Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କେଡେ ଅଲାଜୁକିଟାଏ କିଲୋ.........
କେଡେ ଅଲାଜୁକିଟାଏ କିଲୋ.........
★★★★★

© ପ୍ରଶାନ୍ତ କୁମାର ବେହେରା

Inspirational Romance Tragedy

5 Minutes   2.1K    12


Content Ranking

କେଡେ ଅଲାଜୁକିଟାଏ କିଲୋ.........

------------------------------------------

ଆଜିକାଲି କଲେଜ ମାନଙ୍କରେ ପୂର୍ବର ପରିବେଶ ଓ ପରିସ୍ଥିତିରେ ଢେର୍ ପରିବର୍ତ୍ତନ ଆସିଲାଣି l ଏ ପରିବର୍ତ୍ତନ ସବୁ କ୍ଷେତ୍ରକୁ ବ୍ୟାପି ଗଲାଣି l କଲେଜରେ ପଢିବା ସମୟରେ ପ୍ରେମ କରିବା ବା ପ୍ରେମରେ ପଡିବା ଏକ ସାଧାରଣ କଥା l ଏହି ପ୍ରେମ ହୋଇପାରେ ଏକ ପାଖିଆ ବା ଦୁଇ ପକ୍ଷଙ୍କ ସହମତି ଭିତ୍ତିକ l କିଛି ଦୁଇ ପାଖିଆ ପ୍ରେମ କେତେବେଳେ ଏକ ପାଖିଆରେ ବା ଆଉ କିଛି ଏକ ପାଖିଆ ପ୍ରେମ ଦୁଇ ପାଖିଆରେ ରୂପାନ୍ତରିତ ହୋଇଯାଏ ସେମିତି କହି ହୁଏନି l କିଛି ପ୍ରେମ କରାଳି କଲେଜ ଜୀବନ ଭିତରେ ଏତେ ବେଗରେ ସେମାନଙ୍କ ପ୍ରେମକୁ ଧାବମାନ କରାନ୍ତି ଯେ, ସେଇ ସମୟରେ ହିଁ ଦୁହେଁ କିଛି ଦିନ ଫେରାର୍ ହୋଇ ସିଧା ବାହା ହୋଇ ଫେରନ୍ତି l ଜୀବନର ପନ୍ଥା ନିରୁପିତ ହୋଇ ନଥିବା କାରଣରୁ ବାପ ମାଆଙ୍କ ଉପରେ ଉଭୟ ପୁଅ ବୋହୁ ବୋଝ ହୋଇଯାଆନ୍ତି l ସେତେବେଳେ ବାପ ମାଆ ମାନଙ୍କ ପାଖରେ ସେ ବୋଝ ମୁଣ୍ତାଇବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନଥାଏ l

ଆଉ କିଛି ଦୁଇ ପାଖିଆ ପ୍ରେମ କଲେଜରେ ପଢା ସରିବା ପରେ ମଧ୍ଯ ଚାଲେ l ଏ କାଟେଗୋରୀରେ ଆସୁଥିବା ଯୋଡି ମାନଙ୍କ ମଧ୍ଯରୁ କିଛି ପ୍ରେମ ସଫଳ ହୋଇ ବାହାଘର ହୋଇଯାଏ l ଆଉ କିଛି ସମୟ ସ୍ରୋତରେ ଅସଫଳ ହୋଇ ସେ ପ୍ରେମ ଅମର ହୋଇଯାଏ l ସେଇ କଲେଜ ଜୀବନରେ ଏମିତି କିଛି ଏକ ପାଖିଆ ପ୍ରେମ ଥାଏ, ଯେଉଁଠି ଆର ପକ୍ଷ ଜାଣିପାରେନି ତାକୁ କିଏ ପ୍ରେମ କରୁଛି ବୋଲି l ଏ କିସମର ପ୍ରେମ ସେଇ ଅନ୍ଧାର ଭିତରେ ରହିଯାଏ, ଦିନର ଆଲୁଅ କେବେ ଦେଖି ପାରେନା l

