ପ୍ରଶାନ୍ତ କୁମାର ବେହେରା

Inspirational Others Children

4  

ପ୍ରଶାନ୍ତ କୁମାର ବେହେରା

Inspirational Others Children

ଗୋଟିଏ ଭୁଲ

ଗୋଟିଏ ଭୁଲ

5 mins
169



କଥାଟା ଗପଟେ ପରି ଲାଗିପାରେ, ହେଲେ ପୁରା ସତ l ୧୯୮୪ ମସିହା କଥା , ମୁଁ ଅଷ୍ଟମରେ ଶ୍ରୀକୃଷ୍ଣ ଏକାଡେମୀରେ ଅଧ୍ୟୟନ କରୁଥାଏ l ସେତେବେଳେ କିରଣ ସାର୍ କଲେଜ ଛକ ପାଖରେ ଥିବା ରେଗୁଲେଟେଡ୍ ମାର୍କେଟ୍ ର ଏକ ଆଜବେଷ୍ଟସ୍ ଘରେ ଭଡ଼ାରେ ରହୁଥିଲେ l ମୁଁ ତାଙ୍କ ପାଖକୁ ଟିୟୁସନ୍ ଯାଉଥାଏ l ମୋ ସହିତ ପାଟେଣୀ ଗାଁ ର ଟୁଟୁ ( ଲେଖକ ଭାଗୀରଥି ଦାସଙ୍କ ପୁଅ ) ବି ପଢିବାକୁ ଆସୁଥିଲା l


ଦିନେ ମୁଁ ବେଳାବେଳି ସେଠି ପହଞ୍ଚି ଗଲି l ଟୁଟୁ ଆସିନଥାଏ l 

ସାର୍ ମୋତେ ଦେଖି କହିଲେ, " ଆରେ ଜଟିଆ ଗୋଟେ କାମ କଲୁ , ଏ ସାର୍ଟଟା ନେଇ ଟିକେ ସେ ନାଳରେ ସଫା କରି ଆଣିଲୁ l" 


' ଜଟିଆ ' ନାମକୁ ଧରି ମୋ ସ୍କୁଲ ସାଙ୍ଗମାନଙ୍କ ସହିତ ସାର୍ ମାନେ ଡ଼ାକୁଥିଲେ l ସେ ନାମଟି ମୋ ସହିତ ଯୋଡ଼ି ହେବାର କାରଣ ନିମ୍ନରେ ରଖୁଛି ।


ମୋ ବୋଉ ମୋର ଯାଁବାଳ ଆଖଣ୍ଡଳମଣିଙ୍କ ପାଖରେ ଯାଚିଥିଲା l ଯାଚିବାର କାରଣ ହେଉଛି ସେଇ ପିଲାବେଳେ ମୋ ଦେହ କୁଆଡେ ବହୁତ ଖରପ ଥିଲା l ଦେହ କେମିତି ଶୀଘ୍ର ଭଲ ହୋଇଯିବ ସେଥିପାଇଁ ବୋଉ ମୋ ଯାଁବାଳ ଯାଚିଥିଲା l


ମୁଁ ବଡ଼ ହୋଇଗଲି ଆଉ ତା' ସହିତ ମୋ ମୁଣ୍ତର ଜଟ ବି ବହୁତ ବଡ଼ ହୋଇଗଲା l ଦୁଇଟା ଜଟ ମୋ ମୁଣ୍ଡ ପଛପଟେ ଲମ୍ବିଥାଏ l ଷଷ୍ଠ ଶ୍ରେଣୀରେ ସେ ଜଟକୁ ମୁଣ୍ଡରେ ଧାରଣ କରି ପଢିବାକୁ ଗଲି l ସ୍କୁଲ୍ ରେ ଏନ୍.ସି.ସି.ର ନାରାୟଣ ସାର୍ କ୍ଲାସ୍ ଟିଚର୍ ଥିଲେ l ମୋ ସାଙ୍ଗ ଜି.ଭି. ରାକେଶ୍ କ୍ଲାସ୍ ମନିଟର ଥାଏ l ପ୍ରଥମେ ନାରାୟଣ ସାର୍ ମୋତେ ଜଟିଆ ଡ଼ାକିଲେ ଆଉ ତା'ପରେ ମୋ କ୍ଲାସମେଟ୍ ମାନେ ମୋ ନାଁ ଜଟିଆ ଦେଇଦେଲେ l


ସମସ୍ତେ ଜଟିଆ ଡ଼ାକିବାରୁ ରାଗରେ ଦିନେ ଦୁଇପ୍ରହରରେ ମୋ ଜଟ ଦୁଇଟାକୁ କାଟି କଲେଜ ପୋଲ ଉପରେ ଠିଆ ହୋଇ ତାକୁ ମାଛଗାଁ କେନାଲରେ ଭସାଇଦେଇ ଘରକୁ ଫେରିଲି l


