠି ପକେଇବାକୁ ଆରମ୍ଭ କରିଛନ୍ତି ପୁରୋହିତ , ଏଇ ସମୟରେ ଧଡ୍ ଧଡ୍ ହୋଇ ପଶି ଆସିଥିଲେ ପୋଲିସ୍ ଦଳ , ତାଙ୍କ ପଛେ ପଛେ ଆଉ କିଛି ଭଦ୍ରଲୋକ ସହିତ ନିଳିମାର ବାପା ପ୍ରଫୁଲ୍ଲ କୁମାର ମିଶ୍ର । ଏ ବାହାଘର ବନ୍ଦ କର ,ବନ୍ଦ କର , କହି ବାହା ଧରି ଉଠେଇ ଆଣିଲେ ଶିଉଳୀକୁ । ସେତିକି ବେଳେ ସ୍କୁଲ୍ ର ହେଡ୍ ସାର୍ ଙ୍କୁ ଧରି ସେଠାରେ ପହଞ୍ଚି ଥିଲା ନିଳିମା । ପୋଲିସ୍ ଇନ୍ସପେକ୍ଟର ସେତେବେଳକୁ ବର ଆଉ ତା'ର ଘର ଲୋକ ମାନଙ୍କୁ ଧମକାଉ ଥାଆନ୍ତି '' ନାବାଳିକା ବିବାହ ଏକ ଆଇନଗତ ଅପରାଧ ବୋଲି ଜାଣି ମଧ୍ୟ ଆପଣମାନେ ଏହି ବାହାଘର କରିଥିବାରୁ ମୁଁ ଆପଣମାନଙ୍କୁ ଗିରଫ୍ କରୁଛି ଏବଂ ଏ ବିବାହ କୁ ଅସିଦ୍ଧ ଘୋଷଣା କରୁଛି '' । ଭଦ୍ରଲୋକ ମାନଙ୍କ ଭିତରୁ ଜଣେ ଭଦ୍ର ମହିଳା ଆଗେଇ ଆସି ଶିଉଳୀ କୁ ଧରି ନେଲେ ଆଉ କହିଲେ '' ତମେ କେମିତିକା ମାଆ କିହୋ ! ଝିଅ ଯଦି ତମକୁ ବୋଝ ହେଉଥିଲା ତମେ ଆମକୁ ଦେଇ ଦେଲନି , ଏମିତି ଜିଅନ୍ତା ଜଳି ପୋଡି ମରିବାକୁ ତାକୁ ଛାଡି ଦେବାକୁ ତମ ଆତ୍ମା କହିଲା କେମିତି ? ଚାରି ଚାରିଟା ଝିଅ ଜନମ କରି ଥିଲ କାହିଁକି ଗୋଟାଏ ପରେ ବନ୍ଦ କଲନି ? ସରକାର ଏଥିନେଇ କେତେ ସୁବିଧା ଉପଲବ୍ଧ କରାଇଛନ୍ତି ତମେ କ'ଣ ଜାଣିନ ? ମୁଁ ବନ୍ଦନା ଦାସ, ସାମାଜିକ ସଂଗଠନ ବସୁନ୍ଧରା ର ସେକ୍ରେଟାରୀ । ଏ ଝିଅଟିକୁ ମୁଁ ନେଇ ଯାଉଛି , ସେ ଆଜି ଠାରୁ ଆମ ସହିତ ରହିବ ବସୁନ୍ଧରା ରେ ଆମର ଝିଅ ହୋଇ । ଆଜି ଠାରୁ ତା'ର ସବୁ ଦାୟିତ୍ବ ଆମର'' । ଜଳଜଳ କରି ଚାହିଁ ରହିଥିଲା ଶିଉଳୀ । ସେ କିଛି ବୁଝି ପାରୁନଥିଲା । ତା'ର ମନେ ହେଉଥିଲା ସେ ଗୋଟିଏ ଗହୀରିଆ ଖାତ ଭିତରକୁ ଖସି ପଡୁ ପଡୁ ଗୋଟାଏ ଦୈବୀଶକ୍ତି ତାକୁ କୋଳରେ ନେଇ ନିଶ୍ଚିତ ମୃତ୍ୟୁ ମୁଖରୁ

ତା'କୁ ରକ୍ଷା କରି ଦେଇଛି । ନିଳିମା ଆଉ ତା'ର ବାପାଙ୍କ ପ୍ରତି କୃତଜ୍ଞତାରେ ଆଖି ଛଳଛଳ ହୋଇ ମୁଣ୍ଡ ନଇଁ ଗଲା ଶିଉଳୀର ।।

ତ୍ରାଣକର୍ତ୍ତା ଦୈବୀଶକ୍ତି ମଜୁରିଆ

Rate the content


Originality
Flow
Language
Cover design

Comments

Post

Some text some message..