କଲେଜ ଜୀବନରେ ଘଟୁଥିବା ପ୍ରେମ ମଧ୍ଯରୁ ଯେତିକି ସଫଳ ହୁଏ ତା' ଠାରୁ ଢେର୍ ଅଧିକ ଅସଫଳ ହୋଇ ତାଙ୍କ ପ୍ରେମ ଅମର ହୋଇଥାଏ l ପ୍ରେମ କରି ସଫଳ ହୋଇ ବିବାହ ପରେ ତାଙ୍କ ପ୍ରେମ ସମୟରେ ଦେଖିଥିବା ସ୍ୱପ୍ନ ସବୁ ଧୁ ଧୁ ଖରା ମରୁଭୂମିରେ ପୋଡିଯାଇ ଧୁଳିସାତ୍ ହୋଇଯାଏ l ସେମାନେ ବିବାହ ପରେ ପସ୍ତେଇବା ଆରମ୍ଭ କରନ୍ତି ଆଉ କିଛି କେସ୍ ରେ ବିବାହ ବିଚ୍ଛେଦ ଯାଏ କଥା ବି ଯାଏ l ଆଉ କିଛି ପ୍ରେମ କ୍ଷେତ୍ରରେ ଏମିତି ହୁଏ ସେ ପ୍ରେମି ଯୁଗଳଙ୍କ ଭିତରୁ ଗୋଟେ କିଏ ଅତ୍ମହତ୍ୟା କରିବା ଯାଏ କଥା ଯାଏ l

ଏ ପ୍ରେମ କରିବା କିଛି ନୂଆ କଥା ନୁହେଁ l ଆମେ କଲେଜରେ ପଢୁଥିବା ସମୟରେ ଥିଲା, ଆମ ପୂର୍ବରୁ ଥିଲା, ଏବେ ବି ଅଛି l କିନ୍ତୁ ସମୟର ସ୍ରୋତରେ ତାଳଦେଇ ପ୍ରେମର ସଜ୍ଞାରେ ବହୁତ କୁଛି ପରିବର୍ତ୍ତନ ଘଟିଛି l ଆମ ସମୟରେ ବା ଆମ ପୂର୍ବରୁ ଅାଜିକାଲି ପରି ପ୍ରେମରେ ଏତେ ଗପସପ ବା ଏକାନ୍ତ ହେବା ନଥିଲା l ଏବେ କିନ୍ତୁ ସେସବୁ ଖୁବ୍ ସାମାନ୍ୟ କଥା l କଲେଜରେ ପଢୁଥିବା ଆଉ ପ୍ରେମରେ ପଡିଥିବା ପିଲା ମାନେ କେବଳ ଯେ କଲେଜରେ କଥା ହେଉଛନ୍ତି, ଏକାନ୍ତ ହେଉଛନ୍ତି ତାହା ନୁହେଁ, ବରଂ ବାହାର କିଛି ପିଲା ବି କଲେଜ ପରିସରରେ ଆସି ପହଞ୍ଚିଯାଉଛନ୍ତି l ଏମିତି ବି ହେଉଛି, କଲେଜରେ ଝିଅଟି ପଢୁଛି, ଗାଁଆଁ ବା ଅନ୍ୟ କେଉଁ ବନ୍ଧୁଘର ଗାଁଆଁ ର ଗୋଟେ ପୁଅକୁ ପ୍ରେମ କରୁଛି, ସେଠି କଥାବାର୍ତ୍ତା ହୋଇ ହେଉନି ତେଣୁ ପ୍ରେମିକଟି ଝିଅର ପଛେ ପଛେ ଆସି କଲେଜରେ ହାଜର୍ l ତାମାନେ ତାଙ୍କର ପ୍ରେମକୁ ଲାଳନ ପାଳନ କରି ଆଗେଇ ନେବାକୁ କଲେଜ ପରିସରକୁ ଉପଯୁକ୍ତ ସ୍ଥାନ ବୋଲି ଧରି ନେଉଛନ୍ତି l ଏଠି କଲେଜରେ ସେଭଳି ପ୍ରେମକୁ ନେଇ ସମୟ ସମୟ ବଡ ଧରଣର ଗଣ୍ତଗୋଳ ବି ହୁଏ l କଲେଜର କିଛି ପୁଅ ମାନେ କୁହନ୍ତି ବାହାର ଟୋକାଟା ଆମ କଲେଜକୁ କାଇଁ ଆସି ଏମିତି ଗପସପ ହୋଇ ଆମ କଲେଜ ପରିବେଶକୁ ନଷ୍ଟ କରିବ ? କଲେଜରେ ପଢୁଥିଲେ କଥା ଅଲଗା l ତେଣୁ କିଛି କଲେଜ ପିଲା କଲେଜ ପରିବେଶକୁ ରକ୍ଷା କରିବାକୁ ଆଗେଇ ଆସି ପୁରା ତାଲିବାନି ଷ୍ଟାଇଲ୍ ରେ ସେଇ ବାହାରୁ ଆସିଥିବା ପ୍ରେମିକଟିକୁ ମାରିବାକୁ ଗୋଡାନ୍ତି l ଅବଶ୍ୟ ସେ ପୁଅଟି ଯଦି ଲୋକାଲ୍ ପିଲା ହୋଇଥିବ ତାହେଲେ ସେଇ ତାଲିବାନି ପିଲାମାନେ ଚୁପ୍ ଚାପ୍ ରହିବାକୁ ଶ୍ରେୟ ମଣନ୍ତି l ଅର୍ଥାତ୍ ବାହରୁ ଆସିଥିବା ପ୍ରେମିକଟି ଯଦି ଦୃବଳ ହୋଇଥିବ ତାହେଲେ ବହେ ମାଡ ଖାଇବା ନିଶ୍ଚିତ ଆଉ ଯଦି ସବଳ ହୋଇଥିବ ତେବେ ତାଲିବାନି କଲେଜ ଛାତ୍ରମାନେ ଲାଙ୍ଗୁଡ ଯାକି ପଳାୟନ କରିବାକୁ ଉଚିତ୍ ମଣନ୍ତି l ଏମିତି ବି ସମୟ ସମୟ ହୁଏ, ଗୋଟେ ଝିଅକୁ ଦୁଇ ବା ତଦୁର୍ଦ୍ଧ ପୁଅ ପ୍ରେମ କରି ବସନ୍ତି ଆଉ ତା ଫଳରେ ଧୁମ୍ ମାଡଗୋଳ, ହଣା କଟା ବି ହୁଅନ୍ତି l ଏମିତି ଘଟଣା ସବୁ କଲେଜରେ ଆଜିକାଲି ଘଟୁଛି l