ସେଦିନ ମୋ ବୋଉ ବହୁତ କାନ୍ଦିଥିଲା ଆଉ ବାପା ଢେର୍ ଗାଳି କରିଥିଲେ l କିନ୍ତୁ ମୋ ଜଟ ଆଉ ପକାଇବାକୁ ଆଖଣ୍ଡଳମଣିଙ୍କ ପାଖକୁ ଯାଇନଥିଲି l କିନ୍ତୁ ମୋ ପୁଅ ସୋନୁ ଜନ୍ମ ହେବାପରେ ବୋଉ ତାକୁ ନେଇ ଆଖଣ୍ଡଳମଣିଙ୍କ ପାଖରେ ଯାଁବାଳ ପକାଇ ମୋ ପାଇଁ କରିଥିବା ମାନସିକ ପୂରଣକରି ଖୁବ୍ ଖୁସି ହୋଇଥିଲା l ତବେ ସେବେଠାରୁ ମୋ ନାମ ' ଜଟିଆ' ହୋଇଗଲା l


ମୁଁ ମୋ ସାର୍ଟ ପେଣ୍ଟ୍ କେବେ ବି ମୋ ହାତରେ ସେ ଯାଏ ସଫା କରି ନ ଥିଲି l ମୋ ସାନ ଭଉଣୀ ମାନେ ସଫା କରି ଦିଅନ୍ତି l ମନେ ମନେ ସାର୍ ଙ୍କ ଉପରେ ରାଗ ବି ଆସିଲା l ବାଧ୍ୟ ହୋଇ ସାର୍ ଦେଇଥିବା ସାର୍ଟ ଓ ସନଲାଇଟ୍ ସାବୁନ୍ ଧରି ପାଖରେ ଥିବା ମାଛଗାଁ କେନାଲ୍ କୁ ଗଲି l ସେଠି ସାର୍ଟକୁ ପାଣିରେ ବୁଡାଇ ପାହାଚ ଉପରେ ସାବୁନ ମାରିବାକୁ ଗଲାବେଳେ ଦେଖିଲି ତା ପକେଟ୍ ରେ କିଛି ଅଛି l ବାହାର କରି ଦେଖିଲି ଦଶ ଟଙ୍କିଆ ନୋଟ୍ ଟାଏ l ସାର୍ ଙ୍କୁ ଫେରାଇବି କି ଫେରାଇବି ନାହିଁ ଏମିତି କିଛି ସମୟ ଭାବି ଶେଷକୁ ନିଷ୍ପତି ନେଲି କି ଆଉ ଫେରାଇବି ନାହିଁ l ବଦମାସ୍ ଭାବନା ଆସିଲା , " ସାର୍ କାଇଁ ସାର୍ଟ ସଫା କରିବାକୁ ଦେଲେ କି,ଖର୍ଚ କରିଦେବା ଠିକ୍ ହେବ l"

ସାର୍ଟ ସଫା କରି ସାରିବା ପରେ ଠିକ୍ ଦଶ ଟଙ୍କିଆ ସାଇଜ୍ ର ଗୋଟେ କାଗଜକୁ ପାଣିରେ ବୁଡାଇ କୁତାକୁତା କରି ଛିଡ଼ାଇ ଛୋଟ ପିଣ୍ଡୁଳାଟେ କରି ପକେଟ୍ ରେ ରଖିଦେଲି l 


ସାର୍ଟଟିକୁ ନେଇ ସାର୍ ଙ୍କ ଘର ସାମ୍ନାରେ ଖରାରେ ଶୁଖାଇ ଦେଲି l କିଛି ସମୟ ପରେ ସାର୍ ଙ୍କର ମନେ ପଡିଲା ଟଙ୍କା କଥା l ମୋତେ ପଚାରିଲେ ," ଆରେ ଜଟିଆ ସାର୍ଟ ପକେଟ୍ ରେ ୧୦ ଟଙ୍କାଟେ ଥିଲା ବୋଧେ l"


ମୁଁ ପୁରା ପୋଖତ ଚୋରଟେ ପରି କହିଲି, " ନାଁ ସାର୍ ମୁଁ ଦେଖିନି ତ !"