ଏବେ ଆମେ ଗୋଟେ ଘଟଣା ଉପରେ ଆଲୋଚନା କରିବା l କାରୁ ମାଡାମ୍ ଖୁବ୍ ଷ୍ଟ୍ରିକ୍ଟ୍ l ପାଠ ବି ସେମିତି ଭଲ ପଢାନ୍ତି l ଛାତ୍ରଛାତ୍ରୀଙ୍କୁ ନିଜ ପୁଅ ଝିଅଙ୍କ ପରି ଭଲ ପାଆନ୍ତି l ପିଲାମାନେ ତାଙ୍କୁ ସେଥିପାଇଁ ବହୁତ ଲାଇକ୍ କରନ୍ତି l ମାନନ୍ତି ବି l କଲେଜର ସାଇନ୍ସ କ୍ଳାସ୍ ଗୋଟେ ଦୁଇ ମହଲା କୋଠାରେ ହୁଏ l ତୃତୀୟ ମହଲାକୁ ଯିବାକୁ ପାହଚ ସବୁ ହୋଇଥିଲେ ବି ଛାତ ଉପରକୁ ଯିବା କବାଟରେ ସବୁବେଳେ ତାଲା ପଡିଥାଏ l

ଦିନେ ସବୁ କ୍ଲାସ୍ ସରିବା ପରେ କାରୁ ମାଡାମ୍ ସେ ସିଡି ପାଖା ପାଖି ଯିବା ବେଳେ କିଛି ଅଦ୍ଭୁତ ଶବ୍ଦ ଶୁଣିଲେ l ପାଲାମାନେ ସମସ୍ତେ ଯିଏ ଯୁଆଡେ ଘରକୁ ଯାଇ ସାରିଲେଣି l ସମୟ ସେଇ ୨ଟା ୩୦ ହେବ l ଏ ସମୟରେ ସେ ନିର୍ଜନ ସିଡି ପାହାଚ ଉପରୁ ଏମିତି ଅଦ୍ଭୁତ ଶବ୍ଦ କାହିଁକି ଆସିଲା ? କାରୁ ମାଡାମ୍ ସାହସ କରି ସିଡି ପାହଚ ଉପରକୁ ଉଠିଗଲେ l ସେଠି ଯାହା ଦେଖିଲେ ତାଙ୍କ ମୁଣ୍ତ ପୁରା ଝାଇଁଝାଇଁ ହୋଇଗଲା l କଣ କରିବେ କିଛି ବୁଦ୍ଧି ମଧ୍ଯ ମୁଣ୍ତରେ ପଶିଲା ନାହିଁ l ଢେମା ଢେମା ଆଖି କରି ଗୋଟେ ମୂର୍ତ୍ତି ପରି ଠିଆ ହୋଇଥାନ୍ତି l