ସାର୍ ସାର୍ଟ ପାଖକୁ ଯାଇ ପକେଟ୍ ରେ ହାତ ପୁରାଇ ସେ କାଗଜ ବିଣ୍ଡାକୁ କିଛି ସମୟ ଦେଖିଲେ ଆଉ ତା ପରେ ଫୋପାଡି ଦେଇ କହିଲେ, " ଆରେ ଜଟିଆ ଟଙ୍କାଟା ପୁରା ନଷ୍ଟ ହୋଇ ଯାଇଚି ରେ l ଛାଡ୍ ମୋର ଭୁଲ୍ ମୁଁ ସାର୍ଟ ଦେବା ଆଗରୁ ରଖିବାର ଥିଲା l "


ସେ କଥାରେ ସାର୍ ଙ୍କର ତାଙ୍କ ଛାତ୍ର ଉପରେ କେତେ ଗଭୀର ବିଶ୍ୱାସ ଥିଲା ପୁରା ଜଣା ପଡୁଥିଲା l ମୁଁ ସେଦିନ ସେ ୧୦ ଟଙ୍କାକୁ ଯେମିତି ଖର୍ଚ କରିଥିଲି ତାହା ଆଜି ବି ମନେ ଅଛି l ସେ ଟଙ୍କାରେ ଦୁଇଟି କୋକାକୋଲା ଥଣ୍ଡା ପାନୀୟ ପିଇବା ସହ ଗୋଟେ କାମେଲ୍ ରଙ୍ଗ ବକ୍ସ କିଣିଥିଲି ସେତେବେଳେ କଲେଜ ଛକରେ ଥିବା ଦୁର୍ଗାଷ୍ଟୋର୍ ବହି ଦୋକାନରୁ l


କିନ୍ତୁ ପରେ ସାର୍ ଙ୍କୁ ଯେଉଁଠି ଦେଖି ନମସ୍କାର କରେ ମୋର ସେ ୧୦ ଟଙ୍କା ଚୋରୀ କରିବା କଥା ମନେ ପଡିଯାଏ l ଯେମିତି ଗୋଟେ ବଡ ଭୁଲ୍ କରିଚି ସାର୍ ଙ୍କ ପାଖରେ ସେମିତି ଲାଗେ l 

୧୯୯୮ ମସିହାରେ ସାରା ଓଡିଶାରେ ଅଧ୍ୟାପକ ମାନେ ଷ୍ଟ୍ରାଇକ୍ କରିଥାନ୍ତି l ସେତେବେଳେ ଯୁକ୍ତ ଦୁଇ ପରୀକ୍ଷା ଚାଲିଥାଏ l ଏସ୍. ଭି. ଏମ୍. କଲେଜରେ ଆମେ ମାତ୍ର ୪ ଜଣ ଅଧ୍ୟାପକ ମ୍ୟାନେଜମେଣ୍ଟରେ ଥିଲୁ ଆଉ ଆମକୁ ସେ ଷ୍ଟ୍ରାଇକ୍ ରୁ ବାଦ୍ ଦିଆଯାଇ ପରୀକ୍ଷାରେ ଡିଉଟି କରିବାକୁ କୁହାଯାଇ ଥିଲା l ସରକାରଙ୍କ ଠାରୁ ଦରମା ପଉଥିବା ଅଧ୍ୟାପକ ମାନେ ଷ୍ଟ୍ରାଇକ୍ ରେ ଥିବାରୁ ଜିଲ୍ଲାପାଳଙ୍କ ଆଦେଶ ବଳରେ ଶ୍ରୀକୃଷ୍ଣ ଏକାଡେମୀ , ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଶିକ୍ଷକ ତଥା ତହସିଲ୍ ଅଫିସ୍ ର ଷ୍ଟାଫ୍ ଙ୍କୁ ପରୀକ୍ଷା କରିବା ପାଇଁ ଡିଉଟି ଦିଆଯାଇ ଥିଲା l ଭାଗ୍ଯକୁ କିରଣ ସାର୍ ଙ୍କ ମୋ ସହ ୧୨୮ ନଂ ରୁମ୍ ରେ ଡିଉଟି ପଡିଲା l ସାର୍ ଙ୍କୁ ଦେଖୁ ଦେଖୁ ମୋର ସେ ୧୦ ଟଙ୍କା କଥା ମନେ ପଡିଗଲା l ୩ ଘଣ୍ଟା ପରୀକ୍ଷା ଡିଉଟି ଭିତରେ ପିଅନ ହାତରେ ସାର୍ ଙ୍କୁ ଦୁଇଥର ଚାହା ମଗାଇ ପିଆଇଲି l ସେଦିନ ମୁଁ ଅଧ୍ୟାପକଟେ ହୋଇଛି ବୋଲି ସାର୍ ପ୍ରଥମ ଥର ପାଇଁ ଜାଣିଲେ ଆଉ ବହୁତ ଖୁସି ବି ହେଲେ l