ଯେହେତୁ ସିଡି ପାହଚର ଉପର କବାଟରେ ତାଲା ପଡିଛି, ତେଣୁ ସେଠୁ ଓଲ୍ହାଇବାର ଗୋଟେ ବାଟ ଆଉ ତାହା ହେଉଛି କାରୁ ମାଡାମ୍ ଠିଆ ହୋଇଥିବା ବାଟ l ସେଠି ଏକୁଟିଆ କାରୁ ମାଡାମ୍ କିଂକର୍ତ୍ତବ୍ଯମୁଢ ହୋଇ ଠିଆ ହୋଇ ନଥିଲେ l ତାଙ୍କ ସାମ୍ନାରେ ଆଉ ଦୁଇ ଜଣ ମଧ୍ଯ ସେମିତି ହତବାକ୍ ହୋଇ ମୁହଁ ତଳକୁ କରି ଠିଆ ହୋଇଥିଲେ l ସେମାନଙ୍କ ଭିତରୁ ଜଣେ ତାଙ୍କ ଛାତ୍ରୀ ଆଉ ଆର ଜଣକ ଅର୍ଥାତ୍ ପୁଅ ପିଲାଟି ଆଉଟସାଇଡର୍ ଥିଲା l ଏ ଭିତରେ ପୁଅ ଜଣଙ୍କ ସାହସ କରି ନିଜ ପୋଷାକ ପତ୍ରକୁ ଠିକ୍ ଠାକ୍ କରି କାରୁ ମାଡମ୍ ଙ୍କ କଡ ଦେଇ ଡିଆଁ ମାରି ଦୌଡି ପଳାଇଲା l ପୁଲିସ୍ କୁ ଦେଖିଲେ ଚୋର ଯେମିତି ଜୀବନ ବିକଳରେ ଦୌଡେ ଠିକ୍ ସେଇ ଢଙ୍ଗରେ ସେ ଟୋକାଟା କୁଆଡେ ପବନରେ ମିଳେଇ ଗଲା l

ସେ ଟୋକା ଯିବା ପରେ ଗୋଟେ ବାଘୁଣୀ ପରି ଗର୍ଜନ କରିବା ଆରମ୍ଭ କରିଦେଲେ କାରୁ ମାଡାମ୍ l ସେ ଝିଅ ଖୁବ୍ ଭଲ ପଢେ ଆଉ ତା ବ୍ୟବହାର ସହିତ ଚାଲିଚଳନ ମାର୍ଜିତ ଥିବାରୁ କାରୁ ମାଡାମ୍ ତାକୁ ବହୁତ ଭଲ ପାଉଥିଲେ l ତାକୁ ଏମିତି ଅବସ୍ଥାରେ ଦେଖିବେ ସେକଥା ସେ କେବେହେଲେ ସ୍ୱପ୍ନରେ ବି ଭାବି ନଥିଲେ l ତେଣୁ ସେ ଏଇ କିଛି ସମୟ ପୂର୍ବରୁ ଦେଖିଥିବା ଦୃଶ୍ୟ ପାଇଁ ତାଙ୍କ ଭିତରେ ସୃଷ୍ଟି ହୋଇଥିବା ସମସ୍ତ ରାଗ ଯେମିତି ଗୋଟେ ମୁହୂର୍ତ୍ତରେ ନିଜ ପାଟି ମଧ୍ଯମରେ ବାହାରି ଆସିଲା l କାରୁ ମାଡାମ୍ ଙ୍କ ଗର୍ଜନରେ ସେ ସାଇନ୍ସ୍ ବ୍ଲକ୍ ପୁରା ଯେମିତି ହୁଲ୍ ସ୍ଥୂଲ ହୋଇ ଉଠିଲା l

କାରୁ ମାଡାମ୍ ଙ୍କର ଯୋରଦାର ଗର୍ଜନ ଶୁଣି ଦୁଇଟା ରୁମ୍ ସେପଟେ ତାଙ୍କ ଡିପାର୍ଟମେଣ୍ଟ୍ ରେ ବସିଥିବା ଦୁଇ ଜଣ ସାର୍ ସେଠିକି ଦୌଡି ଆସିଲେ l କାରୁ ମାଡାମଙ୍କୁ ଦେଖିବା ସମୟଠାରୁ ସେ ଝିଅଟି ନିଜର ସମସ୍ତ ହିତାହିତ ଜ୍ଞାନ ଭୁଲି ସେମିତି ମୁର୍ତ୍ତିଟିଏ ପରି ଅସଂଯତ ଅବସ୍ଥାରେ ଠିଆ ହୋଇଥାଏ l ଏ ଦୁଇ ଜଣ ସାର୍ ସେଠି ପହଞ୍ଚି ଝିଅଟିର ସେ ଅବସ୍ଥା ଦେଖି ପୁରା ତାଜୁବ୍ ହୋଇଗଲେ l

କାରୁ ମାଡାମ୍ ହଠାତ୍ ଝିଅଟିର ଅସଂଯତ ଅବସ୍ଥା ସହିତ ଦୁଇ ଜଣ ପୁ୍ରୁଷ ସାର୍ ଙ୍କ ଉପସ୍ଥିତିକୁ ଲକ୍ଷକରି କହିଲେ, " କେଡେ ଅଲାଜୁକିଟାଏ କିଲେ ? ସେ ସାର୍ଟକୁ ତଳକୁ ପକା l"

ଝିଅଟି କାରୁ ମାଡାମଙ୍କ କଥାରେ ଚୁପ୍ ଚାପ୍ ନିଜର ଅସଂଯତ ଅବସ୍ଥାକୁ ଗୁଡେ ଲାଜ ଆଉ ଭୟ ଭିତରେ ସଂଯତ କରାଇ ତଳକୁ ମୁହଁ ପୋତି ପଳାଇଲା l

ପରେ ମୁଁ ଖବର ନେଇ ଜାଣିଲି ଯେ ସେ ଝିଅ ଭଲ ନମ୍ବର ସହିତ କଲେଜରୁ ପାଶ୍ କରି ପିଜି କଲା l କିନ୍ତୁ ୩ ବର୍ଷ ପରେ ସେ ଟୋକାଟା ତାକୁ ପ୍ରେମରେ ଧୋକା ଦେଇ ଅନ୍ୟତ୍ର ବିବାହ କରିବାରୁ ଝିଅଟି ଅତ୍ମହତ୍ୟା କରିଦେଲା l

ଏଇ ଘଟଣା ପରଠାରୁ ମୁଁ ଯେଉଁସବୁ କଲେଜକୁ ବାଳିକା ଆତ୍ମରକ୍ଷା କୌଶଳର ଜିଲ୍ଲା ସଂଯୋଜକ ଭାବରେ ଅତିଥି ହୋଇ ଯାଉଛି ସେଠି ମୋ ବକ୍ତବ୍ୟରେ ଆଉ ଯାହା କୁହେ ନକୁହେ ଏକଥା ନିଶ୍ଚେ ଉପଦେଶ ଦେଇ ଛାତ୍ରୀମାନଙ୍କୁ କୁହେ -" ପ୍ରେମ କର ମନା ନାହିଁ, କିନ୍ତୁ ନିଜ ସୀମା ସରହଦ୍ ବା ଲକ୍ଷ୍ମଣ ରେଖା କେବେହେଲେ ଡେଇଂବ ନାହିଁ , ଏମିତି ଅବସ୍ଥାକୁ କେବେ ଯିବନି, ଯଦି ପ୍ରେମିକ ଧୋକା ଦେଲା, ତାହେଲେ ନିଜ ଓଢୁ଼ଣୀ ନେଇ ଫ୍ୟାନ୍ ପାଖକୁ ଯିବା ଛଡା ଅନ୍ୟ କିଛି ବିକଳ୍ପ ନଥିବ l "

******************************

ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬

ପରିବେଶ ପନ୍ଥା ଅନ୍ଧାର

Rate the content


Originality
Flow
Language
Cover design

Comments

Post

Some text some message..