ତା ପରଠୁ ସାର୍ ପ୍ରାୟ ଆମ ଘରକୁ ବୁଲି ଆସନ୍ତି l ଚାକିରୀରୁ ଅବସର ନେବା ପରେ ଯେହେତୁ ବୋରିକିନା ପାଖରେ ଗୋଟେ ସ୍କୁଲ୍ ରେ ସାର୍ ଙ୍କ ଝିଅ ଶିକ୍ଷୟତ୍ରୀ ଭାବରେ ଚାକିରି ଆରମ୍ଭକଲେ ତେଣୁ ଲାଲା ସାହିରେ ଆସି ଘର ଭଡା ନେଇ ରହିଲେ l ମୋ ଘର ପାଖାପାଖି ହୋଇଥିବାରୁ ପ୍ରାୟ କିଛି ଦିନ ଅନ୍ତରରେ ବୁଲି ଆସନ୍ତି l ମୋ ପୁଅ ସୋନୁ ତାଙ୍କ ପାଦଧୁଳି ନେବାବେଳେ ବହୁତ ଖୁସି ହୁଅନ୍ତି ଆଇ ଥରେ ତା ହାତକୁ ଧରି କୋଳକୁ ଟାଣିନେଇ ହସି ହସି କହିଲେ ," ଆରେ ତୋ ବାପାଟା ବହୁତ ଦୁଷ୍ଟ ଥିଲା l ତୁ ବହୁତ ସାଧାରଣିଆ ହୋଇଛୁ lମନ ଦେଇ ପାଠ ପଡୁଥିବୁ l "


ଏମିତି ଭିତରେ ଦିନେ ସାର୍ ସକାଳ ୭ ଟା ଆସି ମୋ ସ୍ତ୍ରୀ ସଂଧ୍ୟାକୁ କହିଲେ , " ଆଲୋ ମା ଜଟିଆକୁ ଟିକେ ଉଠା , ମୋର ଟିକେ ଜରୁରୀ କଥା ଅଛି l" ସାର୍ ଜାଣିଥାନ୍ତି ମୁଁ ଡେରିରେ ଉଠେ l ତଥାପି କିଛି କାମରେ ଆସିଛନ୍ତି ଜାଣି ମୁହଁ ଧୋଇ ସାର୍ ଙ୍କୁ ନମସ୍କାର କଲି l


ସାର୍ କହିଲେ ," ଆରେ ଜଟିଆ , ଟିକେ ଅସୁବିଧା ହୋଇଗଲା l ଝିଅଟା ସକାଳୁ ତା ସ୍କୁଲ କୁ ବସ୍ ରେ ଉଠି ପଳାଇଲା l ଟ୍ରଙ୍କ୍ ଚାବିଟା ଭୁଲ୍ ରେ ତା ମନିପର୍ସରେ ନେଇଯାଇଛି l ଏବେ କଟକରୁ ଫୋନ୍ ଆସିଲା , ସଡୁ ଦେହ ପୁରା ସିରିୟସ୍ , ସେ କଟକ ମେଡିକାଲରେ ଆଡମିଟ୍ ହୋଇଛନ୍ତି l ତାଙ୍କୁ ଦେଖିବାକୁ ଯିବାକୁ ହେବ l ୨୦୦ ଟଙ୍କା ଦେଇଥା , ମୁଁ କଟକରୁ ଫେରିଲେ ଦେଇଦେବି l"


ମୁଁ ଚୁପ୍ ଚାପ୍ ବେଡ୍ ରୁମ୍ କୁ ଯାଇ ମନିପର୍ସରୁ ୨୦୦ ଟଙ୍କା ଆଣି ସାର୍ ଙ୍କୁ ଦେଲି l ସଂଧ୍ୟା ଚାହା ପିଇ ବାକୁ କହିଲା କିନ୍ତୁ ପରେ ଆସିଲେ ପିଇବି ବୋଲି କହି ସାର୍ ତର ତର ହୋଇ ପଳାଇଲେ l


ଠିକ୍ ତା' ପରଦିନ ସକାଳ ୮ ଟା ରେ ସଂଧ୍ୟା ମୋତେ ନିଦରୁ ଭଠାଇ କହିଲା , " କିରଣ ସାର୍ ଚାଲିଗଲେ l" ମୁଁ ବିଶ୍ୱାସ କରି ପାରିଲିନି l ସଂଗେ ସଂଗେ ଲାଲା ସାହିରେ ସାର୍ ରହୁଥିବା ଘରକୁ ଗଲି l ଶୁଣିଲି ତା ପୂବଦିନ ରାତି ୧୦ଟା ରେ କଟକରୁ ଫେରି ଖାଇକି ଶୋଇଥିଲେ l ଆଉ ସକାଳୁ ଛାତିରେ କଷ୍ଟ ହେଲା l ତା ପରେ ସବୁ ଶେଷ୍ l


ସାର୍ ଙ୍କୁ ଶେଷ ପ୍ରଣାମ କରି ଫେରିଲି l



Rate this content
Log in

Similar oriya story from Inspirational